କ୍ରମଶଃ ଅଜଗର
କ୍ରମଶଃ ଅଜଗର
ରାତ୍ରୀ କଳା ଆକାଶରେ ମିଞ୍ଜି ମିଞ୍ଜି ଜଳେ ତାରା
ଶୁକ୍ଳ ପକ୍ଷେ ଘଡି ମାରି ଉଙ୍କିମାରେ ଜହ୍ନ,
ପୃଥିବୀର ଅନ୍ଧକାର କରେ ନାହିଁ ଦୂରିଭୁତ
ସହସ୍ରାକ୍ଷ ନିଶୀଥରେ ଦୀପ ପ୍ରଜ୍ବଳନ ।
ନିମିଷକେ ଭ୍ରମିପାରେ ସହସ୍ର ଯୋଜନ ମନ
ବକ୍ଷ ସ୍ଥଳେ ରହିଥାଏ ହୃଦୟ ନିଶ୍ଚଳ ,
ଭାଙ୍ଗିପଡ଼େ ସ୍ଥିତପ୍ରଜ୍ଞ ସୁରକ୍ଷ ମଣିଷ ହୃଦ
ଜୀବନରେ ପ୍ରେମପ୍ରୀତି ହୋଇଲେ ବିଫଳ ।
ଆଧୁନିକ ଉଚ୍ଚ ଶିକ୍ଷା ପଦପଦବୀର ନିଶା
ବହୁବିଧ ବିକାଶର ଲୋଭ ଅସରନ୍ତି ,
ମାନବୀୟ ମୂଲ୍ୟବୋଧ କୁଳଧର୍ମ କରେ ନାଶ
ଗ୍ରାସି ଚାଲେ ରାହୁକେତୁ ସଂସ୍କୃତି ପ୍ରକୃତି ।
ବୃଦ୍ଧିପାଏ ଦୁରାଚାର ହିଂସା ଅସତ୍ଯ ଅନ୍ଯାୟ
ହରାଇ ମଣିଷ ଜ୍ଞାନ ବୁଦ୍ଧି ଓ ବିବେକ ,
ହେଉଛି ବ୍ଯସ୍ତ ବିବ୍ରତ ଭୋଗେ ଅବସାଦ ଦୁଃଖ
ସୃଷ୍ଟି ନୁହେଁ ଧ୍ବଂସ କର୍ମେ ହୁଅଇ ନିଯୁକ୍ତ ।
ବଢେ ସହରୀକରଣ ଦ୍ରୁତ ଜନ ବିସ୍ଫୋରଣ
ଦ୍ରବ୍ଯ ଉତ୍ପାଦନେ ବଢେ ବିଶ୍ବ ତାପମାନ,
ସ୍ୱଚ୍ଛନ୍ଦ ଜୀବନ ଯାତ୍ରା ହେଉ ପଛେ ଦିବାସ୍ୱପ୍ନ
ଯନ୍ତ୍ରବତ ଅଜଗର କରିଚାଲେ ଜନ୍ମ ।
ତନ୍ଦ୍ରା ତେଜ ଆଖି ଖୋଲ ହେ ମଣିଷ ଚକ୍ଷୁଷ୍ମାନ
ଅପଶିକ୍ଷା ପ୍ରସାରଣ ଦୂରେ ଫିଙ୍ଗ ନିନ୍ଦ
ସୂର୍ଯ୍ଯ ଉଦୟରେ ହେଉ ଦିବସ କର୍ମ ଆରମ୍ଭ
ଭେଳା ବୁଡିଯିବା ଆଗୁ ବାନ୍ଧ ଦୃଢ ବନ୍ଧ ।
