STORYMIRROR

Debabrata Mishra

Romance

4  

Debabrata Mishra

Romance

ସୁନୟନା ତୁମ ପାଇଁ

ସୁନୟନା ତୁମ ପାଇଁ

1 min
280


ଭୀଷଣ ବରଷାରେ ବି ଶ୍ରାବଣର ପୀରତି ଦିଶେ

ପ୍ରଚଣ୍ଡ ରୌଦ୍ରରେ ମନଟା ଶୀତଳ ଚନ୍ଦନ ବାସେ, 

ଲାଗେ ସତେ ଚଳଚଞ୍ଚଳ ନିରବ ନିଶ୍ଚଳ ତରୁଲତା

ନକରାତ୍ମକ ବସ୍ତୁରେ ବି ଚିତ୍ରିତ ପବିତ୍ରତାର ବାରତା, 

ସଞ୍ଜ-ସକାଳ ସବୁ ଅତୀବ ମନୋରମ ଲାଗେ କାହିଁ

ଏହି ପଲ୍ଲବିତ ଆକାଂକ୍ଷିତ ଚିତ୍ତ ସୁନୟନା ତୁମ ପାଇଁ.... (୧) 


ବାରବାର ଦିଶେ ତୁମ ହସହସ କୋମଳମୟ ମୁଖ

ହସ ଫୁଟେ ଓଠେ ମୋର ସେବେ ମାଗେ ତୁମ ସୁଖ, 

ଅନିୟନ୍ତ୍ରିତ ଏ ହୃଦୟ ତୁମକୁ ହିଁ ପାଏ ସବୁଠାରେ

ଆକାଶର ତାରା ଜହ୍ନେ, ଗପ-କବିତା-କାହାଣୀରେ, 

ବଡ଼ ଅଜବ ଏ ସମ୍ପର୍କର ସୁତା କାହାକୁ ଦିଶେନାହିଁ

ଏ ପରିବର୍ତ୍ତିତ ମନର ଭାବନା ସୁନୟନା ତୁମପାଇଁ.... (୨) 


ପ୍ରତିଟି କ୍ଷଣ ତୁମସହ ଲାଗେ ଏକ ଏକ ଉପନ୍ୟାସ

ନିଃସଙ୍କୋଚେ କବିତାରେ ତୁମେ ଶବ୍ଦ ହୋଇ ପ୍ରକାଶ, 

ଆହାଃ କି ସ୍ୱର୍ଗୀୟ ଅନୁଭବ ଅନାବିଳ ଆଳାପର

ପ୍ରଶଂସକ ଅଟେ ତୁମର ସେ ନିଷ୍କପଟ ସ୍ମିତହାସ୍ୟର, 

ତୁମ ଅଦୃଶ୍ୟ ମନକୁ ମନରେ ସ୍ପର୍ଶ ଦେହରେ ନାହିଁ

ଶୁଭାକାଂକ୍ଷୀ ମୁହିଁ ପ୍ରିୟ ସଖୀ ସୁନୟନା ତୁମପାଇଁ... (୩) 


ଅନେକ ବାକି ରହିଛି ହୃଦୟରେ ଶବଦ ବନ୍ଧୁ ମୋର

ସମୟର ଗତି ସହ ଚିତ୍ରାୟିତ ହେବ ତୁମ ଚରିତ୍ରର, 

ଅମ୍ଳାନ ହେଉ ତୁମ ହସ ଆଉ ତୁମ ଖୁସିର ଆୟୁଷ

ତୁମ କଥାରୁ ମିଳୁଥାଉ ମୋତେ ଜୀବନର ପୀୟୂଷ,

ଲୁହ ଦେଖି ତୁମ ଏ ନୟନ ଭିଜିଯାଏ କାହିଁପାଇଁ

କବିତାର ଏ ଗାଢରଙ୍ଗ ଖାଲି ସୁନୟନା ତୁମପାଇଁ.... (୪) 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance