ନିୟତି
ନିୟତି
ମୋ ପାଇଁ କାହିଁକି ଯେ
ତୁମେ ନୀଳ ସମୁଦ୍ରଟେ ପରି ,
ଯେବେ ଥିଲି ... ଯାହାବି ଥିଲି
କିନ୍ତୁ ବଞ୍ଚିଥିଲି
କୂଳରେ ହିଁ ବସିଥିଲି ,
ତୁମେ ଆକଟ କରୁଥିଲ
କେଜାଣି କାହିଁକି...
ମୁଁ ତ ଚାହୁଁଥିଲି
ପହଁରିବା ପାଇଁ ...
ପୁଣି ପହଁରି ପହଁରି
ବୁଡିଯିବା ପାଇଁ ତୁମରି ଭିତରେ ।
କିନ୍ତୁ ମୋର ଭାବନାରେ
ଏତେ ବଡ଼ ବଡ଼ ଜୁଆର
ତୁମ ଆକଟ ହିଁ ଥିଲା ।
ତେବେ କାହିଁକି...ଜୁଆର ମାନେ
କ୍ଷୀପ୍ର ହରା ହୋଇ
ସ୍ପର୍ଶ କରୁଥିଲେ
ମୋର ଦୁଇଟି ପାଦକୁ
ନା ... ନା... ଏଇ ହୃଦୟକୁ ।
ଦେଖୁଛ...ଦେଖି ପାରୁଛ
ଏ ମର ଶରୀରକୁ
ତୁମ କୂଳରୁ ଅନେକ ଦୂର
ମାଟିରେ ମିଶିବା ପାଇଁ ଚାହୁଁଚି
ପୁଣି ତୁମ ନୀଳ ତରଙ୍ଗେ
ବୁଡି ଯିବାକୁ ଚାହୁଁଛି
ହେଲେ ଶୁଖିଲା କାଠ ଗଣ୍ଡିଟେ ମୁଁ
ମଝିରେ ଭାସୁଛି ।
କିନ୍ତୁ କି ବିଡ଼ମ୍ବନା ନା
ବଞ୍ଚିଥିଲି ... ଚାହୁଁଥିଲି...
ସେ ସମୁଦ୍ରରେ ପହଁରି ପହଁରି
ବୁଡିଯିବା ପାଇଁ
ସବୁ ଦିନ କୂଳେ ରହିଗଲି ।
ହେଲେ ଆଜି ... ମରି ଯାଇ
ଚାହୁଁଛି ମୁଁ ବୁଡିବାକୁ
ଦେଖ ଦେଖ
ନ ପହଁରି... କେମିତି ମୁଁ...
ଏ ସମୁଦ୍ରେ ଭାସିଗଲି ।