ପାରିବାରିକ କଳହ
ପାରିବାରିକ କଳହ
ବଡ଼ କଥା ଆଜି ସାନ ମାନୁ ନାହିଁ
ସାନକୁ ଆଦର ନାହିଁ
ଜମିବାଡ଼ି ଟଙ୍କା ପଇସାଟା ଆଗ
ଭଲ ପାଇବ ବା କାହିଁ |
ଦୁଇ ଯାଆ ଦୁଇ ଭଉଣୀ ନୁଁହନ୍ତି
ଯେମିତି ଶତ୍ରୁ ଆଗରୁ
ଜଣଙ୍କ ପ୍ରଶଂସା ଜଣେ ଶୁଣିବନି
କମ୍ ନୁହେଁ କାହା ଠାରୁ |
ଶାଶୁଶଶୁରଙ୍କ କଥା ପିତା ଲାଗେ
ପଡୋଶୀ ବହୁତ ଭଲ
ଶାଶୁ କରେ କାମ ବୋହୂ ଶୋଇ କୁହେ
କର ମତେ କଲବଲ |
ଶୁଣିବାର ଶକ୍ତି ନାହିଁ କାପାଖରେ
କହିବାରେ ସବୁ ଆଗ
ସମ୍ମାନ, ସମ୍ପର୍କ ପଛେ ରହିଯାଏ
ବଡ଼ ହେଇଯାଏ ରାଗ |
ଆଜିର ବୋହୂଟେ କାଲି ଶାଶୁ ହେବ
ଚିହ୍ନୁନି ମା' ର ହୃଦୟ
ବାପାର ଦରଦ ପୁଅ ପାଖେ ଥିବ
ଆସିବ ଦିନେ ସମୟ |
କଳହ କରିବା ଲୋକର କେବେବି
ବୃଦ୍ଧି ହୁଏ ନାହିଁ ମତ୍ତି
କହିବା ଲୋକଠୁ ଶୁଣିବା ଲୋକର
ରହେ ସବୁବେଳେ ଖ୍ୟାତି |
ଶ୍ରବଣ ଶକତି ଯାହାର ପ୍ରଖର
ସିଏ ହୁଏ ବିଦୁଆନ
ଅଯଥା ଗପ ଯେ ମାରେ ଏଠି ସେଠି
ହୁଏ ସିଏ ହୀନିମାନ |
ଯଦି ମୁଖ ଖୋଲ କୁହ ସାଧୁବାଣୀ
ହିତ ହେଉ ସଭିଙ୍କର
ହସ ଖୁସି ଆଉ ପ୍ରେମରେ ଦୁନିଆ
କରିଦିଅ ଏକାକାର |
କ୍ରୋଧ ଏକ ବିଷ ଶରୀର ଭିତରେ
କାୟା ତା' କରେ ବିସ୍ତାର
ଆଗ ଜାଳି ଦିଏ ବୁଦ୍ଧି ବିବେକକୁ
ତା ପରେ ଜାଳେ ସଂସାର |
ପରିବାରେ ସୁଖ ଶାନ୍ତି ଚାଁହୁଥିଲେ
ଗୁରୁଜନ କଥା ମାନ
ମାନି ଚଳୁଥିଲେ ହସ ଖୁସି ସାଥେ
ଭଲରେ କଟିବ ଦିନ |
