ବଡବଡୁଆ ହୋ
ବଡବଡୁଆ ହୋ
(ବଡବଡୁଆ ହୋ ଆଲୁଅରେ ଆ'
ଅନ୍ଧାରରେ ଯା',
କାଶୀ,ଗୟା, ଶିରୀପୁରସ୍ତମ ଯା'
ଯା' ଦେଇଛ ତା'ପାଇଯା' )
ବଡବଡୁଆ ଆସ ମରତେ
ଆକୁଳେ ଡାକୁଅଛୁ,,
ପବିତ୍ର ଦିପାବଳୀ ପର୍ବରେ
ବନ୍ଦନା କରୁଅଛୁ।,
ବାଜୁଛି ଶଙ୍ଖ ଫୁଟୁଛି ବାଣ
ଦୀପରେ ଆଜି ସଜ୍ଜା,
ପବିତ୍ର ଦିପାବଳୀ ଲାଗଇ
ତୁମରି ପାଇଁ ମଜା।
ପୁର୍ବ ପୁରୁଷ ଦିଅ ଆଶିଷ
କରୁଛୁ ପିଣ୍ଡଦାନ,
ତୁମ ଆତ୍ମୀୟ ବଂଶଜଙ୍କର
ଭକ୍ତି ପ୍ରଣାମ ଘେନ।
ସହଜେ ମର୍ତ୍ତ୍ୟ ରୋଗ ଓ ଶୋକ
ଦୁର୍ନୀତି ବସାଘର,
ବୃଦ୍ଧ ବୃଦ୍ଧାଙ୍କ ଚଳଣୀ ଏଠି
ବହୁତ କଷ୍ଟକର।
ବାତ୍ୟା ଓ ବନ୍ୟା ଆପଦ ପୁଣି
ଉପକୂଳିଆ ପାଇଁ,
ଦୀପାବଳିର ସରାଗ ସବୁ
ଯାଏ ଭଣ୍ଡୁର ହୋଇ।
ଆଜି ଯେତେକ ବଡବଡୁଆ
ସ୍ୱର୍ଗେ ହୋଇଲେ ଜମା,
ମର୍ତ୍ତ୍ୟେ ଆସିବା ପାଇଁ ସେମାନେ
କରିଲେ ଆଲୋଚନା।
ଦିବ୍ୟ ମୂରତୀ ରୂପକୁ ଧରି
ହୋଇଲେ ଉପସ୍ଥିତ,
ନାନା ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗେ
ରଖିଲେ ମତାମତ।
କୃଷି ବିଭାଗ ବଡବଡୁଆ
କରିଲେ ଆଲୋଚନ,
ବିନା ବଳଦେ ଆମରି ବଂଶ
ନିଲାଙ୍ଗୁଡିଆ ଜାଣ।
ଗାଈକି ଯଦି କିଏ ପାଳୁଛି
ଦୁଧେ ମିଶାଏ ପାଣି,
ଶସ୍ୟ ଉତ୍ପାଦ ପାଇଁ କିଏ ତ
ବିଷ ପକେଇଲାଣି।
ବାର୍ଦ୍ଧକ୍ଯେ ପିତାମାତା ତ ଏଣେ
ହୁଅନ୍ତି ଅଣଦେଖା,
ମଲେ ଦଅଶ ଏକାଦଶର
କ୍ରିୟା ଯେ ଲୋକଦେଖା।
ଆଜିକାଲିକା ନେତା ଓ ମନ୍ତ୍ରୀ
ବୁଝିବା ଦରକାର,
ଗାନ୍ଧୀ ନେତାଜୀ ବଡବଡୁଆ
ପ୍ରକୃତ ତାହାଙ୍କର।
ଡାକ୍ତରଙ୍କର ବଡବଡୁଆ
ଚ୍ୟବନ, ଧନନ୍ତ୍ଵରୀ,
ଭୃଗୁ ଅଙ୍ଗୀରା ,ଚରସ ଶିବା-
ନନ୍ଦ ଯେ ବ୍ରହ୍ମଚାରୀ।
ବୈଜ୍ଞାନିକଙ୍କ କୂଳେ ମାର୍କୋନୀ,
କଲାମ ,ଗାଗାରିନି,
ଚିତ୍ରକାରଙ୍କ ବଡବଡୁଆ
ପରେଶ୍ରୟ ଜାମିନୀ।
ସଙ୍ଗୀତ କ୍ଷେତ୍ରେ ବଡ଼ବଡ଼ୁଆ
ନିମାଇଁ,ଭିକାରୀ ବଳ,
ବ୍ୟାସ ବାଲ୍ମିକୀ ବଡ଼ବଡ଼ୁଆ
ଆମ ଏ କବିଙ୍କର ।
ତୁଳସୀ ଦାସଙ୍କ ସହିତରେ ପୁଣି
ରବିନ୍ଦ୍ର ନାଥ ଠାକୁର,
ପଞ୍ଚସଖା କବି ସନ୍ଥ ଭୀମଭୋଇ
ବଡବଡୁଆ ଆମର।
ତେଣୁ ଏହାଙ୍କ ଆଦର୍ଶ ଯଦି
ମାନିବେ ମର୍ତ୍ତ୍ୟ ବାସୀ,
ତେବେ ଅଜ୍ଞାନ ଅନ୍ଧାର ଯିବ
ଆଲୋକ ଯିବ ଭାସି।
ମିଳୁନି କାଉଁରିଆ କାଠି ଯେ
ପୁମ୍ପେଇ ଡକା ପାଇଁ,
ବେରୁହାଁ,କଣ୍ଟି ଫୁଲ କି ସୁଆଁ,
ବାଳୁଙ୍ଗା ଦେଖା ନାହିଁ।
ଅରୁଆ ଚୂନା ଗଇଁଠା ମଣ୍ଡା
କଦଳୀ ଆଖୁ ଅଦା,
ଯେ କଞ୍ଚା କ୍ଷୀର ଛେନା କି ଘିଅ
ଏଥିରୁ ମିଳେ ଅଧା।
ବସ୍ତ୍ର ବିହୂନେ ସୂତ୍ର ଦାନରେ
କାମଟି ଯାଏ ଚଳି,
ଦାମୀକା ବାଣ ଲିଚୁ ଲାଇଟି
ଜମୁଛି ଦିପାବଳୀ।
ଏମିତି ଯେତେ ଦୀପାଳି ଜାଳି
କିଛି ତ ଲାଭ ନାହିଁ,
ସେ ଭାଗୀରଥି ପୁତ୍ରଟି କାହିଁ
ଯା'ଲାଗି ଗଙ୍ଗା ବହି।
ପୁତ୍ ନାମକ ନରକୁଁ ଯିଏ
ଉଦ୍ଧାର କରେ ପୁଅ,
ଶ୍ରୀରାମ,ଶ୍ରବଣ, ଯୁଧିଷ୍ଠିର
ଭଳି କେ ହେବ କୁହ?
ଏ ପୟା ଶ୍ରାଦ୍ଧ ଦିପାଳୀ ପର୍ବ
ପାଳନେ ଦିଅଁ ଖୁସି,
ପିତାମାତାଙ୍କ ଚରଣ ସେବା
କାଶୀ ଓ ବାରାଣସୀ।
ଆଲୋକପର୍ବେ ଦାମୀଆଲୋକେ
ଅମା ହଟି ନ ଥାଏ,
ଜ୍ଞାନ ଆଲୋକେ ଅହଂ ଅନ୍ଧାର
ନିଶ୍ଚେ ଦୂରେଇ ଯାଏ।
ସ୍ନେହ ସଦ୍ଭାବ ଏ ପର୍ବ ତତ୍ତ୍ଵ
ପ୍ରେମଟି ମୂଳମନ୍ତ୍ର,
ବଡବଡୁଆଙ୍କ ଆଶୀର୍ବାଦେ
ନିର୍ମଳ ଚଲାପଥ।
