ଚଉପଦୀ -୧୩ (ମୀନ ନୟନୀ)
ଚଉପଦୀ -୧୩ (ମୀନ ନୟନୀ)
ମୀନ ନୟନୀ, ପ୍ରେମ ତରଙ୍ଗିଣୀ ସହୀ
ଗୋକ୍ଷୀର ବରନା, ପ୍ରେମ ଧାରା ମନ୍ଦାକିନୀ,
ମୀନ ନୟନୀ ।
ମଧୁର ଲଳିତ କଥା, ହରି ନିଏ ମନୁ ବ୍ୟଥା
ହସରୁ ମୁକୁତା ଝରେ, ରତି ପତି ଶର ମାରେ
ତୋର ପ୍ରେମ ସୁଧା ଧାରେ
ତୁ ଚନ୍ଦ୍ରର ଚାନ୍ଦିନୀ, ମୀନ ନୟନୀ ।
ଭୁରୁ ଲତା ଇନ୍ଦ୍ର ଧନୁ, ତିଳ ପୁଷ୍ପ ନାଶା “ତନୁ-
ଲବଣୀ” ସମ କୋମଳ, କି ଅବା ତୁ ପଦ୍ମ ଦଳ
ଝରେ ଅବା ମକରନ୍ଦ
ଆରେ ବର ବରନୀ, ମୀନ ନୟନୀ ।
ଦିଶୁ ଲବଙ୍ଗ ଦୀପର, ସ୍ଵପ୍ନ କୁମାରୀ ପ୍ରକାର
କିଅବା ଅଳକା ପୁରୀ, ନୃତ୍ୟ ରତା ଅପସରୀ
ତୋ ରୂପ ଝଲସି ଯାଏ
ଝଲସେ ସୌଦାମିନୀ, ମୀନ ନୟନୀ ।
ପ୍ରଫୁଲ୍ଲ ଫୁଲେ କବରୀ, ବାନ୍ଧିଛୁ ରେ ସୁନା ଗୋରୀ
ଆଖି ଯାଏ ଲାଖି ଯଥା, ପ୍ରଣୟେ ପ୍ରୀତିର ଅଠା
ରସିକ ଶେଖର ମନ
ପ୍ରେମେ ନେଉ ଲୋ ଟାଣି, ମୀନ ନୟନୀ ।

