ଅଭିବ୍ୟକ୍ତି
ଅଭିବ୍ୟକ୍ତି
ଅଣଦେଖା ଅଶ୍ରୁତଳେ
ଅନେକ ଆସକ୍ତି
ପ୍ରଗଲ୍ଭା ର ଅନେକ କ୍ଷତାକ୍ତ ଆକାଂକ୍ଷା
ସବୁ କିଛି ନିସୃତ
ଏଇ ସମୟ ଧାରାରେ ।
ରଙ୍ଗ ହୀନ ଅଶ୍ରୁର ଓଜନଟା
କେବେ ମାପି ହୁଏନା
ସେଥିପାଇଁତ ହାଲ୍କା ହେବାକୁ ଚାହିଁଲି
ତୁମରୀ ଅପ୍ରକାଶ୍ୟରେ ଅଥବା
ନିଜକୁ ଖୋଜିବାର ବାହାନାରେ ।
ତୁମେ ଦିନେ କହିଥିଲ,
କର୍ମ ହିଁ ସର୍ବସ୍ୱ ଆଉ ଅର୍ଥ ହିଁ ଆନ୍ଦନ
ହାତବାକ୍ ହୋଇଯାଇଥିଲି ସେଦିନ,
ମନରେ ଉଙ୍କିମାରି ଚାଲିଗଲା
ଆଉ ହୃଦୟର ଅର୍ଥ ???
ମୋ ପ୍ରଶ୍ନ ମୂଲ୍ୟହୀନ ଥିଲା,
କୁଠାରଘାତ ହୋଇଥିଲା ଅଭିଳାଷା
ଶରଧା ବାଲିରେ ଇଚ୍ଛାମାନେ ଦବିଗଲେ
ମନ ଖୋଜିଥିଲା ଏକାନ୍ତର ।
ସର୍ବ ଜ୍ଞାତ ଥିଲା ଇନ୍ଦ୍ରୀୟ,
ତୁମେ ଯେ କେବଳ
ବସନ୍ତରେ ବଞ୍ଚିବାକୁ ଚାହିଁଛ,
ଫୁଲର ତୃପ୍ତିରେ ହଜିବାକୁ ଚାହିଁଛ,
ଭ୍ରମର ହୋଇ ବୁଲିବାକୁ ଚାହିଁଛ,
ସେଥିପାଇଁ ମୁକ୍ତ କରିଦେଲି ତୁମକୁ ।
ତୁମର ତୃପ୍ତି ତଳେ
ଅଖଣ୍ଡ ଭଗ୍ନ ମୁହୂର୍ତ୍ତ ସବୁ ଥିଲା,
ମୋର ଅସରନ୍ତି କଳ୍ପନା ସବୁଥିଲା,
ତୁମର ଅଣଦେଖାରେ
ଜୀବନ୍ତ ସମାଧିଟେ ମୋର ଥିଲା,
ତାରାଠୁ ଛିଣ୍ଡାଇଆଣିଥିବା
ଆସକ୍ତି ଟେ ଥିଲା,
ତୁମେ ଯେ ମୋ ପୂର୍ବ ଜନ୍ମର
ଅଧାରାସ୍ତାର ସହଯାତ୍ରୀ ଟିଏ ଥିଲ
ଚିହ୍ନିପାରିନଥାନ୍ତି କେମିତି ତୁମକୁ ।
ତୁମ ହାତର ଆଞ୍ଜୁଳାରେ
ମୋ ଆଖିର ଅଶ୍ରୁଟିଏ ଥିଲା
ଉଧାରମାଗିଥିଲି ଖୁସିଟିଏ,
ମୁହୂର୍ତ୍ତେ ବଞ୍ଚିବାର ବାହାନାରେ
ତୁମେ ଦେଇଥିଲ ମତେ
ଅସରନ୍ତି ନୀରବତା।
ସେଦିନ ଭାବିଥିଲି,
ଭଙ୍ଗାମନରେ ମୁକ୍ତାଖଚି ତୋଳାଇଥିବା
ବାଲିଘର ଅସ୍ଥିତ୍ଵର ଅର୍ଥ ବା କ'ଣ ?
ତୁମେ ଆସିଲ
ସ୍ବପ୍ନଟିଏ ବିଞ୍ଚି ଚାଲିଗଲ
ମୋ ଜୀବନ ସରୀସୃପତ ନଥିଲା
ଘୁଷୁରୀ ଘୁଷୁରୀ ବଞ୍ଚିବାର ଅଭ୍ୟାସରେ ।
ଆତ୍ମାରୁ କାଢ଼ି ପାରିଲିନି ତୁମକୁ
ତୁମ ସ୍ପନ୍ଦନରେ ହଜିଯିବାର
ନିଶାଟେ ଥିଲା,
ମରୀଚିକା ପଛରେ
ଧାଇଁବାର ତୃଷ୍ଣାଟେ ଥିଲା,
କୁଢ଼ କୁଢ଼ ଆଶକ୍ତି ତଳେ
ଢୁଳେଇ ଢୁଳେଇ ସ୍ୱପ୍ନ ଦେଖିବାର
ଅସରନ୍ତି ମନଟିଏ ଥିଲା,
ଖିଲି ଖିଲି ହସ ତଳେ
ପ୍ଲାବନୀ ହୋଇ ବଞ୍ଚିବାର
ଅଭ୍ୟାସଟେ ଥିଲା,
ଆଖିର ପଲକତଳେ
ସୁପ୍ତ ଅବସ୍ଥାରେ ରହିଥିବା
ଜୀବନ ଦର୍ଶନଟିଏ ଥିଲା।