ନଈ
ନଈ


ପାହାଡର ଶକ୍ତ ଛାତି ଚିରି ଚିରି
ଛଳ ଛଳ ଚପଳ ଛନ୍ଦରେ ଝରି
ଖିଲି ଖିଲି ହସ ହସି ମନଭରି
କୁଳୁ କୁଳୁ ମିଠା ଗୀତ ଗାନ କରି
ଜନମି ମୁଁ ନିଚେ ଯାଏ ଝରି ଝରି ।
ଉଚ୍ଚ ଉଚ୍ଚ ପାହାଡର ଦେହ ଡେଇଁ
କିଟି କିଟି ଅନ୍ଧାରୁଆ ଗୁମ୍ଫା ଦେଇ
ଘନଘୋର ଅରଣ୍ୟର ମଥା ଛୁଇଁ
ରାଶି ରାଶି ବାଲୁକା ପିଠିରେ ଶୋଇ
ଚିର ସ୍ରୋତା ନଈ ଚାଲିଛି ଆଗେଇ
ଧୀରେ ଧୀରେ ସମୟର ହାତ ଧରି
ସାଥେ ସାଥେ ଚାଲୁଛି ମୁଁ ଥିରି ଥିରି
ମିଠା ମିଠା ସପନ ମନରେ ଭରି
ସୁନୀଳ ସାଗରେ ମିଶିବାର ପାଳି
ଅହରହ ଧାଉଁଛି ମୋ ଲକ୍ଷ୍ୟସ୍ଥଳୀ
ଧୁଉ ଧୁଉ ନିଦାଘର ଖରା ଖାଇ
ଥୁରୁ ଥୁରୁ ଜାଡେ କାଲୁଆଟି ହୋଇ
ଟିପି ଟିପି ବରଷାର ଟୋପା ପିଇ
ପବନର ତାଳେ ତାଳେ ଡେଇଁ ଡେଇଁ
ଅଳସୀ ଛନ୍ଦରେ ଅଙ୍କା ବଙ୍କା ହୋଇ।
କେଉଁଠି ମୁଁ ପାଦେ ପାଦେ ଅଗଭୀର
କେଉଁଠି ବା କାତେ କାତେ ସୁଗଭୀର
ଅଗଭୀରେ ଅସ୍ଥିର ଗଭୀରେ ସ୍ଥିର
ଶିକ୍ଷା ଦିଏ ଜ୍ଞାନୀ ଗୁଣି ନମ୍ର ଧୀର
ଚିରସ୍ରୋତା ନଈ ଲକ୍ଷ୍ୟ ମୋର ସ୍ଥିର ।
ଧାଉଁଛି ମୁଁ ଧାଉଁ ଥିବି ଅବିରତ
ଘଡି ଘଡି ନହୋଇ କି ବିଚଳିତ
ଦୂରେ ଦୂରେ ଯାତ୍ରା ମୋର ଅବିଶ୍ରାନ୍ତ
ଥକି ଥକି ରହିବିନି ଅଧା ପଥ
ଇଷ୍ଟ ମିଳନରୁ ହେବିନି ବିରତ ।
ଭରା ଭରା ଚିତ୍ତ ପୂର୍ଣ୍ଣ ସମର୍ପଣ
ରହି ରହି ସାଗରର ଆମନ୍ତ୍ରଣ
ସୁ ବିସ୍ତୀର୍ଣ୍ଣ ମୁହାଣର ସମ୍ଭାଷଣ
ଅଙ୍ଗ ସଙ୍ଗ ଲାଭ କରି ମୁଁ ତଲ୍ଲୀନ
ଆତ୍ମା ଯେହ୍ନେ ପରମାତ୍ମାରେ ବିଲୀନ।
ଯୁଗେ ଯୁଗେ ଜୀବ ଜଗତର ମିତ
ଜଗତ କଲ୍ୟାଣ ପାଇଁ ବିକଶିତ
କେତେ କେତେ ସଭ୍ୟତାର କେନ୍ଦ୍ରେ ସ୍ଥିତ
ଭରା ଭରା ସବୁଜିମାରେ ଜୀବନ୍ତ
ଜାତି ବର୍ଣ୍ଣ ନିର୍ବିଶେଷେ କରେ ହିତ ।