ଚଉପଦୀ -୧୫ (ଫୁଲେଇ ଫୁଲ)
ଚଉପଦୀ -୧୫ (ଫୁଲେଇ ଫୁଲ)
କଦମ୍ବ ବନେ ସୁମ କି ଅନୁପମ
କାଦମ୍ବିନୀ କାଦମ୍ଵରୀ କରିଲି ପାନ
ପରାଗ ରେଣୁ ଉଡାଇ, ଭ୍ରମର ମୁଁ ହେଲି ବାଇ
ପରାଗ ସଙ୍ଗମେ ସଖୀ ହୋଇଲି ଲୀନ
କଦମ୍ବ ବନେ ସୁମ କି ଅନୁପମ ।
ଫୁଲେ ଫୁଲେ ଫୁଲେଇ ୟେ ଶ୍ରାବଣ ସଞ୍ଜେ
ନିଧୁବନେ କୃଷ୍ଣ ସଙ୍ଗେ ରାଧିକା କୁଞ୍ଜେ
ରଚିଲେ ଝୁଲଣ ଜାତ, କେଳିରେ ଶ୍ରୀରାଧା କୃଷ୍ଣ
ଦୋଳିରେ ଝୁଲନ୍ତି ରଚି ଅମୀୟ ପ୍ରେମ
କଦମ୍ବ ବନେ ସୁମ କି ଅନୁପମ ।
ଶ୍ରାବଣ ବର୍ଷା ରାତି ରସିକା ଶେଖରୀ
ନହୁଅ ବିମନା ସହୀ ଗୁମାନ କରି
ମା ଏହିଳତୀ ଲତା ଲଳିତ, ସମାନ ଛନ୍ଧି ଦେ ମିତ
ହଜାଇ ଦେଉ ମୋତେ ତୋ ବାହୁ ବନ୍ଧନ
କଦମ୍ବ ବନେ ସୁମ କି ଅନୁପମ ।
ବରଷା ରାତିରେ ତୋର ଉଷୁମ କୋଳେ
କଟାଇ ଦେବି ପ୍ରଣୟ ପୀରତି ଭୋଳେ
ବନେ ମୟୂର ନାଚଇ, ଆକାଶେ ମେଘର ଛାଇ
ରସିଆ ମନ ବସିଆ ମୋ ଜୀବଧନ
କଦମ୍ବ ବନେ ସୁମ କି ଅନୁପମ ।
ମଧୁର ତୋ ପ୍ରେମ ମଧୁ ବନିତା ତୁଲ
ଫୁଲ କୁମାରୀ ପ୍ରଫୁଲ୍ଲ ଫୁଲେଇ ଫୁଲ
ମୋ ଅଙ୍କ ପଲ୍ୟଙ୍କ ପରେ, ବସତୁ ପ୍ରେମ ଆଧୀରେ
ତୋତେ ଲଭି ହୋଇଯିବ ଜୀବନ ଧନ୍ୟ
କଦମ୍ବ ବନେ ସୁମ କି ଅନୁପମ ।