ସେଇ ଆମ୍ବଗଛ
ସେଇ ଆମ୍ବଗଛ
ସେଇ ଆମ୍ବଗଛ
ଅଙ୍କା ବଙ୍କା ଗଳିରେ
ତୁମ ପାଦଚଲା ରାସ୍ତାରେ
ସେଇ ପୁରୁଣା ଆମ୍ବଗଛ
କେଉଁ ଶତାବ୍ଦୀର ଘଟଣାଟିଏ
ଦିନେ ବଖାଣିଥିଲା,
ତୁମ ଲାଜୁଆ ହସରେ ।
ଚିର ସବୁଜ ଗଛଟା
ରଙ୍ଗଛଡ଼ା ଦିଶିଲାଣି
ପତ୍ରଝଡ଼ା ବେଳରେ
ପାକଳ ପତ୍ର ସବୁ ଝଡ଼ିବାକୁ ବସିଲାଣି
ତା' ଦେହରେ ତୁମ ହାତଲେଖା
ମୋ ନାମ ଟିଏ ଲିଭି ଲିଭି ଗଲାଣି
ମୋ ମନର ବାୟାଣୀ ପକ୍ଷୀ
ଫୁର୍ କିନା ଉଡ଼ି ଗଲାଣି
ହେଲେ,
ତୁମେ ସେଇଠି ଆଜିବି ବସିଛ
କେଉଁ ପୁରୁଣା ଫର୍ଦ୍ଦ କୁ
ଓଲଟାଇବା ଆଶାରେ
ଖୁବ ସବୁଜ ରଙ୍ଗର
ପରିକଳ୍ପନାରେ ଆଜିବି ଭାସୁଛ ।
ଅଯଥାରେ ଥକି ଯିବ ତୁମେ
ଅପେକ୍ଷାର ନିର୍ଧୁମ ବେଳାରେ
ଜୀବନ ପର୍ଯ୍ୟାପ୍ତ ନୁହେଁ
ଏକ ଜନ୍ମ ପାଇଁ
ସମୟ କେବେ କହିପାରେନା
କାହାର ଅନ୍ତିମ ଠିକଣା।
ତୁମେ ଯେବେ ଭାବୁଥିବ ମୋତେ
ହୁଏତ ହିଚକି ର ଧକ୍କାରେ
ମୁଁ ବି ବେଦମ୍ ହୋଇ ଯାଉଥିବି,
ତୁମ ଉନିଦ୍ରା ପ୍ରହରରେ
ହୁଏତ
ମୁଁ ତମାମ୍ ରାତିବସି କବିତା ଲେଖୁଥିବି ।
ତୁମେ ତୁମ ଜୀବନ ନାଟକରେ
ମହାନ ନାୟକ ଟିଏ
ଥିଲା ବେଳେ,
ମୁଁ ମୋ ଅଲଡ଼ା ସଂସାର ଭିତରେ
ଯୁଝିହେଉଥିବି।
ତୁମର ଆଉ ମୋର ମାର୍ଗରେ
ଅନେକ ପାର୍ଥକ୍ୟ
ତେବେବି
ସେଇ ବୁଢ଼ା ଆମ୍ବଗଛକୁ
ଆଜିବି ମୋ ଠିକଣା ପଚାରୁଛ?
କାଲି ପଢ଼ିଥିଲି
ଗ୍ରାମ ରାସ୍ତା ବଢ଼ା ହେବ
ଅବରୋଧ କରୁଥିବା କିଛି
ଗଛ କଟା ହେବ
ସ୍ୱାଧୀନତା ନାହିଁ ଯେଉଁ
ଜୀବନ ମାର୍ଗରେ
ସ୍ବପ୍ନ ଆଙ୍କିବାରେ ଭ୍ରମ
ସିଏ ଅବା କାହିଁ ବସି ବସି କରେ।