ନିଜଲୋକ
ନିଜଲୋକ
ତମ ଅଭାବରେ ବେଳ ଅବେଳରେ
ମୁଁ ଜଡ଼ ପାଲଟି ଯାଇଥାଏ,
ଏ ମୋ ଜୀବନର ସଞ୍ଚିତ କ୍ଷଣକୁ
ତୁମ ପାଇଁ ସହୀ ଗୁଞ୍ଜି ଥାଏ ll ୧
ତଥାପି ତୁମେତ ଜମା ବୁଝ ନାହିଁ
ମୋର ହୃଦୟର ବିଳାପକୁ
ଦୂରେଇ ଯାଉଛି କାଳେ ତୁମ ଠାରୁ
ଅଭିମାନେ ଦିଅ କହି ତାକୁ ll ୨
ତମ କହିବାରେ ବିଚଳିତ ନୁହେଁ
ବୁଝିବା ଟିକିଏ ବ୍ୟତିକ୍ରମ,,
ଦୂରତା ଶବ୍ଦରେ ଚିନ୍ତନ ତୁମର
ବ୍ୟବଧାନ କରେ ମତିଭ୍ରମ ll ୩
ତମ ମୋ ଭିତରେ କ୍ଷୀର ନୀର ଭାବ
ଏ କଥା ବୁଝିଛ ଭଲକରି,,
ଅଭିମାନ ଯାହା ତାହା ତେଜି ଦିଅ
ମୋ ଆଲିଙ୍ଗନ କୁ ନିଅ ବରି ll ୪
ଏଇ ରାତି ପରି ଆଗକୁ ଆସିବ
ହାତ ପାଆନ୍ତାରେ କେତେ ରାତି,,
କେହି ନଥିଲେଗୋ ନିଜଲୋକ ପରି
ଜଗି ବସିଥିବ ରାତି ରାତି ll ୫
ଏଇ ମୋ ଆତ୍ମାରେ ତମ ଆତ୍ମା ଧନ
ମିଶିଛି ବାସର ରାତି ଦିନୁ,,
ଅଗ୍ନି ସାକ୍ଷୀ ଅଛି, ରାତିବିତ ସାକ୍ଷୀ
ଦୂରତା ଉଠିଲା ସେଇ କ୍ଷଣୁ ll ୬
ତମରି ହୃଦୟ ଭାଷା କୋଷୁ ପ୍ରିୟା
କଳ୍ପନା ଶବ୍ଦକୁ ଖୋଲି ଦିଅ,,
ତମ ଛାତି ସହ ମୋ ହୃଦ ମିଶଇ
ନିଃଶ୍ୱାସ ଗୋଟିଏ କରି ଦିଅ ll ୭
ତଥାପି କାହିଁକି ବାର ବାର ସାଥି
ସନ୍ଦେହ ଶବ୍ଦର ମlନେ ଖୋଜ,,
ଆତ୍ମାର ପବିତ୍ର ଅମୃତ ମିଳନ
ତରଙ୍ଗରେ ଭଟ୍ଟା ଆଣ ଆଜ ll ୮
ଦୂରେଇ ଯାଉଛି ଯଦି ଭାବୁଅଛ
ଏ ଦେହୁ ରକତ ନିଅ କାଢ଼ି,,
ତମ ସେ ପାଦର ଅଳତା ଜାଗାରେ
ସିନ୍ଥି କପାଳରେ ରଖ ଜଡ଼ି ll ୯
ଆତ୍ମାର ମିଳନ ଯହିଁ ଲୋଡ଼ା ସଖୀ
ଦୂରତା ଚିନ୍ତାକୁ ଜାଳି ଦିଅ,,
ଜନ୍ମ ଜନ୍ମ ଲାଗି ବାନ୍ଧି ରଖିଥାଅ
ଟାଣ କରି ବିଶ୍ୱାସର ଖିଅ ll ୧୦
ଏ ଦେହ ପ୍ରଶିରା ତୁମ ଛୁଆଁ ଖୋଜେ
ନିଃଶ୍ୱାସେ ନିଃଶ୍ୱାସ ଭରି ଦିଅ,,
ଦେହ ମିଳନର ପ୍ରୟୋଜନ ନାହିଁ
ହୃଦ ମିଳନକୁ ବରି ନିଅ ll ୧୧
ତମ ମୋ ଭିତରେ ଅନ୍ତର ଯେ ନାହିଁ
ଏ ଗୋଟେ କଥା ଜାଣ ଆଗେ,,
ଆତ୍ମାର ମିଳନ ସିଦ୍ଧିରେ ହୁଅଇ
ପ୍ରେମ ଦୀର୍ଘଜୀବୀ ଯୁଗେ ଯୁଗେ ll ୧୨