ନିଶା ବୃକ୍ଷ
ନିଶା ବୃକ୍ଷ
ବିଶ୍ଵ ଚରାଚର ପାଇଁ ଜଗତର ନାଥ
ମାନସେ ଚିନ୍ତିଲେ ବସି ପ୍ରାଣୀ ଏକ ରଥ ।
ଆଜ୍ଞା ପାଳି ଚଳୁଥିବ ମୋହ ମାୟା ଧରି
ତହିଁରେ କିଏ ସେ ଦୁଷ୍ଟ କହିବା ବିଚାରି ।
ସମ୍ମୁଖେ ରଖିଲେ ସ୍ବର୍ଣ୍ଣ , ନାରୀ ଆଉ ନିଶା
ପରୀକ୍ଷା ନିମନ୍ତେ ପ୍ରଭୁ କଲେ ଲୋକହସା ।
ରୁଦ୍ରାକ୍ଷ ମାଳାକୁ ନେଇ କିଛି ଦୂରେ ରଖି
ଅନ୍ତରାଳେ ଭକତକୁ ନେଲେ ସେ ପରଖି ।
ଦିବା ରାତ ଆତଯାତ ବହେ ଜନସ୍ରୋତ
ନିଜ ଇଚ୍ଛା ମତେ ଜନେ କଲେ ଦୃଷ୍ଟିପାତ ।
ଅତ୍ୟନ୍ତ ଦରିଦ୍ର ବୃଦ୍ଧ ରୁଦ୍ରାକ୍ଷକୁ ଧରି
ପ୍ରଭୁ ନାମ ଆନନ୍ଦରେ ହେଉ ଥାଏ ସ୍ମରି ।
ମଣି କାଞ୍ଚନ ମଣ୍ଡିତ ସେ ପଥେ ପଥିକ
ସ୍ଵର୍ଣ୍ଣ ,ନାରୀ ,ନିଶା ସବୁ ସାଜିଲା ମୋଦକ ।
ପହିଲେ ନିଶାକୁ ପାନ କରେ ଆନନ୍ଦରେ
ସ୍ବର୍ଣ୍ଣ ଅଳଙ୍କାରମାନ ଭରିଲା ମୁଣିରେ ।
ନିଶା ରୂପେ ଥିଲା ଏକ ଖଣ୍ଡେ ସାଗାରେଟ୍
ଅଗ୍ନି ସଂଯୋଗିଣ ଟାଣି ନିଏ ଫଟାଫଟ୍ ।
କାମାକ୍ତ ପୁରୁଷ କିବା ବୁଝେ ଭଲ ମନ୍ଦ
ପରିଣାମ ବୃକ୍ଷରୁ କି ଝରେ ମକରନ୍ଦ ?
ନାରୀ ଗର୍ଭେ ଅଙ୍କୁରିତ ବୀଜ ଯେ ବିଷାକ୍ତ
ବିକଳାଙ୍ଗ ରୂପ ନିଏ ମନ ସନ୍ତାପିତ ।
ସିଗାରେଟ୍ ଧୁମ୍ର ଶିଖା ଯେସନେ କୁଣ୍ଡଳୀ
ଭବିଷ୍ୟ ଅନ୍ଧାର କରି ଦେଉ ଥାଏ ଗିଳି ।
