ପାଷାଣ
ପାଷାଣ
କବିସୌରଭ ଅନୁପ ସିଂହ ଦେବ
ରାଜା ଖଡ଼ିଆଳ
ଶୁଣିଲ ନି ? ଶୁଣିଲ ନି ? ଦେବତା !ମୋ ଡାକ
ଏତେ ଅଶ୍ରୁ ଏତେ ପୂଜା ବ୍ୟର୍ଥ କରି ଶେଷେ
ନୀରବ ରହିଲ ତୁମେ ନିର୍ମ୍ମମ ପାଷାଣ ?
ଦୁର୍ବଳର ଛାତି ଯେବେ, ସବଳର ମୁଷ୍ଟି
ଟିକି ଟିକି ଭାଙ୍ଗିଦେଇ କାଢ଼ିବ ଶୋଣିତ,
ସେ ଶୋଣିତେ ତୁମେ କି ହେ ହୋଇବ ସନ୍ତୁଷ୍ଟ
ପିଚାଶ ସମାନ ରକ୍ତ-ଲାଳସା ମେଣ୍ଟାଇ ?
ଦାନବର କରେ ଦେଖି ଦୀନର ଯାତନା
ପାଷାଣ ମୁଖରୁ ଯେବେ ନ ଫୁଟିବ ବାଣୀ,
ତେବେ କିମ୍ପା ଦରିଦ୍ରର ତାରଣ ସ୍ୱରୂପେ
ସର୍ବ ଉଚ୍ଚ ବସି ପାଅ ଏତେ ବଡ଼ ପୂଜା ?
କିମ୍ପା ତେବେ ଭ୍ରାନ୍ତ ନର ଜୀବନର ରକ୍ତ
ପଳେ ପଳେ ଢାଳିଦିଏ ତୁମ ସେବା ଲାଗି ?
ନିର୍ଯ୍ୟାତନା ଘୁର୍ଣ୍ଣି ମେଳେ ହରାଇ ନିଜକୁ
ଦରିଦ୍ର କାତର କଣ୍ଠ ଉଠେ ଯେବେ ଥରି,
ତୁମରି ଖିଆଲି ସ୍ବପ୍ନରେ ମୁଗ୍ଧ ଥାଇ ତୁମେ
ହସୁଥାଅ ନିରୀହର ହା' ହା' କାର ଶୁଣି ?
ହେ ଦେବତା,ହେ ପାଷାଣ ! କିଏ ତୁମେ, କହ
ଭ୍ରାନ୍ତ ନରେ ଭୁଲାଇଛ ତୁମରି ପୂଜାରେ ?
କି ବିଶ୍ୱାସେ କହେ ନର ତୁମେ ଶକ୍ତିମାନ୍
ତୁମରି ଶକ୍ତିରେ ଚଳେ ଏ ବିରାଟ ସୃଷ୍ଟି !
ତୁମେ ଯେବେ ନରପୂଜ୍ୟ ମହା ଶକ୍ତିମାନ୍
କାହିଁ ତୁମ ଶକ୍ତି ତେବେ ?କେଉଁଠାରେ ଆଉ
ସେ ଶକ୍ତି ପ୍ରୟୋଗ ବଳେ ଅନ୍ୟାୟର ମୂଳ
ଧ୍ବଂସ କରି ଉଡାଇବ ନ୍ୟାୟର ପତାକା ?
ସବୁ ଭ୍ରାନ୍ତି !ସବୁ ଭୁଲ !ନିରୀହ ମାନବ
ଅକାରଣେ ବୁକୁରକ୍ତ ପଳେ ପଳେ ଢାଳି
ନିର୍ଜୀବ ପାଷାଣଟାରେ କରେ ଖାଲି ପୂଜା ! !
ଭାବେ ମୁଁ ଦେବତା ! ମୋର ଶକ୍ତିହୀନ ହସ୍ତେ
ମହା ଶକ୍ତିଶାଳୀ ତୁମ ପାଷାଣ ମୂର୍ତ୍ତିକି
ଟିକି ଟିକି ଭାଙ୍ଗି ଏଇ ମାଟି ଧୂଳି ସଙ୍ଗେ
ଦିଅନ୍ତି ମିଶାଇ ପରା ଦୃପ୍ତ ବିଦ୍ରୋହରେ !
ଯଦି କେହି ବୋଲନ୍ତା ସେ ନରର ଦେବତା
କହନ୍ତି ମୁଁ ଏ ଯେ ଖାଲି ନିରାଟ ପାଷାଣ ! !
ସମାପ୍ତ