ଅଫେରା ବାଟ
ଅଫେରା ବାଟ
2 mins
269
ଦେଖ୍, ଆଜି ବି,
ସେ ବୁଢା ମଉସା, ମାଉସୀ,
ଦୋକାନ ଖୋଲିକି ବସିଛନ୍ତି,
ରାତି ଅଧ ସରିକି,
ଚୁଲା ଲାଗିଛି,
ଭାତ ବସା ହେଇଚି।
କିଏ କେଜାଣି??
ଏତେ ରାତିରେ ଆସିବ,
ଭାତ ଖାଇବାକୁ,
ଭଙ୍ଗା ଖଟିଆରେ,
ମିଞ୍ଜି ମିଞ୍ଜି ଆଲୁଅରେ,
ତଥାପି,
ବୁଢା ବୁଢ଼ୀ ବସିଛନ୍ତି,
ଜଣେ ହେଉ ବରଂ,
କେହି ନା କେହି ତ ଆସିବେ,
ତୋ ମୋ ଭଳିଆ।
ଦୁର୍ ଦୁର୍ ବର୍ଷାରେ,
ଓଦା ସଡ଼ ସଡ଼ ଦିହରେ,
ଘରୁ,
ଅଫେରା ବାଟରେ ପାଦ ଦେଇ,
ଅନିଶ୍ଚିତତାର ଆଶା ନେଇ,
ଅଧା ବାଟରେ ପୁଣି ବାଟଭୁଲି,
ଏଇଠି ଟିକେ ରହିବେ,
ନିଜ ନିଜକୁ ଦୋଷ ଦେଇ,
ଝଗଡା ଲାଗିବେ,
ବୁଢ଼ୀ ଆସିକି ଗରମ ଚା ଟିକେ ଦେବ,
ଝିଅ ମୁଣ୍ଡକୁ ପୋଛିଦେବ,
ପୁଅ ଟିକେ ଆଢୁଆଳ ହେଇ,
ବୁଢାକୁ ବିଡି ମାଗିବ,
ରାସ୍ତା ପଚାରିବ,
ଉପରକୁ ଅନେଇ,
ଧୂଆଁ ଛାଡିବ,
ଧୁଆଁ ଭିତରେ ଖୋଜିବ,
ତା ଭୁତ, ଭବିଷ୍ୟତ।
ଝିଅ ପଛ ପଟୁ ସବୁ ଦେଖିବ,
ଏ ପାଗଳଟାକୁ ଭରସାକରିବା,
ବଡ଼ ଗୋଟେ ମୂର୍ଖାମୀ ହେବ,
ରାଗ ରାଗରେ
ଢୋ କିନା ଗୋଟେ କାନ ମୁଳି କି ଦେବ,
ଭୁଲଗୁଡା ସବୁ ଜଳ ଜଳ କରି ଦେଖାଯିବ,
ଦାନବ ଭଳି ଦେଖାଯାଉଥିବା ବାପମା',
ଏଇନେ ସବୁଠୁ ଭଲ ଦେଖାଯିବେ,
ଚୁପଚାପ ଚାଲିଯିବ,
ଅଫେରା ବାଟ ରେ ଲେଉଟି,
ତା ପୁରାତନ ଜେଲକୁ,
ପୁଅ ସ୍ଥାଣୁ ହେଇ ସବୁ ଦେଖୁଥିବ,
ଆଉ ତା ପିଠିରେ ହାତ ଥାପୁଡି,
ବୁଢା ମୁରୁକି ହସିବ,
ଯେମିତି ଏ ସବୁରେ ସିଏ ଚିର ପରିଚିତ,
ନିଇତି ତା ପାଖରେ ଏଇ ସଉଦା ହେଉଛି,
ଆଉ ଆମେ ତାର ସବୁଦିନିଆ ଗରାଖ।
ଏମିତି କେତେ ଝିଅ ପୁଅ ଆସୁଥିବେ ନା,
କେତେ ଦିହ ନଗା ପ୍ରତିଶ୍ରୁତି ଏଇଠି ଭାଙ୍ଗୁଥିବ,
ପୁଅ ପୁଅ ଘରକୁ,
ଝିଅ ଝିଅ ଘରକୁ,
ବାଟ ଫେରେଇ ନଉଥିବେ,
ତୁ ମୁଁ ଏକା ନୁହେଁ,
ସଂସାରର ସବୁ ପ୍ରେମିକ, ପ୍ରେମିକା ଏମିତି,
ବାଟ ଚାଲୁଥିବୁ ତ ଚାଲୁଥିବୁ,
ରହିଲେ,
କିଛି କହି ହେବନି,
ରହିଯିବୁ କି ଆଉ ଆଗକୁ ଯିବୁ।
ହଉ ଛାଡ଼,
ତୁ ଫେରି ଯାଇଛୁ ଭଲ କରିଛୁ,
କାଇଁ ପାଗଳା ସାଙ୍ଗେ ରହି,
ପାଗଳା ହେଇଥାନ୍ତୁ,
କାଇଁ ଏମିତି ସୁନା ଗାଦିଏ,
ତୋ ଦିହରେ ଦେଇଥାନ୍ତି ମୁଁ,
ମାଟି ମାଟି ହେଇ ମାଟି ହେଇଥାନ୍ତୁ,
ଏବେ ତ ତୋତେ ଅନେଇ ହଉନି,
ଯାହାତ ସଫା ଥିଲୁ ଥିଲୁ,
ସୁନା ଗାଦିକ ଆହୁରି ଝଲସଉଛି,
ମଥା, ମୁହଁ, ବେକ, ବାହୁ, ହାତ, ଅଣ୍ଟା,
ସୁନାରେ ଭର୍ତ୍ତି,
ପାଦ ତୋର ମାର୍ବଲ ତଳକୁ ନାଗୁନି,
ମୋ ସାଙ୍ଗେ ଥିଲେ,
କୋଉ ଚାଳ ଘରେ ଗୋବର ନେସି ଥାନ୍ତୁ,
ପାଦ, ହାତ, ମୁହଁ ଗୋବର ମାଟି ହେଇଥାନ୍ତା,
ସୁନା ଛାଡ଼,
ମନଲାଖି ରୁପା ପାଉଁଜିଟେ ଦେଇପାରିନଥାନ୍ତି,
ସରୁଆ ଭାତ, ଖିରି, ମାଛ, ମାଂସ
କୋଉଠୁ ଆଣି ଥାନ୍ତି ??
ଭଲ କରିଛୁ ଫେରି ଯାଇଛୁ,
ଆଉରି ଆଗରୁ ଯଦି ବୁଝି ଥାନ୍ତୁ,
ବଦନାମରୁ ଟିକେ ବଞ୍ଚିଥାନ୍ତୁ,
ହଁ ମ,
କିଏ ଜାଣିଲା କି,
ମୁଁ ତ କୋଉଠି କହିନି,
ପିଲାଟାକୁତ କୋଉଠି ନେଇକି ପୋତି ଦେଲୁ,
ଡାକ୍ତର ପାଟିରେ ତୋ ବାପା ଗେଂଜିଦେଲା ଟଙ୍କା,
କାନକୁ ଦି' କାନ ହେଲାନି କଥା,
ଫୁସରୁ ଫାସୁରୁ ଯାହା ହେଉଥିଲେ,
ତୋ ଜମିଦାରୀ ବରକୁ ଦେଖି ସବୁ ଭେଲକା,
ତୋ ହାତ ତଳେ ତାଙ୍କ ଜୀବନ,
ସିଏ ଆଉ କଣ କହିବେ,
ଯାହା ହଉ ଭଲ କରିଛୁ।
କିନ୍ତୁ,
ମୁଁ ଶଳାଟି ଆଜିବି ବୁଝିଲିନି,
ଆଜି ବି ଫେରିକି ଆଉଛି,
ସେଇ ବୁଢା ଦୋକାନକୁ,
କାଳେ କାନ୍ଦି କାନ୍ଦି ଫେରିବୁ କି ତୁ,
ଛାତିରେ ନଗେଇ ପୁଣି ମେଞ୍ଚେ ସ୍ୱପ୍ନ ଦେଖେଇବୁ,
ପୁଣି ମୁଁ ଅଲରା ବାଳ, ଦାଢ଼ି କାଟି
ଛୋଟ ଘରଟେ ଖୋଜିବି,
ପୁଅ ହବ କି ଝିଅ ହେବ ଭାବିବି,
ସିଭିଲ ସର୍ଭିସ ମେଟେରିଆଲ କିଣି,
ପଢ଼ାଟେବୁଲରେ ବସିବି।
ହେଃ
ନା,
ତୁ ତୋର ଥା ସେଇଠି,
ଏଇ ବୁଢା ମୋତେ ଦେଖିଲାଣି,
ଏଇନେ ବିଡି ଖଣ୍ଡେ ନଗେଇ କି ଧରେଇଦେଵ,
ମୁଁ ପୁଣି ଉପରକୁ ଅନେଇ ଧୂଆଁ ଛାଡ଼ିବି,
ଜାଣିଛୁ
ଏବେ ଆଉରି ବେଶି ଜୋରରେ ଧୂଆଁ ଛାଡ଼ୁଛି,
ଆଉ କିଏ ମନାକଲା ବାଲା ଅଛିକି,
ପଛକୁ ଅନେବାକୁ ବି କେହି ନାଇଁ,
ଏବେ
ମୋ ମୁହଁ ଉପରେ ମେଞ୍ଚେ ଧୁଆଁ, ଆଉ ଅନ୍ଧାର
ଠିକ୍ ମୋ ଭବିଷ୍ୟତ ଭଳିଆ।