ପାରୁଆପଣ
ପାରୁଆପଣ


କଳିପାରୁନି କି ଆଖିପାଉନି
ଏ ଅଲଙ୍ଘ୍ଯ ଦୂରତାକୁ ଚାହିଁ... !
ଆଶଙ୍କା , ହତାଶା ସବୁବେଳେ ମାଡ଼ିବସେ
କି କେବେ ଆଉ ଲଙ୍ଘିପାରିବନି
ଏ ଅନନ୍ତ ଦୂରତାକୁ ।
ସବୁଦିନ , ପ୍ରତିକ୍ଷଣ ବଢ଼ିଚାଲିଛି ଏ ଦୂରତା
ତୁମେ ଯେମିତି ହଜିହଜି ଯାଉଛ
କି ଲିଭିଲିଭି ଯାଉଛ ହୃଦୟରୁ ଆଉ ସ୍ମୃତିରୁ ।
କେତେ ଯେ ଲୋଭ ,
ଭୋକ , ତୃଷ୍ଣା ଏ ଦେହମନର !
ଏଇଥି ପାଇଁ ବୋଧହୁଏ
ଆଗ ଭଳି ତୁମ ବାସ୍ନା
କି ସ୍ପର୍ଶ ବାରିପାରୁନି ଆଉ ।
ସ୍ୱପ୍ନ କି ଅହଂକାରକୁ ଖୁସିକରିବା ପାଇଁ
ତୁମ ପାଇଁ ସାଇତିଥିବା ଶୂନ୍ୟସ୍ଥାନକୁ
ଅହରହ ସଙ୍କୁଚିତ କରିଚାଲିଛି
ଘୃଣା , ହିଂସାକୁ ଆଦରିନେଇ ।
ଦିନେ ତୁମକୁ କିଣି ରକ୍ଷିତା କରିବି
ଏଭଳି ସୁଚିନ୍ତାର ମଞ୍ଚିବି ଗଜା ମାରିଲାଣି ।
ସବୁ ମୁକ୍ତି ପଥକୁ ଅବରୋଧ କରିବାକୁ
ଉଚ୍ଚ ଆକାଂକ୍ଷାର ଶକ୍ତ ପଥର ଥୋଇ ,
ମୋହର ସିମେଣ୍ଟ ମସଲା ଦେଇ
ଶକ୍ତ ପାଚେରୀଟିଏ
ତୋଳି ସାରିଲିଣି କେବେଠୁ ।
କୃତ୍ରିମ ଆଲୁଅ ଅନ୍ଧାରରେ ରହି
ହାତତିଆରି ଗରମଥଣ୍ଡା ପବନ ଖାଇ
ଖୁସିହୁଏ ସେ ନିଜର ଏଭଳି
ପାରୁଆପଣକୁ ଦେଖି ।