ନିଳାଦ୍ରୀ ବିଜେ
ନିଳାଦ୍ରୀ ବିଜେ
ନଅ ଦିନ ପରେ ହେ ବ୍ରହ୍ମାଣ୍ଡ ପତି
କିପରି ଆସିଲ ଫେରି
ଆଉ କେଉଁ ଦିଗ ବାକି ରହିଲା ହେ
ଦେଖିଛ କି ନାହିଁ ହରି ।
ମାଉସୀ ଘରକୁ ଆନନ୍ଦରେ ଗଲ
ଭୁଞ୍ଜିଲ ହେ ପୋଡ଼ ପିଠା
ଦେଉଳ ଜଗିଛି ତୁମ ଚାକରାଣୀ
ପିତା ଖାଉ କିବା ଖଟା ।
ଭକତ ଗୁହାରି ଶୁଣି ଶୁଣି ହରି
ଥକି ଗଲ ବଡଦାଣ୍ଡେ
ଏତେ ନାଟ କଲ ସୁନା ହାଟ ନେଇ
ଭକତକୁ ଦିଅ ଗଣ୍ଡେ ।
ବାହୁଡିଲ ରଥେ ଜଗତ ଦେଖିଲେ
ତଣ୍ଟି ଗଲା ପୁଣି ଶୁଖି
ଯାହାର ଗୃହରେ ଡିବିରି ଜଳୁନି
ସିଏ କେତେ ଅଛି ସୁଖି ।
ନାକ ଯାଏ ହାଣ୍ଡି କ୍ଷଣେ ଦେଲ ତେଣ୍ଡି
ବାକି ଯାହା ଢାଳି ଦେଲ
ରାଜା ଘର ପୁଅ ବଡ ଗର୍ବି ତୁମେ
କେତେ ଯେ ହୋଇଛ ଗେଲ ।
ରସଗୋଲା ଆଣି କୁହ ଚାଟୁ ବାଣୀ
ଦେଉଳ ପ୍ରବେଶ ପାଇଁ
ମୁହିଁ କମଳିନୀ ଦେଲି ନାହିଁ ପାଣି
ବାର ବର୍ଷ ଥିଲ ଶୋଇ ।
ତୁମେ ଯଦି ପ୍ରଭୁ ସମ୍ମାନ ନ ଦିଅ
ଜଗତ ଶିଖିବ କିସ
ଯେଉଁ ଭକ୍ତ ତୁମ ପାଦେ ପଡିଛନ୍ତି
ତାଙ୍କ ନାରୀ ହେବେ ବିଷ ।
ନାରୀ ପୁରୁଷ ଯେ ଅଭେଦ ଅଭିନ୍ନ
ଯିଏ ଜାଣେ ମନ ପ୍ରାଣ
ସେହି ପାଏ ପ୍ରେମ ସେହି ପାଏ ସ୍ନେହ
ବୁଝ ଯଦି ଅଛି ଜ୍ଞାନ ।
ଜଗତ ଠାକୁର ଶକତି ଅପାର
ଭାଙ୍ଗି ଦିଅ ସିଂହଦ୍ଵାର
ବଳିୟାର ଭୁଜ ପାଇଛ ହେ ବନ୍ଧୁ
ଲକ୍ଷ୍ମୀ ଦେବୀ ଅଟେ ଛାର ।