ନିଜ ପାଖେ ପାଖେ
ନିଜ ପାଖେ ପାଖେ
ସବୁ ସାଙ୍ଗରେ ନେଇ
ଚାଲିଗଲା ପରେ ବି
ଅନେକ କିଛି ରହିଗଲା
ମୋ ପାଖରେ ।
ତୁମର ଝାଳ ପୋଛା ରୁମାଲ୍
ଅଫିସ କୁ ପିନ୍ଧି ଯାଉଥିବା ଫର୍ମାଲ୍ ସାର୍ଟ,
ତୁମକୁ ଫର୍ମାଲ୍ ସାର୍ଟ ରେ ଦେଖି
ଗର୍ବ , ଆଉ ରୋମାନ୍ସ ରେ
ଭରି ଯାଉଥିବା ମନ ।
ତୁମର ଢଳ ଢଳ ଆଖିତଳେ
ଦବି ଯାଇଥିବା ଅନେକ ଇଚ୍ଛା
ସବୁ ସେଇ ଖାଲି କର୍ମ ର ବାହାନା ରେ
ତୃଷ୍ଣା ରେ ବି ଅଛି ଅନେକ
ଇତି କଥା
ନିମଗ୍ନ ରେ ଲେଖା କବିତା ରେ ମୋର
ରହିଗଲା ,
ତୁମ ଅବ୍ୟକ୍ତ କଥାର ଅନେକ ଠିକଣା ।
ମୋ ଭିତରେ ନିଜକୁ ଖୋଜୁଥିବା
ତୁମର ଆଖି,
ଚକ୍ରବାକ ପକ୍ଷୀର ତୁଷାର୍ଥ ବେଦନା,
ଅଧା କଥା କହି
ବାକିଆଧା ଫେରିବା ପରର ଅପେକ୍ଷା,
ସବୁ କିଛି ମୋ ପାଖେ ରହିଗଲା ।
ତୁମର ସବୁ କଥାକୁ
ମୁଣ୍ଡ ପାତି ସହିବାର ଅଭ୍ୟାସ ,
ତୁମ ଅତର ବାସ୍ନାର ସୁଗନ୍ଧ,
ଦୁଆର ବନ୍ଧ ନିକଟରେ
ବାହୁଖୋଲି ମୋତେ ଆଲିଙ୍ଗନ କରୁଥିବା ହାତ,
ତୁମର ଯତ୍ନଶୀଳ ପ୍ରଶ୍ନ
ତୁମେ କ'ଣ ଖାଇଛ ?
ମୋ ବିନା ଦିନଟା ତୁମର
କେମିତି ବିତିଲା ?
କିଛି ମନ ର ବାସ୍ନା ରେ
ରହିଗଲା ମୋ ପାଖେ ।
ତୁମର ଦିନେ ପ୍ରଶ୍ନ ଥିଲା
ତୁମେ ମତେ କେମିତି ପସନ୍ଦ କର ?
ଲାଜୁଆ ହସ ରେ ନିରବି ଗଲି ସେଦିନ
ଖୋଲି ପାରିଲିନି
ମୋ ମନର ପରିଭାଷା,
ମୋ ପସନ୍ଦ ଟା ଯେ କେତେ ସ୍ୱତନ୍ତ୍ର।
ମୁଁ ପସନ୍ଦ କରେ,
ତୁମର ଅଵ୍ୟକ୍ତ ଅନୁରାଗକୁ
କଥାରେ ନକହି
ପୂର୍ଣ୍ଣ କରି ଦେଉଥିବା ମୋର
ସବୁ ଇଚ୍ଛାକୁ ,
ତୁମ କାର୍ଯ୍ୟ ବ୍ୟସ୍ତ ଝାଳବୁହା ମୁହଁରେ
ଝାଳ କୁ ପୋଛି
ମୋତେ ଦେଖି ହସିଦେଉଥିବା ଠାଣିକୁ।
ତୁମେ ଯେବେ କାର୍ ବ୍ୟତୀତ
ବାଇକ୍ ରେ ଟ୍ରାଭେଲ୍ କର,
ପବନ ରେ ଉଡ଼ି ଯାଉଥିବା କେଶ
ତୁମ ପ୍ରଜାପତିଆ ନିଶ,
ତୁମର ହୃଦୟ ଖୋଲା ହସ
କେଜାଣି କେଉଁ ଚଳଚିତ୍ର ର
ଦକ୍ଷିଣ ଭାରତୀୟ ହିରୋ ଭଳି ଦିଶ ।
ତୁମର ସବୁ କିଛି ନିର୍ଭେଜାଲ ଗୁଣ
ରହି ଯାଇଛି ମୋ ପାଖରେ,
ଯଦି ବି ମୁଁ ଖୁବ ହସେ
ସେ ହସ ର ଅନ୍ତରାଳେ
ଝୁମିଉଠେ ତୃପ୍ତିଟିଏ
କିଏ ତ ସତ୍ୟ ପ୍ରେମର ଦ୍ୱାହି ଦେଇ
ମୋତେ ଛୁଇଁ ଚାଲିଯାଇଛି ।