ସ୍ବପ୍ନରେ ପ୍ରଣୟ
ସ୍ବପ୍ନରେ ପ୍ରଣୟ
ସପନର ଫୁଲ
ସରାଗେ ସାଇତି
ରଖିଛି ଗୋ ପ୍ରିୟା ତୁମରି ପାଇଁ
ସପନରେ ତୁମେ
ଆସ ମୋର ପାଶ
ଯାତନା ଜୁଇରେ ଦିଅନା ଶୋଇ ।
ମନ ଆଇନାରେ
ତୁମ ଛବି ଭାସେ
ଇନ୍ଦ୍ରଧନୁ ସପ୍ତ ରଙ୍ଗକୁ ଧରି
ଭିଜାମାଟି ବାସ୍ନା
ବାସ୍ନାଇତ ହୁଏ
ପ୍ରୀତି ପ୍ରଣୟକୁ ମନରେ ଭରି ।
ପ୍ରୀତି ମଧୁଝରା
ଫଗୁଣ ତୁମକୁ
ଶୀତଳ ପବନେ ଦେଲାକି ଛୁଇଁ
ଶିହରଣ ଜାଗେ
ତୁମରି ହୃଦୟେ
ବ୍ୟାକୁଳତା ମନେ ମୋହରି ପାଇଁ ।
ଯୌବନ ଜୁଆର
ତୁମରି ଶରୀର
ସତେ ଅବା ମାରେ ସାତ ଲହଡି
ଆଷାଢ଼ର ବର୍ଷା
ହୋଇ ମୁଁ ଲିଭାଇ
ପାରିବି କି ବଇଶାଖର ତାତି ।
ଅସଜଡା କେଶ
ଶେଜରୁ ଉଠାଇ
ଯତନରେ ଖୋଷା ଖୋସିଲ ଯାଇ
ବାସ୍ତବତା ନୁହେଁ
ଏସବୁ ଭାବନା
ଶେଜରୁ ସପନ ଦେଖୁଛି ଶୋଇ ।

