ମୋ ଦେଶ
ମୋ ଦେଶ
ଢେଉରେ ଖେଳଇ ସବୁଜିମା ଖେତ
ସୁନାର ଫସଲ ଧରି
ବନ,ଗିରି,ଲତା,ଝରଣାରେ ଭରା
ଏଇ ମୋ ଭାରତ ଭୂଇଁ ।
ତିନି ରଙ୍ଗ ଧରି ବିଜୟୀ ତ୍ରିରଙ୍ଗା
ଫର ଫର ହୋଇ ଉଡ଼େ
ପ୍ରକୃତିର ରାଣୀ ଦୂର ଦିଗବଳୟେ
ତ୍ରିରଙ୍ଗା ର ରଙ୍ଗ ମାଖେ ।
ମୋ ଦେଶ ଭାରତ ବୀରର ପ୍ରଦେଶ
ଇତିହାସ କହେ କଥା
ବିଜୟୀ ଖଡ୍ଗର ଜୀବନ୍ତ ତା ଧାର
ଏବେବି ରକତ ମଖା ।
ସଂସ୍କୃତି ସମ୍ପନ୍ନ ମୋ ଦେଶ ମହାନ୍
ଶିକ୍ଷା ଦିଏ ବେଦ ପୁରାଣ
ଭାଗ୍ୟବାନ ବୋଲି ଭାରତ ଭୂଇଁରେ
ହୋଇଛି ଆଜି ମୁଁ ଜନମ ।
ହିନ୍ଦୁ, ମୁସଲମାନ,ଜୈନ, ଖ୍ରୀଷ୍ଟିଆନ
ଅବା ଶିଖ୍, ଇସାଇ
ସଭିଙ୍କର ସାଥେ ସଭିଏଁ ଚଳନ୍ତି
ମାନି ସଦା ଭାଇ ଭାଇ ।
ସାଗର ଲହରୀ ଧୋଇ ଦିଏ ପାଦ
ହିମାଳୟ ତାର ମୁକୁଟ
ଏକତାର ବଳେ ବଳୀୟନ୍ ସଦା
ଏଇ ମୋର ଦେଶ ଭାରତ ।
କେତେ ଗୁଣି,ଜ୍ଞାନୀ,ମହାପୁରୁଷ ଯେ
ଜନ୍ମିଛନ୍ତି ଏଇ ମାଟିରେ
ଦେଶର ହିତରେ ପ୍ରାଣ ଦେଇଛନ୍ତି
ଜୀବନ୍ତ ଅଛନ୍ତି ମନରେ ।
ତାଙ୍କରି ଜୀବନେ ଅନୁପ୍ରାଣିତ ମୁଁ
କରିବି ଦେଶର ସେବା
ମାଆ ଠାରୁ ବଳି ମୋ ଦେଶ ଭାରତ
ଗାଉଥିବି ତାର ଗାଥା ।
