ନିଜ ନିଶ ନିଜ ଦାୟିତ୍ୱରେ ରଖନ୍ତୁ
ନିଜ ନିଶ ନିଜ ଦାୟିତ୍ୱରେ ରଖନ୍ତୁ
ନିଜ ନିଶ ନିଜ ଦାୟିତ୍ୱରେ ରଖ
ବସ୍ରେ ଲେଖାଥିଲା
ଏହାଦେଖି ମୋର ମୁଣ୍ଡ ଘୁରିଗଲା
ଇଏ କୋଉ ବେଳ ହେଲା।
ସୁନା ରୁପା ଟଙ୍କା ପକେଟ୍ମାର୍ କି
ଡକାୟତି ହୋଇପାରେ
ନିଶ କେବେ ଠାରୁ ଚୋରୀ ଯେ ହେଲାଣି
(କହୁଛ)ରଖ ନିଜ ଦାୟିତ୍ୱରେ।
ଦାୟିତ୍ୱରେ କ'ଣ ରଖିନାହିଁ ମୋର
ପ୍ରଜାପତିଆ ନିଶକୁ
ନା କିଏ କାହିଁ କାହା ନାକତଳ ନିଶ
ଯିବ ଚୋରୀ କରିବାକୁ?
ଏହା ଭାବୁ ଭାବୁ ନିଶରେ ମୋ ହାତ
ବାରବାର ବାଜୁଥିଲା
ଏ ଢଙ୍ଗକୁ ଦେଖି ସ୍ତ୍ରୀ ଲୋକଟିଏ
ମୋତେ ପୁଣି କହିଦେଲା।
କାହିଁକି ମଉସା ନିଶରେ ଏମିତି
ବାରମ୍ବାର ହାତମାର
ତୁମ ନିଶ କ'ଣ କିଏ ନେଇଯିବ
ଲାଗୁଛି ତୁମକୁ ଡର?
କେମିତିକା କଥା କହୁଛୁଲୋ ମାଆ
ଗାଡ଼ିରେ ତ ଲେଖାଅଛି
ନିଜ ନିଷ ନିଜ ଦାୟିତ୍ୱରେ ରଖ
ମୁଁ ଏହା ସ୍ପଷ୍ଟ ଦେଖିଛି।
ନିଜ ନିଷ ନୁହେଁ ନିଜ ଜିନିଷକୁ
ଦାୟୀତ୍ଵେ ରଖିବା ପାଇଁ
ବସ୍ ଭିତରେ ଲେଖା ହୋଇଥାଏ
ଯାତ୍ରୀଙ୍କ ସୁରକ୍ଷା ପାଇଁ।
ବେଳେବେଳେକିଛିବାତରା ଗୋଷ୍ଠୀଙ୍କ
ଗାଡ଼ିରେ ପ୍ରବେଶ ହୁଏ
"ଜିନିଷ"ରୁ 'ଜି' କାଟିଦେଇଥାନ୍ତି
"ନିଷ"ଖାଲି ରହିଥାଏ।
ତାଲବ୍ୟ ଶ ଥାଏ "ନିଶ"ରେ ମଉସା
"ଜିନିଷ"ରେ ମୁର୍ଦ୍ଧନ୍ୟ ଷ
ଏଠି ଯେଉଁ 'ଷ'ରହିଛି ଦେଖୁଛ
ନିଶ ନୁହେଁ ଏ ଜିନିଷ।
ଆଉ ଗୋଟେ କଥା ବସ୍ ଭିତରେ
ଯତନରେ ଲେଖାଥାଏ
"ଭଗବାନ ଆପଣଙ୍କ ଯାତ୍ରା
ସଫଳ କରନ୍ତୁ"
ଏ ବାର୍ତ୍ତା ବି ଲେଖାଥାଏ।
କିନ୍ତୁ"ଭଗବାନ"ଶବ୍ଦରୁ ଦୁଇଟି
ଅକ୍ଷର ଚୋରୀ ହେଲାଣି
ଏବେ ଭଗବାନ ଉଠିଯାଇ ପୁଣି
ଈଶ୍ୱର ଲେଖା ହେଲେଣି।
ପବିତ୍ର ଶବ୍ଦକୁ ଅପବିତ୍ର କରି
କେତେକ ମଜା ନିଅନ୍ତି
ପୁଣି କେତେକ ମହିଳାଙ୍କ ପାଖେ
ଗେଞ୍ଜିଗାଞ୍ଜି ହେଉଥାନ୍ତି।
ଏତେ ସବୁ କଥା ଜାଣି ମୁଁ ନ ଥିଲି
ନିଶ କଥା ଭାବୁଥିଲି
ନିଶ ବି ତ ଟ୍ରକ୍ ଟାଣିପାରେ ଏଠି
ଭାବନି ଛୋଟିଆ ବୋଲି।
ଯଦି ଭାଇ ନିଶ ହଳେ ରଖିଥିବ
ପୁରୁଷରେ ଗଣା ହେବ
ପୁରୁଷାର୍ଥର ଏ ଦାମୀ ନିଶ ତୁମେ
ଦାୟିତ୍ୱରେ ରଖିଥିବ।
ପୁରୁଷ ମୁହଁର ସୌନ୍ଦର୍ଯ୍ୟ ବଢାଏ
ନାକ ତଳ ସେଇ ନିଶ
ନିଶ ଚାଞ୍ଛିଦେଇ ମାଇପିଙ୍କ ଭଳି
ମାରୁଛ ମୁରୁକି ହସ।
ନିଜ ସ୍ତ୍ରୀ ପିଲା ନିଜର ସଂସାର
ଅଟେ ନାକ ତଳ ନିଶ
ଅପବାଦ ଖୁର ବଜାଅନା ଭାଇ
ସବୁ ଖ୍ଯର ହୋଇଯିବ।
ତୁମ ଧଡା ଯଦି ମୁକୁଳା ରଖିବ
ଷଣ୍ଢ ତ ନିଶ୍ଚେ ପଶିବ
ସେତେବେଳେଯଦି ଷଣ୍ଢ ଦୋଷ ଦେବ
କିଛି ବି ଲାଭ ନ ଥିବ।
ତେଣୁ ଫସଲର ସମ୍ପୂର୍ଣ୍ଣ ସୁରକ୍ଷା
ତୁମର ଦାୟିତ୍ୱ ସିନା
ବାରଆଡେ ମୁହଁ ମାରୁଥାଏ ତେଣୁ
ସେ ଷଣ୍ଢ ଭାରି ମାରଣା।
କ୍ରମଶଃ.........
