STORYMIRROR

Soubhagya Sahu

Others

3  

Soubhagya Sahu

Others

ବଡ଼ପୁଅ

ବଡ଼ପୁଅ

1 min
355


ବୋଉଲୋ,
ତୋ ବଡ଼ପୁଅର ବି ଇଚ୍ଛା ହୁଏ,
କାହାକୁ ଗୋଟେ ଗାଡି ପଛରେ ବସାନ୍ତା,
ପାର୍କ, ସିନେମା ଧରି ଟିକେ ବୁଲାନ୍ତା ,
ଚାଟ, ଗୁପଚୁପ, ଆଇସକ୍ରିମ ସେ ବି ଚାଖନ୍ତା।

ହେଲେ,
ପଛ ପକେଟର ସେ କାଗଜ ଗୁଡା ଅଣ୍ଡାଳିଲା ବେଳେ,
ମନେପଡେ,
ବାପାଙ୍କ ଡାଇବେଟିସ ମେଡିସିନ,
ତୋର ଧଇଁପେଲା ଶ୍ୱାସ,
ସାନଝିଅର ତିନି ଭରି ସୁନା,
ବାବୁର ନୂଆ ସାଇଲକେଲ, ଟିଉସନ ଫି,
ଆଉ ନିଜ ପାଇଁ ଦି ମୁଠା ଶୁଖିଲା ଭାତ।।

ବୋଉଲୋ,
ମୋର ବି ଇଚ୍ଛା ହୁଏ,
ତୋ ସାଙ୍ଗେ ହସି ହସି ଗୋଟେ ଭଲ ସେଲ୍ଫି ଉଠାନ୍ତି,
ତାକୁ ପୋଷ୍ଟ କରି, ତୋ ପାଇଁ ବହେ କବିତା ଲେଖନ୍ତି,
ଖାଲି ତାଙ୍କର ନୁହେଁ,
ମୋ ବୋଉ ବି ମୋତେ ଗେଲ୍ହା କରେ ବୋଲି ଦେଖାନ୍ତି।

ହେଲେ ପାରେନି,
ପାରେନି ତୋ କୋରଡପଶା ଆଖିରେ ଆଖି ମିଶେଇ,
କି
ପାରେନି ତୋ କଳାକାଠ ପଡିଥିବା ଦିହକୁ ଅନେଇ,
ଇଚ୍ଛା ଥିଲେ ବି,
କହିପାରେନି କେବେ ତୋତେ ପଦେ କଅଁଳିଆ କଥା,
ଢାଳିପାରେନି ତୋ କୋଳରେ ଛାତିଯାକ ବ୍ୟଥା।

କାହିଁକିନା 'ବଡ଼ପୁଅ' ମୁଁ ତୋର,
ଯାହାର ଛାତିଟା ପଥର,
ହାତଟା ମେସିନ,
ଆଉ ମନଟା,
ମନଟା ପୋଡା ଅଙ୍ଗାର ।।


Rate this content
Log in