ନିର୍ବାସିତ ଦେବଦୂତ
ନିର୍ବାସିତ ଦେବଦୂତ
ହେ ଈଶ୍ବର!
ବାରେ ଆସି ଦେଖ ତୁମ ହାତ ଗଢା ଏଇ ଧରାଧାମରେ
ଭୋକର ଦାଉରେ କାନ୍ଦୁଛି ଦେବଦୂତ କେଡ଼େ ବିକଳରେ
କିଏ ତ ଭାସୁଛି ବିଳାସୀ ଛପନ ଭୋଗର ଉଜାଣି ସୁଅରେ
ଆଉ କିଏ ଭାତ ମୁଠିଏ ପାଇଁ କୋଡ଼େ ଏଠି ମଥାରେ!!
ଜନମିଛି କି ପ୍ରାରବ୍ଧ ପାପ ଅବା ଅଭିଶାପ ବଳେ ଏ ମହୀରେ ,
ତାହା ପୁଣି ଯୋଗ ଦେଖି ନିର୍ଦ୍ଧନ ମାଆ ବାପାଙ୍କ କୋଳରେ
ଅହରହ ସନ୍ତୁଳି ହେଉଛି ଅନାହାର ଅପପୁଷ୍ଟିର କଷ୍ଟରେ
ସତେ ଅବା ଜନ୍ମିବା ଅପରାଧ ନିଷ୍ପାପ ଶିଶୁଟି ପକ୍ଷରେ!!
କଙ୍କାଳସାର ବୁଭୁକ୍ଷୁ ଶିଶୁ ଦରାଣ୍ଡି ଖାଉଛି ପୁଳା ପୁଳା ମାଟି
ଆହା ପଦେ କହିବାକୁ କାହାରି ଇଚ୍ଛା ହେଉନି କେମିତି?
କହି ହେଉନି କି ସହି ହେଉନି ଦେଖି ଏଇ ବେଦନାର ଛବି
ଲେଖିବି ହେଉନି କବିତା ସେଇ ଦାରୁଣ ଯନ୍ତ୍ରଣାରେ ନିତି!!
କ୍ଷମା କର ପ୍ରଭୁ କ୍ଷମା କର ମୋ ପରି ସ୍ୱାର୍ଥୀକୁ କ୍ଷମାକର
ଆଉ ସହି ପାରିବିନି ପାପଭାର ଏ ଛାର ମଣିଷ ଜୀବନର
ସରଗୁ ନିର୍ବାସିତ ଦେବଦୂତକୁ ତୁମେ ହିଁ ସ୍ଵୟଂ ରକ୍ଷାକର
ଆମେ ତ କୁହାଳିଆ ମାତର ନୋହୁଁ କେଉଁ ମହତ କାମର!!