ନର୍କକୀଟ କ୍ରମଶଃ କ୍ରମଶଃ
ନର୍କକୀଟ କ୍ରମଶଃ କ୍ରମଶଃ
ଦଶମାସ ଦଶଦିନ ସଞ୍ଚରି ଗରଭେ
ଭୂମିକୁ ଛୁଇଁବା ପରେ
ଶୁଭିଥାଏ କୁଆଁକୁଆଁ ରାବ
ଷଠିମାତା ସେକିସାକି କପାଳରେ
କାଟିଦିଏ ଗାର
ଷୋଳପୂଜା ଏକୋଇଶା ଗଣିଗୁନ୍ଥି
ତିଥିବାର ରାଶି ଓ ନକ୍ଷତ୍ର
ଦିଆଯାଏ ଶିଶୁଟିର ନାଁ ।
ମାତାପିତା ପାଳିପୋଷି ଆଦର ଯତନେ
ଶିଶୁଟିକୁ କରିଥାନ୍ତି ବୋଧ
ଅତିକ୍ରାନ୍ତେ ଚପଳ କୈଶୋର
ଭରିଯାଏ ଯୌବନର ଉଦ୍ଦାମତା
କାମିନୀର ଅଙ୍ଗସଙ୍ଗ
ସପନ ବିଭୋର ପ୍ରାଣ ହୋଇ ଆନମନା
ଖୋଜିଥାଏ ପ୍ରେମ ଆତ୍ମୀୟତା ।
ବଢେ ଲୋଭ ଦେହସୁଖ ମାୟାମୋହ
ପ୍ରତିସ୍ପର୍ଦ୍ଧା ଅର୍ଥ ଓ କ୍ଷମତା ଲିପ୍ସା
ମଣିଷକୁ କରିଦିଏ ଅନ୍ଧ
ଆପଣାକୁ ମଣି ନିଜେ ବଳବାନ ଶ୍ରେଷ୍ଠ
ଜଗତକୁ ଭାବେ ନୀଚ୍ଚ ତୁଚ୍ଛ
ଅଜ୍ଞାନ ତିମିର ଘୋର
ଗ୍ରାସିଯାଏ ଜୀବନକୁ କ୍ରମଶଃ କ୍ରମଶଃ ।
ପୁରୁଷାର୍ଥ ପରମାର୍ଥ ଆଲୋକିତ ମାର୍ଗସବୁ
ପ୍ରମାଦରେ ପରିପୂର୍ଣ୍ଣ ଅବା ଅବରୁଦ୍ଧ
ଜଞ୍ଜାଳଗ୍ରସ୍ତ ଜୀବନେ ଖାଲି ହାହୁତାଶ
ମୂୂଲ୍ଯବୋଧହୀନ ନିମିତ୍ତ ମାତ୍ର ମଣିଷ
ମୋକ୍ଷ ପଥୁ ହେଉଛି ବିଚ୍ଯୁତ
ପାଲଟୁୁଛି ନର୍କକୀଟ ଯନ୍ତ୍ର କ୍ରୀତଦାସ ।।
