STORYMIRROR

Soubhagya Sahu

Fantasy Others

3  

Soubhagya Sahu

Fantasy Others

ପାଗଳ ମହୁମାଛି

ପାଗଳ ମହୁମାଛି

1 min
392


ତୁମେ କାହୁଁ ଜାଣିବ,

ପାଗଳ ମହୁମାଛିର କଷ୍ଟ,

ଶୋଷିନେଇ ଫିଙ୍ଗିଦେବା ପାଇଁତ

ତୁମ ଚାରିପାଖେ ଭଅଁରଙ୍କ ଭିଡ଼ ।

ତୁମେ କାହୁଁ ଜାଣିବ,

ପାଟିକୁ ନେଇ ବି ନ ଢ଼ୋକିବାର କଳା,

ସବୁ କିଛି ପ୍ରାପ୍ତରେ ବି ସଞ୍ଚିବାର ମୋହ,

ଅନିଶ୍ଚିତତାର ଆଶାରେ ଘର ସଜାଡ଼ିବାର ଦହ,

ଭାଙ୍ଗିଗଲେବି,

ଛାତିକୁ ପଥର କରିବ, ଗଡେଇପାରିବନି ଲୁହ ।

ତୁମେ ଯଦି ଆଉ ଥରେ ବି କହିବ,

ମୁଁ ଭଅଁର ନହେଇ, ମହୁମାଛିଟେ ହେବି,

ତୁମପାଇଁ ମହୁ ସଞ୍ଚି,

ନିଜର ବୋଲି ଗର୍ବ କରିବି,

ହେଉ ବରଂ,

ସେ ନିଆଁହୁଳା ଟିକକ ମୋର ପ୍ରାପ୍ୟ,

ଟିକକ ମହୁ ଅଧରେ ନେଇ ହସି ହସି ଆଖୁ ବୁଜିଦେବି।

ତୁମେ କଣ ଭାବିଚ,

ଆଡେଇ ଦେଇ ଚାଲିଯିବ?

ବିନା କିଛି ଅଧିକାରରେ

ଏ ଛାର ମହୁମାଛିଟେ କେମିତି ଅଟକେଇବ?

ହେଲେ,

ଭଅଁର ଦୁନିଆର ସେ ଗୁଂ ଗୁଂ ରେ ଥକିପଡି

ମହୁ ଟିକକକୁ ତ ତୁମେ ଦିନେ ଝୁରିବ,

ମନେ ମନେ ଅଧର ବାରିବା ବେଳେ,

ତୁମ ସ୍ମୃତିତକ ମିଠା ହେଇଯିବ ।

ଯୋଉ ସ୍ମୃତିରେ କେବଳ ମୁଁ ଥିବି,

ପାଉଁଶିଆ ମୁହଁରେ,

ଝାଳ ନିଗାଡି ହସୁଥିବି,

ଭଅଁରଠୁ ଟିକେ ଦୁରରେ,

ତୁମ ଚାରିପାଖେ ଉଡୁଥିବି,

ତୁମ ପାଖେ ଲୋଟିପଡୁଥିବି ।

କେବେ ଯଦି,

ଖୋଜିବାକୁ ମନ କରିବ,

ଆସିବ,

ସେଇ ମହୁଫେଣା ତଳ ପାଉଁଶ ଗଦାକୁ,

ଆଡେଇଦେଇ ଦେଖିବ,

ପୋଡାମୁହାଁ ଅଧାଜଳା ମହୁମାଛିଟେ ର,

ଅଧରେ ଟିକେ ମହୁଥିବ,

ତୁମକୁ ଅନେଇ ଅନେଇ,

ଡେଣାଗୁଡା ମାଟିହେଇଯାଇଥିବ,

ଉପର ମୁହାଁ ହେଇ ଗୋଡ଼ଟାକୁ ଟେକି ପଡିଥିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy