ଚଉପଦୀ -୧୪ (ବନ ଏଣୀ ନୟନା)
ଚଉପଦୀ -୧୪ (ବନ ଏଣୀ ନୟନା)
ଚଳ ଚଞ୍ଚଳ ବନ ଏଣୀ ନୟନା
ଲବଙ୍ଗ ଲତା ବାଳା ଚନ୍ଦ୍ର ବଦନା
ଆଉ ଜଳାନା ସହୀ
ଜାଳି ଦେଲାଣି ମୋତେ
ତୋ ପ୍ରେମ ନିଆଁ
ଚଳ ଚଞ୍ଚଳ ବନ ଏଣୀ ନୟନା ।
ପାହାଡି ଝରଣା ସମ ତୁ ଛଳଛଳ
ଝରି ଝରି ଯାଉ ଖାଇ ତୁ ଦୁଇ କୂଳ
ମୋ ମନ ଆକାଶ ଦେଶେ ତୁ ଇନ୍ଦ୍ର ଧନୁ
ପାଶୋରି ଦେଲେ ପଶୋର ନହୁଏ ମନୁ
କାହିଁକି ସଖୀ ଏତେ କରୁ ଛଳନା
ଚଳ ଚଞ୍ଚଳ ବନ ଏଣୀ ନୟନା ।
ରୁଷି ବସିଅଛୁ କିଆଁ ମନକୁ ମାରି
ହସି ପଦେ କଥା କୁହ ରେ ସୁକୁମାରୀ
ଆକାଶ କୁସୁମ ମୋର ନନ୍ଦନ ବନ
ମନମୁଗ୍ଧକର ତୋର ଚନ୍ଦ୍ର ବଦନ
(ତୋ) ମଉଳା ମୁହଁ ଦେଖି ସହି ପାରେନା
ଚଳ ଚଞ୍ଚଳ ବନ ଏଣୀ ନୟନା ।
ମାନ ତେଜ ମାନମୟୀ ଚନ୍ଦ୍ର ଉଦିଆ
ଚାରୁ ଚନ୍ଦ୍ର ଚନ୍ଦ୍ରିକା ଲୋ ନକର ମାୟା
ଛନ୍ଧ ତେଜି ପ୍ରେମ ବନ୍ଧେ ବାହୁ ବନ୍ଧନେ
ବାନ୍ଧି ରଖ ପ୍ରେମ ଫୁଲ ଫୁଟୁ ଲୋ ମନେ
ମରି ଗଲିଣି ସହୀ ଆଉ ମାରନା
ଚଳ ଚଞ୍ଚଳ ବନ ଏଣୀ ନୟନା ।
ବସନ୍ତେ ବସନ୍ତ ତୁ ମୋ ମନ୍ଦ ମଳୟ
ରୁଷ ନାହିଁ ଆଉ ସଖୀ ହୁଏ ଅଥୟ
ରସିକ ପ୍ରଫୁଲ୍ଲ ଫୁଲ ଫୁଲ କୁମାରୀ
ରତିରଙ୍ଗେ କୋଳେମୋତେ ନିଅଲୋ ତୋଳି
(ତୋ) ପ୍ରେମ ନିଆଁରେ ଆଉ ମୋତେ ଜଳନା
ଚଳ ଚଞ୍ଚଳ ବନ ଏଣୀ ନୟନା ।

