ବନ ବିଦ୍ୟାଳୟ ଗୁମୁରି କାନ୍ଦୁଛି
ବନ ବିଦ୍ୟାଳୟ ଗୁମୁରି କାନ୍ଦୁଛି
ବନ ବିଦ୍ୟାଳୟ ଗୁମୁରି କାନ୍ଦୁଛି
ବାଲି ସିମେଣ୍ଟର ଘର କୋଣରେ
ବକୁଳ ବନର ମାଧୁରିମା ଖୋଜେ
ଗରମ ଛାତରୁ ତାପ ସଂଚ଼ରେ ।
ବନ ବିଦ୍ୟାଳୟ ଗୁମୁରି କାନ୍ଦୁଛି
ତା ଚାରିପାଖରେ ସ୍ଵାର୍ଥ ଲଢ଼େଇ
କାହିଁ ଗୋପବନ୍ଧୁ , କାହାନ୍ତି ଆଚାର୍ଯ୍ୟେ
କାହିଁ ନୀଳକଣ୍ଠ ଜ୍ଞାନର ମୋତି ।
ବନ ବିଦ୍ୟାଳୟ ଗୁମୁରି କାନ୍ଦୁଛି
ଧୂଳି ଝଡ଼େ ତାର ଶ୍ଵାସ ଯେ ରୁଦ୍ଧ
ସାହିତ୍ୟ ର ଚ଼ର୍ଚ୍ଚା, ଭାଷାର ବିକାଶ
କଥା କାହିଁପାଇଁ ହେଉନି ସିଦ୍ଧ ।
ବନ ବିଦ୍ୟାଳୟ ଗୁମୁରି କାନ୍ଦୁଛି
ସ୍ବପ୍ନ ସଉଧର ସମାଧୀ ପୀଠେ
ଭାଷା ସୁରକ୍ଷାର ମର୍ମବାଣୀ ହଜେ
ଲକ୍ଷ୍ୟ ତାର ଆଜି ମାଟି ସାଉଁଟେ ।
ବନ ବିଦ୍ୟାଳୟ ଗୁମୁରି କାନ୍ଦୁଛି
ପୁସ୍ତକ ପୃଷ୍ଠାର ବନ୍ଦ ମଲାଟେ
ନମ୍ବର ଦୌଡ଼ରେ ଧଇଁ ସଇଁ ସିଏ
ସଂସ୍କାର ଶିକ୍ଷା ତା ମଲା ସ୍ୱପ୍ନଟେ |
ବନ ବିଦ୍ୟାଳୟ ଗୁମୁରି କାନ୍ଦୁଛି
ଗୁରୁ-ଶିଷ୍ୟଙ୍କର ସମ୍ପର୍କ ପୀଠେ
ମୁଖସ୍ଥ ପାଠରେ ଘାଣ୍ଟି ହେଉଅଛି
ମନସ୍ଥତା ଆଜି ଦିଗ ହଜାଏ ।
ବନ ବିଦ୍ୟାଳୟ ଗୁମୁରି କାନ୍ଦୁଛି
ସ୍ମୃତି ସାଉଁଟୁଛି ନିରବେ ବସି
ସଂସ୍କାର ଶିକ୍ଷାର ଚୌହଦୀ ଟା ଖାଲି
ଆଖିରୁ ପଡୁଛି ଲୋତକ ଖସି ।
ବନ ବିଦ୍ୟାଳୟ ଗୁମୁରି କାନ୍ଦୁଛି
ପ୍ରକୃତି ପାଚେରୀ ଭାଙ୍ଗି ଯାଇଛି
ମନୋମୁଗ୍ଧତାରେ ଚ଼ିତ୍ତ ଭରୁନାହିଁ
ବିପ୍ଲବର କଥା କିଏ ଭାବୁଛି ।
ବନ ବିଦ୍ୟାଳୟ ଗୁମୁରି କାନ୍ଦୁଛି
ଗୁଣ ଗାରିମା ତା ସ୍ମୃତି ଅକ୍ଷରେ
ଆଚ଼ାର୍ଯ୍ୟେ ନାହାନ୍ତି ପଣ୍ଡିତେ ନାହାନ୍ତି
ନାହାନ୍ତି ବି ନୀଳକଣ୍ଠ ମାଷ୍ଟ୍ରେ ।
ବନ ବିଦ୍ୟାଳୟ ଅନ୍ଧାର ପହଁରେ
ଖୋଜୁ ଅଛି ତାର ଗୁଣ ଗାରିମା
ସ୍ମୃତି ଫରୁଆକୁ ଖୋଲି ଦେଖୁଅଛି
କହିବାକୁ ଚାହେଁ ମୂଳ ମହିମା ।
ସ୍ମୃତି ଫରୁଆରେ ଦେଖୁଅଛି ସିଏ
ତ୍ୟାଗୀ ଗୋପବନ୍ଧୁ ନିଃସ୍ଵାର୍ଥୀ ଗୁରୁ
ପଣ୍ଡିତେ ନାହାନ୍ତି ଜ୍ଞାନୀ କୃପାସିନ୍ଧୁ
ବାଗ୍ନୀ ମନିଷୀଙ୍କ ମହିମା ଗରୁ ।
ସ୍ମୃତି ଫରୁଆରେ ବନ୍ଦ ହୋଇଅଛି
ଗୁରୁ ଆଶ୍ରମର ଆଦର୍ଶ ରାଜି
ବନ ବିଦ୍ୟାଳୟ ଗୁମୁରି କାନ୍ଦୁଛି
ମାନବୀୟ ଗୁଣ ଖୋଜୁଛି ଆଜି |
ବନ ବିଦ୍ୟାଳୟ ଖୋଜୁଅଛି ଆଜି
ସବିନୟ ପ୍ରଶ୍ନ ଛାତ୍ର ଗଣଙ୍କ
ସମାଧାନ ପାଇଁ ପ୍ରଯତ୍ନଶୀଳତା
ଖୋଜୁଅଛି ଆଜି ହୋଇ ସେ ରଙ୍କ l
ବନ ବିଦ୍ୟାଳୟ ଅଳି କରୁଅଛି
ଇଷ୍ଟଙ୍କୁ ଶିଷ୍ଟରେ ହୋଇ ନିଊନ
ମଣିଷ ତିଆରି କାରଖାନା ହେଉ
ଉଜ୍ଜୀବିତ ହେଉ ଶିକ୍ଷାନୁଷ୍ଠାନ ।
