ବର୍ଷା ଓ ବିରହ
ବର୍ଷା ଓ ବିରହ
ଦରଆଉଜା ଝରକା ସେପାଖ
ତୁମ ଛମ୍ ଛମ୍ ନୂପୁର ସ୍ବରକୁ
ମୁଁ ସ୍ପଷ୍ଟ ଶୁଣିପାରେ,
ଆଉ ଅନୁଭବ କରେ
ରତିକ୍ରିୟା ର ମଗ୍ନତାକୁ ।
ଟୋପା ଟୋପା ପ୍ରୀତିର ବାରିରେ
କେମିତି ଚୁମି ଚାଲିଛି ତୁମେ
ମାଟିର ଚିବୁକକୁ
ନିର୍ଜନ ଆଉ ନିଶବ୍ଦତାର
ଘନ ଅନ୍ଧାରରେ ।
ବେଳେ ବେଳେ
ଧସେଇ ପଶିଯାଆନ୍ତି
ଶିତଳତାର
ମେଞ୍ଚା ମେଞ୍ଚା ପବନ
ଛୁଇଁ ଦେଇ ପୂରି ଯାଆନ୍ତି
କୋଠରୀଟା ସାରା,
ଆଉ ତା ପରେ ଜାଗି ଉଠେ
ନିଃସଙ୍ଗତାର ସୁପ୍ତ
ବ୍ୟାକୁଳତା ,
ମନ ଖୋଜେ ଆଲିଙ୍ଗନର
ମିଠା ଅନୁଭବ,
ପ୍ରୀତି ଚିହ୍ନ ଆଙ୍କିବାକୁ
ପ୍ରେୟସୀ ଓଠରେ,
ହେଲେ ଏ ନିର୍ଜିବ କାନ୍ଥଗୁଡା
ପରିହାସ କରନ୍ତି,
କେଉଁ କଳ୍ପନା ରାଜ୍ୟର
ପ୍ରିୟତମା ପାଇଁ
ମୋର ଏ ବ୍ୟାକୁଳତା
ମୋ ଛଡା କୋଠରୀ ତ
ଶୂନ୍ୟତାରେ ଭରା,
ସେଇଥି ପାଇଁ ତ
ମୁଁ ଜଳେ ଇର୍ଷାରେ
ଏ ବିରହ ବର୍ଷାରେ
କୋଠରୀ ଭିତରେ ।

