ନଷ୍ଟ ନୀଡ଼ର କ୍ଳାନ୍ତ ପକ୍ଷୀ
ନଷ୍ଟ ନୀଡ଼ର କ୍ଳାନ୍ତ ପକ୍ଷୀ
ନଷ୍ଟ ନୀଡ଼ର କ୍ଳାନ୍ତ ପକ୍ଷୀଟେ ମୁଁ
ପଥ ପ୍ରାନ୍ତେ ବସି ଭାବୁଛି
ମୋ ସପନେ ସବୁ ଡେଣା ଲାଗିଅଛି
ମୋ ଡେଣା ଅବଶ ହୋଇଛି ।
ନୀଡ଼ ମୋ ଭିଜୁଛି ବାଆ ବତାସରେ
କରେ ଅଶ୍ରୁ ଅଭିଷେକ
ପାରିଲା ପଣିଆ ବୟସ ନେଇଛି
ହୋଇଛି ମୁଁ ଅପାରଗ ।
ନିସ୍ତବ୍ଧ ବେଦନା ବିଚ଼ଳିତ କରେ ଅନ୍ତର୍ଦାହେ ମନ ଜଳେ
ଅସହାୟତାର କବଳରେ ପଡ଼ି
ବିବସ ପାଦଟା ଚାଲେ ।
ମୋ ନଷ୍ଟ ନୀଡ଼ରୁ ବେଦନା ପିଞ୍ଜରୁ
ଯେବେ ମୁଁ ବାହାରି ଆସେ
ଦେଖଇ ମୋ ଭଳି ଅନେକ ଚ଼େହେରା
ମନଟା ଟିକେ ଉଶ୍ୱାସେ ।
ନଷ୍ଟ ନୀଡ଼ର କ୍ଳାନ୍ତ ପକ୍ଷୀଟେ ମୁଁ
ବେଦନା ମନ୍ଦିରେ ଯାଏ
ଯେଉଁଠି ମୋ ଭଳି ଅନେକଙ୍କୁ ଦେଖି
ବେଦନାକୁ ବାଣ୍ଟି ଦିଏ ।
ନୂଆ ନୀଡ଼େ ଦେଖେ ଶାବକ ନଥାନ୍ତି
ସବୁ କ୍ଳାନ୍ତ ଶ୍ରାନ୍ତ ମୁହଁ
ଅତୀତ ହଜାଇ ବର୍ତ୍ତମାନେ ବଞ୍ଚେ
ସିଏ ମୋ ଶାନ୍ତି ନିଳୟ |
ସେ ଶାନ୍ତି ନିଳୟେ ନିଜକୁ ଖୋଜେ ମୁଁ
ଖୋଜିପାଏ ସମ୍ଭାବନା
ନିଜେ ଖୁସୀ ହୋଇ ଖୁସୀ ବାଣ୍ଟିବାକୁ
ମନ ହୁଏ ଆନମନା ।
ଆପଣା ନୀଡ଼ର ବାହାରେ ବି ଅଛି
ବଂଚିବାର ବହୁ ରାହା
ନଷ୍ଟ ନୀଡ଼େ ବସି ଜୀବନକୁ କାହିଁ
କରିଦେବି ଅବା ସ୍ଵାହା ।
ନଷ୍ଟ ନୀଡ଼ର କ୍ଳାନ୍ତ ପକ୍ଷୀଟିର
ବେଦନା ମନ୍ଦିର ହୁଏ
ଜୀଇଁ ଜୀଆଁଇବା ହସି ହସାଇବା
ମନ୍ତ୍ରରେ ଦୀକ୍ଷିତ ହୁଏ ।
ନଷ୍ଟ ନୀଡୁ ଆସି ବେଦନା ମନ୍ଦିରେ
ପ୍ରଭୁଙ୍କୁ ସ୍ଥାପନା କରେ
ଜରାଶ୍ରମ ବୋଲି ସମସ୍ତେ କୁହନ୍ତି
ମୁଁ କିନ୍ତୁ ଶାନ୍ତି ନିଳୟେ |
ସପନ ନାହିଁ କି ଆଶା ନାହିଁ ଏଠି
ନାହିଁ ତ ଦୁଃଖ ଦହନ
ନଷ୍ଟ ନୀଡ଼ର କ୍ଳାନ୍ତ ପକ୍ଷୀ ଆଜି
ହୋଇଅଛି ମୋହ ଶୂନ୍ୟ ।
