ବଡ ଠାକୁର
ବଡ ଠାକୁର
କୁହ ହେ ଆମର ବଡ଼ ଠାକୁର
କାହିଁକି କରିଲ ସର୍ବେ ଅଧୀର।
ଆଡପ ପହଣ୍ଡି କରିବା ପାଇଁ
ତାଳଧ୍ଵଜ ରଥୁ ଥିଲ ଓହ୍ଲାଇ ।
ଚାରମାଳେ ଝୁଣ୍ଟି ପଡ଼ିଲ ଖସି
ସେବାୟତ ସବୁ କରିଲ ଦୋଷୀ ।
ସଂସାରେ ଧରିଛ ଆମର ରସି
ସେବାୟତ ପରେ ଗଲକି ଋଷି ।
ସେସନାଗ ରୂପ ସତ୍ୟରେ ନେଇ
ଅନନ୍ତ ଶଯ୍ୟାରେ କୋଳେ ଶୁଆଇ ।
ପ୍ରଭୁ ବିଷ୍ଣୁ ଥିଲେ ଭାରି ବିଭ୍ରାନ୍ତ
ଦେଖିଣ ସଂସାର ସେ ଭାରାକ୍ରାନ୍ତ ।
ଦ୍ୱାପର ଯୁଗରେ ଫଣାକୁ ଟେକି
ବାସୁଦେବ ମୁଣ୍ଡେ ପ୍ରଭୁଙ୍କୁ ଢାଙ୍କି ।
କାହ୍ନାକୁ କରିଲେ ଯମୁନା ପାର
କଂସର ଦାଉରୁ କଲେ ଉଦ୍ଧାର ।
ତ୍ରେତୟା ଯୁଗରେ ଅଖିଆ ରହି
ଚଉଦ ବରଷ ଥିଲତ ଚାହିଁ ।
ଶ୍ରୀରାମ ଭ୍ରାତାଙ୍କୁ ଜଗିଲ ରହି
ଲକ୍ଷ୍ମଣ ରୂପକୁ ଥିଲତ ବହି ।
ଜଗା ଓ ବଳିଆ ରୂପେ ନାଚୁଛ
ଗୋପବାସୀ ପରି ଭକ୍ତେ ଦେଖୁଛ ।
କଳିଯୁଗେ ପ୍ରଭୁ କରୁଛ ନାଟ
କାହିଁକି କରୁଛ ଏତେ ବିଭ୍ରାଟ ।
ତୁମରି ଆଜ୍ଞାରେ ଚାଲଇ ରଥ
ସେବା ସେବାୟତ ତୁଚ୍ଛା ଭକତ ।
ତୁମେ ମହାମେରୁ ଆପେ ଝୁଣ୍ଟୁଛ
ଆମେ ଦୋଷ ଦେଇ ସତେ ହସୁଛ ।
କ୍ଷମା କର ପ୍ରଭୁ ଆମର ଦୋଷ
ସଂସାରକୁ ରଖ ଚିର ହରଷ ।
ଗୀତରେ ଲେଖିଲି ଶୁଣି ଘଟଣା
ତୁମର ପ୍ରେମରେ ଗୋବିନ୍ଦ ବଣା ।
