STORYMIRROR

Chaturbhuja Sahoo

Romance Tragedy

4  

Chaturbhuja Sahoo

Romance Tragedy

ପ୍ରତାରଣା ଗୀତ ଗାଇ

ପ୍ରତାରଣା ଗୀତ ଗାଇ

1 min
244


          

ତମେ ନୀଳ ସାଗରର ଫେନାୟିତ ଢେଉ ତରଙ୍ଗାୟିତ ଉର୍ମି,ମୁଁ ସେହି ଅଲୋଡା ସାଗର ବେଳାର ଶାମୁକା ରହିଛି ଭ୍ରମି,କେତେ ଯେ ସପନ କେତେ ଯେ ଭାବନା 

ଉର୍ମି ଗୋ' ନିଅ ଚୁମ୍ମି ।


ପାଏନା ମୁଁ କୁଳ କିନାରା ସଜନୀ 

 ତମ' ପ୍ରତୀକ୍ଷାର ବେଳା

ବାଲୁକା ବଳୟେ ଏକା ଏକା ମୋର 

ଅଶାନ୍ତ ଢେ଼ଉରେ ଖେଳା 

ଅନେକ ଭେଟିଛି ତମକୁ ଗୋ' ଉର୍ମି

ସହିଛି କାମନା ଜ୍ଵାଳା ।


ଦେଖାହୁଏ ସିନା ପାରେନାହିଁ କହି 

ଛାତି ତଳ ମନକଥା

କେତେଯେ ଭାବନା କରେ ଆନମନା

ହୃଦୟରେ କେଦେ ବ୍ଯଥା 

ବୁଝି ବି ଅବୁଝା ତମେ ଗୋ ସଜନୀ

କରନାହିଁ ତିଳେ ଚିନ୍ତା ।


ହସି ହସି ଆସି କଡ଼ ଲେଉଟାଇ 

ବେଳାପରେ ମଥାପିଟି

ଫେରିଯାଅ ତମ ବାରଂବାର ସଖି

ଫେନାୟିତ କୁଳ ଛାଟି 

ଆଡ ଆଖିରେ ତ ଦେଖନା ଥରୁଟେ

ଶାମୁକା ର କେଉଁ ତ୍ରୁଟି ।


ଭଲ ମୁଁ ପାଉଛି ଭଲ ପାଉଥିବି 

ଜୀବନ ତମାମ ଉର୍ମି

ତୁମରି ସ୍ପର୍ଶର ରାଗ ଅନୁରାଗେ

ଆବେଗର ଅନୁଗାମୀ

ତମ ଅଜଣାତେ ତମକୁ ସଜନୀ 

କରିଛି ଜୀବନେ ସଙ୍ଗୀ ‌।


ଚଞ୍ଚଳା ତମେ ଚପଳାମତୀ ଗୋ

କଲେ କର ତିରସ୍କାର

ଅଶାନ୍ତ ତୁମରି ବେଳାଭୂମି ପରେ 

ପ୍ରେମିକ ମୁଁ ଯାଯାବର

ତୁମରି ଛୁଆଁରେ ମରିବାକୁ ସଖି

ତୋଳେ ବାଲିର କବର ।


କେବେ ଯଦି କେହି ପ୍ରେମିକ ପ୍ରେମିକା 

ବେଳାଭୂମି ପରେ ଆସି 

ତୋଳିବେ ନଅର ପ୍ରୀତି ପ୍ରଣୟର 

ବାଲିଖେଳେ ହସିହସି 

ମଲା ଶାମୁକା ମୁଁ ଶୋଇଯିବି ତହିଁ 

ତୁମରି ପ୍ରେମରେ ଝାସି ।


ପ୍ରେମିକ ଟେ କେହି ନିଶ୍ଚେ କହିବ 

ଦେଖ ଦେଖ ଏ ଶାମୁକା 

ଚିର ନିଦ୍ରାରେ ଶୋଇଛି ଏକଲା 

ଉର୍ମିର ତ ନାହିଁ ଦେଖା 

ଅଜବ ଏ ପ୍ରେମ ଆଗୋ ପ୍ରାଣସହୀ 

ଦେବନି ଜୀବନେ ଧୋକା ।


ଫାଜିଲ ଓଠର ଚେନାଏ ହସରେ 

ପାଇଯିବି ଜୀବନ୍ୟାସ

ଜୀବନ ତମାମ ପ୍ରତୀକ୍ଷାର ମୋର 

ସେଦିନ ହୋଇବ ଶେଷ 

ଫେନାୟିତ ତମ ପ୍ରୀତିର କବରୀ

କଲେ କରୁ ଉପହାସ । 


ବେଳାଭୂମି ସହ ସମ୍ପର୍କ ତୁମରି

ଏମିତି ଅତୁଟ ଥାଉ,

ତୁମରି ମିଳନ ପ୍ରତି ମୁହୂର୍ତ୍ତରେ

ମୂର୍ଚ୍ଛନା ଭରି ଦେଉ 

ତୁମରି ପ୍ରେମରେ ଦେବଦାସ୍ ମୁଁ

ଏ ଜୀବନ ହଜିଯାଉ ।


ଶାମୁକାର ପ୍ରେମ ଚିର ଶାଶ୍ବତ

ଉର୍ମି ନ ବୁଝିଲେ ନାହିଁ

ଅନୁଭବ ଆଉ ଅନୁରାଗେ ମୋର 

ଜୀବନ ମାରୁଛି ହାଇ

ପ୍ରେମୀ ଯୁଗଳଙ୍କ ଫାଜିଲ ହସରେ 

ପ୍ରତାରଣା ଗୀତ ଗାଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance