ନିର୍ଲିପ୍ତ ନିର୍ବାଣ
ନିର୍ଲିପ୍ତ ନିର୍ବାଣ
ତୁମେ କାହାପାଇଁ ପ୍ରଣୟିନୀ ସତ
ମୋ' ପାଇଁ ପ୍ରଣୟ
ଜଳଧାର ।
ତୁମେ କାହାପାଇଁ ଈର୍ଷା ଇନ୍ଦୁମତି
ମୋ' କୋଳ କାହାଣୀ
ରତ୍ନହାର ।
କେତେବେଳେ ତୁମେ ଲୁହଝର ହୋଇ
ଧାର ଧାର ହୋଇ
ଯାଅ ବହି ।
ପୁଣି କେତେବେଳେ ବହିଯାଅ ସିନା
ବିରହ ବେଦନା
ଯାଅ ଦେଇ ।
ବେଳେବେଳେ ତୁମେ ଆନନ୍ଦାଶ୍ରୁ ହୋଇ
ଖୁସିରେ ଖୁସିରେ
ଖସିଯାଅ ।
ପୁଣି କେତେବେଳେ ଦୁଃଖର ଢେଉରେ
ଲୁଚି ଲୁଚି ତୁମେ
ହସୁଥାଅ ।
ହସରେ ତୁମରି ଅମାପ ଆଶ୍ୱସ୍ତି
ଆଶ୍ୱସ୍ତ ଆଶ୍ୱସ୍ତ
ଅଳ୍ପ ଅଳ୍ପ ।
ଦୁଃଖ ତ ତୁମରି ଅକୁହା ଅଲିଭା
ଦେଇଯାଏ ମୋତେ
ଗଳ୍ପ କଳ୍ପ ।
ଲୁହ ଝର ହୋଇ ପ୍ରଣୟିନୀ ପରି
ସୁଖରେ ଦୁଃଖରେ
ସାଥି ହୁଅ ।
ନିନ୍ଦା ବି ତୁମର ପ୍ରଶଂସା ତୁମର
ନୀରବ ନିଆଁରେ
ଜଳୁଥାଅ ।
ଦୁଇ ବିନ୍ଦୁ ମାତ୍ର ତଥାପି ଅଜସ୍ର
ତୁମରି ତର୍ପଣ
ମହା ଯାତ୍ରା ।
ନୀରବେ ନୀରବେ ଦେଇଯାଅ ତୁମେ
ନିର୍ଲିପ୍ତ ନିର୍ବାଣ
ସୂକ୍ଷ୍ମ ମାତ୍ରା ।