ଜହ୍ନ ପାଇଁ ପଦେ
ଜହ୍ନ ପାଇଁ ପଦେ
ଜହ୍ନ ଢାଳୁଅଛି ଜୋଛନାର ଧାରା
ନୀଳ ଗଗନର ଦେଶେ
ସେହି ଜୋଛନାରୁ କେହିଜଣେ ଆସି
ଚୋରି କଲା କେଉଁ ଵେଶେ ||
ତାରା ମେଳେ ଜହ୍ନ ନୀଳ ନୀଳିମାରେ
ଖେଳେ ଲୁଚକାଳି ଖେଳ
ନୀଳ ଶାଢୀ କାନି ଆକାଶ ଉଡାଇ
କରେ ସାଙ୍ଗ ସାଥି ମେଳ||
ନୀଳ ପଣତରେ ଆକାଶ ଘୋଡାଇ
ଦେଇଛି ଜହ୍ନର ମୁହଁ
ଦାଆ ପରି ଦିଶେ ଜହ୍ନ ଅଧା ମୁଖ
ଆକାଶ ବୁକୁରେ ଚାହଁ ||
ସୂରୁଯ ବୁଣଇ ଆଲୁଅ ମୁରୁଜ
ସାରା ସୌର ମଣ୍ଡଳରେ
ସେହି ଆଲୁଅର ମାଦକତା କେତେ
କାହାକୁ ପାଗଳ କରେ !
ସେହି ମାଦକତା ମଧୁ ପିଆଲାରେ
ଯେବେ କେହି ଭରି ଦିଏ
ଛାୟା ପ୍ରଚ୍ଛାୟାର ଅନ୍ଧକାର ତେବେ
ତାହା ପଛେ ଖେଳିଯାଏ||
ସେପରି ଘଟଣା ଚାନ୍ଦର କପାଳେ
ବାର ବାର ଘଟିଥାଏ
ସେଥିପାଇଁ ଶାନ୍ତ କାନ୍ତ ଜହ୍ନ ମାମୁଁ
ଅଧା ଗଢା ମନେହୁଏ ||
ଛାୟା ଅନ୍ଧକାରେ ରୂପସୀ ତରୁଣୀ
ଚାନ୍ଦର ରୂପରେ ଫସି
ତାହାକୁ ନିଜର ବାହୁର ବନ୍ଧନେ
ବାନ୍ଧି କଳା ଦିଏ ନେଶି ||
ସେହି କଳା ଦାଗ ଯେ ଅଙ୍ଗେ ଲାଗଇ
ତାହା ମୋଟେ ଦିଶେ ନାହିଁ
ସେଥିପାଇଁ ଜହ୍ନ ଆକାଶେ ଦିଶଇ
ଅଧା ଗଢା ରୂପ ନେଇ||

