ବେନାମୀ ଚିଠି
ବେନାମୀ ଚିଠି
ସେଇ ବେନାମୀ ଅକ୍ଷର ର ଚିଠି
କେଜାଣି କେଉଁ ପ୍ରଗଲ୍ଭା ର ଥିଲା
ହାତ ମୁଠାରେ ଜହ୍ନ କୁ ଧରି
ଯେମିତି ମୋପାଇଁ
କବିତା ଟିଏ ଲେଖିଥିଲା ।
" ତୁ ସେଇ ଜହ୍ନ
ଯାହାର ପ୍ରତିବିମ୍ବ କୁ ମୁଁ ଦେଖିବାକୁ
ନୀଇତି ନଦୀ ତୁଠରେ ବସୁଥିଲି
ଯେବେ ତୁ ପାଣିରେ ଦେଖା ଦେଉ
ମୁଁ ଆତ୍ମାରୁ ଭିଜୁଥିଲି ।
ତୋତେ ସ୍ପର୍ଶ କରିବା ଆଶାରେ
ଚହଲା ପାଣିକୁ କେତେଥର
ଛୁଇଁବାକୁ ଚାହିଁଛି
ହେଲେ,
ତୋତେ ହଜେଇ ଦେବା ଭୟରେ
କେତେଥର ପଛକୁ ଫେରିଛି
ତେବେ ବି
ସେ ହଜିଲା ଜହ୍ନ କୁ
ଅସ୍ଥିର ପାଣିରେ
ଆଜି ବି ଖୋଜୁଛି" ....
ଚିଠି ର ପ୍ରତ୍ୟେକ ଟି ଶବ୍ଦ କୁ
ମୁଁ ଏମିତି ଧ୍ୟାନରେ ପଢ଼ୁଥିଲି
ଜୀବନ ର ଅନେକ ଅବସାଦ ପରେ ବି
ମୁଁ ଆତ୍ମହରା ହୋଇ ହସିଥିଲି ।
ଅଜଣା ଥିଲା ସେ ପ୍ରଗଲ୍ଭା
ନାମ ଟିଏ ଗୋପନ ରେ ରଖିଥିଲା
କଳ୍ପନା ର ସଞ୍ଚିତ କ୍ଷଣକୁ ନେଇ
କେଜାଣି କେଉଁ ଯୁଗର ସ୍ୱପ୍ନ କୁ
ନିଜ ଭିତରେ ଧରି ବସି ଥିଲା ।
ନିଜର ଅନେକ ସ୍ମୃତିର ରୋମନ୍ଥନ ପରେ
ଗଭୀର ନିଦରେ ଶୋଇଗଲି
କେଜାଣି କିଏ ଥିଲା ସେ ପ୍ରଗଲ୍ଭା
ଶେଷ ପର୍ଯ୍ୟନ୍ତ ଜାଣି ନ ପାରିଲି ।