ସେଦିନର ବର୍ଷା ଭିଜା ଅନୁଭୂତି
ସେଦିନର ବର୍ଷା ଭିଜା ଅନୁଭୂତି
ଟୁପୁରୁ ଟୁପୁରୁ ବରଷିଲା ମେଘ
ରାସ୍ତାଘାଟ ଶୂନଶାନ୍
ଗୋଟେ ଛତା ତଳେ ଚାଲୁଥିଲେ ଦୁହେଁ
ବୟସଟା ବେଇମାନ୍ ।
ଢଳ ଢଳ ଢଳ ସାରୁ ପତ୍ରଦେହେ
ଦୁଇଟୋପା ବର୍ଷାଜଳ
ମୁକୁତାର ସମ ଝଟକୁଥିଲା ସେ
କରି ହୃଦ ଟଳ ମଳ ।
ତୁମ ସରୁ ଓଠେ ପଡିଗଲା ଆସି
ଦୁଇ ଟୋପା ବର୍ଷାଜଳ
ସତେକି ହୀରାର ଛୋଟ ଖଣ୍ଡ ଦ୍ବୟ
ଦିଶୁଥିଲା ଜଳ ଜଳ ।
ଚିବୁକରେ ତୁମ କଜଳର ଦାଗ
ଦେଖି ପୋଛିଦେଲି ମୁହିଁ
ଶୁପ୍ତ ପ୍ରାୟ ତୁମ ଖିଆଲି ମନଟା
ସହସା ଉଠିଲା ଚେଇଁ ।
ଦେଖିଦେଖି ତୁମ କମ୍ପିତ ଅଧର
ରହି ପାରିଲିନି ଜମା
ତୁମର କଅଁଳ ସରୁ ନାଲି ଓଠେ
ଦେଇ ଦେଲି ଗୋଟେ ଚୂମା ।
ତୁମ ମନ ପ୍ରାଣ ସିହରି ଉଠିଲା
ସମ୍ଭାଳି ନପାରି ଜମା
ମୋ ବାହୁ ଝୁଲଣା ଉପରେ ବସିଣ
ଦେଇଗଲ ମୋତେ ଚୂମା ।
ନୀଳ ଗଗନରେ ସୂରୁଯ ବରଷା
ଓଢଣୀ ତଳୁ ବାହାରି
ବୁଣି ଦେଇଗଲା କିରଣ ତାହାର
ବୃଷ୍ଟି କଣା ଭେଦ କରି ।
ରଚିଦେଲା ତାହା ଆକାଶର ଦେହେ
ସପ୍ତରଙ୍ଗୀ ଇନ୍ଦ୍ରଧନୁ
ଆମ ଦେହେ ଖେଳି ପ୍ରୀତିର କମ୍ପନ
ମନେ ରଚି ଇନ୍ଦ୍ରଧନୁ ।
ସେଦିନର ସେହି ଅଭୁଲା ବରଷା
ଭିଜା ଦେହେ ଇନ୍ଦ୍ରଧନୁ
ଦୁଇ ପରାଣର ଅକୁହା ବେଦନା
ଭୁଲି ହୁଏନାହିଁ ମନୁ ।