STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ମା' ଏବେ ବି ମହିଷା‌ ବଞ୍ଚିଛି

ମା' ଏବେ ବି ମହିଷା‌ ବଞ୍ଚିଛି

1 min
402


କୁହ ମାଆ ଦୁର୍ଗା କେଉଁ ମହିଷା

   ବଧିଲ‌ ସତ୍ୟ ଯୁଗେ,

ଏତେ ମହିଷା କେଉଁଠୁ କୁହ

   ଆସିଲେ କଳିଯୁଗେ‌?  

ଏବେ ମହିଷା ବଞ୍ଚିଛି ମାଆ

   ମାତୁଛି‌ ସବୁଠାରେ‌,

ନିଶ ଫୁଲାଇ ବାହୁ ହଲାଇ

   ହସୁଛି‌ ବିକଟାଳେ‌।

ତ୍ରିପୁରେ ରଖାଇ‌ ଦେବନାହିଁ 

   କରିଅଛି ବି ପଣ,

ଚଖେଇ ଦେବନାହିଁ ଅମୃତ

   କରୁଅଛି ବି ଟାଣ।

ପାନ କରୁଛି ମଣିଷ ରକ୍ତ

   ଖାଏ ମଣିଷ ମାଂସ,

ଅନେକ ଝିଅ ବୋହୂଙ୍କ ଠାରୁ

   ଛଡାଏ‌ ଅଙ୍ଗବାସ।

ଦୁର୍ନୀତି ବ୍ୟଭିଚାର ଏ ଦୁହେଁ

   ଶୁମ୍ଭ‌ ନିଶୁମ୍ଭ ତାର,

ଅସତ୍ୟ ସେନା ଅନେକ ଧରି

   କରେ ସେ ଅତ୍ୟାଚାର।

କେଉଁଠି ଆଜି ମଣିଷ ଶାନ୍ତି

   ପାଏନା ଜୀବନରେ,

ଯେଉଁଠି ଗଲେ ମହିଷା‌ ଦଳ

   ଆଖିରେ କିନ୍ତୁ ପଡ଼େ।

ନାହିଁ ବିଶ୍ଵାସ ସ୍ନେହ ପରଶ

   ସବୁଠିଁ ମାୟା ଜାଲ,

ବିଚ୍ଛେଇ ଦେଇ ମହିଷାସୁର

   କରୁଛି କଲବଲ।

ଅସତ୍ୟ କାୟା ମେଲି ଦେଇଛି

   ପଲ୍ଲୀଠୁଁ‌ ଦିଲ୍ଲୀ ଯାଏ,

ଇନ୍ଦ୍ର ଆସନ ଛଡ଼େଇ ନେଇ

   ଛାତି ଫୁଲାଉଥାଏ‌।

ଟଙ୍କା ସର୍ବସ୍ବ ତାହାର ଲକ୍ଷ୍ୟ

   ଧରି ଅନୀତି ଅସ୍ତ୍ର,

ଅସୁର ପଣେ ନର ସଂହାରେ

   ଊଣାହେଲେ‌ ତା'ସ୍ଵାର୍ଥ‌।

ଯେତେ ଦିନ ଏ ସ୍ଵାର୍ଥ ମହିଷା‌

   ବଧ କରିନୁ ମାଆ,

ସେଦିନ ଯାଏ ଭାବିବୁ‌ ମାଲୋ‌

   କରିନୁ ତୁହି ଦୟା।

ତୋ' ଦଶହରା ଯେ ଦିଗହରା

   ସ୍ଵନେତ୍ରେ‌ ଦେଖ ପରା,

ତୋର ବିଦାୟ ମେଲାଣି ବେଳେ

   ଚାଲେ‌ ଭସାଣି ଲୀଳା।

ମଦ ମାଉଁସ ଖାଇ ରାକ୍ଷସ

   କରି ଭେଙ୍ଗେଣା‌ ନାଚ,

ଡିଜେ‌ ବଜେଇ ତାମସପଣେ‌

   ହୋଇ ଉତ୍ସୃଙ୍ଖଳିତ‌।

ପ୍ରତିଯୋଗିତା ଚାଲିଛି ମାଆ

   ଅର୍ଥର ଆକଳନେ‌,

ଭାବ ଭକତି ନିଲାମ ହୁଏ

   ଆତ୍ମ ବଡିମା‌ ପଣେ।

ଆଉ ଥରେ ମା' ଆ' ଓହ୍ଲେଇ

   ସ୍ଵଦେହେ ମର୍ତ୍ତ୍ଯପୁରେ,

'ମୁଁ' ରୂପକ ମହିଷା ବଧ

   କର ହେ ତ୍ରିଶୂଳରେ‌।

ଶରତେ‌ ମର୍ତ୍ତ୍ଯ ଯେ ମୁଖରିତ

   ପାର୍ବଣମୟ ହେଉ,

କର ସୁଦୟା‌ ମା' ଯୋଗମାୟା

   ତୋର ମହିମା ରହୁ।


Rate this content
Log in

Similar oriya poem from Tragedy