ସୁନେଲି ସୁନେଲି ଖରା
ସୁନେଲି ସୁନେଲି ଖରା
ସୁନେଲି ଖରା ତୁ, ମୁଁ ଶୀତ ଝରଣା
ତୋ ପାଇଁ ମୋ ଦେହେ ଫୁଟେ ଦିନେ ତାରା,
ତୋ ଉଷ୍ମତା ଯେବେ ଛୁଇଁଯାଏ ତନୁ
ଘନ ଶୀତ ହୁଏ ସ୍ୱତଃ ଅପାଶୋରା।
ଛୁଇଁ ଛୁଇଁ ଯାଉ ଯାତ୍ରା ଶେଷ ଯାଏଁ
ତୋ ଆଲିଙ୍ଗନେ ବନ୍ଧା ମୋ ଜୀବନ ସାରା,
ସଞ୍ଜ ନଇଁଗଲେ ମୁଁ ନଥାଏ ଜୀବନ୍ତ
ଜିଇଁ ଉଠେ ପୁଣି ପାଇ ତୋର ଆଶ୍ରା।
ତୋ ଠାରୁ ହୁଏ ମୋ ପ୍ରାରମ୍ଭ ଯାତ୍ରାର
ତୋ ବିନା ଭ୍ରମେ ମୁଁ ରାତି ରାତି ସାରା,
ପ୍ରତୀକ୍ଷାରେ ତୋର ଅନ୍ଧାର ମୁ ଜିଏଁ
ତୁ ପରା ଜୀବନ ଆନନ୍ଦ ପସରା।
ତୋ ପ୍ରଭାତୀ ଛୁଆଁ ଆଶ୍ୱାସନା ମୋର
ମଧ୍ୟାହ୍ନ ରୂପ ତୋ ମୋ ହିମ ଚୋରା
ଗୋଧୂଳିରେ ତୋର ସଲ୍ଲଜ ଚାହାଣି
ହରିନିଏ ମୋର ଛାତିର ମଜରା।
ନ ଦିଶୁ ତୁ ଯେବେ ମେଘ ଆଢୁଆଳେ
ଅଭିମାନେ ଜଳେ ମୋ ଛାତି ପିଞ୍ଜରା
ପରିହାସ ବୋଲି ବୁଝେ ଯେବେ ପରେ
ହସି ଚୁମି ଦିଏ ତୋ କିରଣ ଝରା।

