STORYMIRROR

SARATA KUMAR DAS

Tragedy

3  

SARATA KUMAR DAS

Tragedy

ନିଃସଙ୍ଗତାର ସ୍ବର

ନିଃସଙ୍ଗତାର ସ୍ବର

1 min
125


ବେଦନା ବିଧୁର ରିକ୍ତ ହୃଦୟୁ ମୋ

ରୁଧିରର ବିନ୍ଦୁ ଝରେ

କୋଳାହଳ ହୀନ ଏ ନିଃସ୍ବ ଜୀବନେ

ତମିସ୍ରା ଢାଙ୍କଇ ଧୀରେ ।।


ବସନ୍ତର ଯେତେ ମୃଦୁ କୋଳାହଳ 

କୋକିଳର କୁହୁ ସ୍ବର

ଅସ୍ପଷ୍ଟ, ନିଷ୍ପ୍ରଭ, ଫିକା ଫିକା ରଙ୍ଗ

ବହଇ ଅଶ୍ରୁର ଧାର  ।।


ଅଗ୍ନିର ସ୍ଫୁଲିଙ୍ଗ ଝରେ ଝର ଝର 

ଚେତନାର ରୁଦ୍ଧ ଦ୍ବାରେ 

ଯୌବନର ଯେତେ ସବୁଜ ଅରଣ୍ୟ

ଜଳେ ସିନା ନିରନ୍ତରେ ।।


ମିଥ୍ୟା ମରୀଚିକା ଅସତ୍ୟ ସହରେ

ହଜେ ଫଗୁଣର ଚିହ୍ନ 

ସ୍ନେହ ସଂପ୍ରୀତିର ବତୀ ଲିଭିଯାଏ

ଲାଗେ ଯାହା ମହାଶୂନ୍ୟ ।।


ସ୍ବାର୍ଥପରତାର ଅନ୍ଧାରୀ ମୂଲକେ 

ବିବେକର ଦୀପ ଲିଭେ

ଅହଙ୍କାର ଘେରା ପାପର ସାମ୍ରାଜ୍ୟେ

ପ୍ରଳୟର ଶବ୍ଦ ଶୁଭେ  ।।


ତ୍ୟାଗ ତିତିକ୍ଷାର ମଧୁର ରାଗିଣୀ 

ଲୟହୀନ ଛନ୍ଦହୀନ 

ଜନ୍ମ ଓ ମୃତ୍ୟୁର ଯୂପକାଠେ ବନ୍ଧା

ଜୀବନ ହୁଅଇ ମ୍ଳାନ  ।।


ପାପ ଓ ପୁଣ୍ୟର ଲୁଚକାଳି ଖେଳ

ଅଧା ଛାଇ ଅଧ ଖରା

ଅନ୍ଧାର ଆଲୋକ ଜୀବନର ପଥେ

ପକ୍ଷୀ ହୁଏ ନୀଡ ହରା ।।


ମାନବିକତର ମଧୁର ବର୍ଣ୍ଣାଳୀ 

ଜ୍ୟୋତିହୀନ କାନ୍ତିହୀନ

ପ୍ରୀତି-ପୁଲକର ଚନ୍ଦନ ମହକ

ବାସହୀନ ପ୍ରାଣହୀନ ।।


ଚଉଦିଗ ଘେରା ମାୟାର ମହଲ

ଛଳନାର ଅଭିସାର

ଦୁଃଖ ଯନ୍ତ୍ରଣାର ଚିରସ୍ରୋତା ନଦୀ

ବହେ ସିନା ଝର ଝର  ।।


ସମୟର ସ୍ରୋତ ନିଷ୍ଠୁର ପ୍ରଖର

ଅନ୍ଧକାର ନଇଁ ଆସେ

ଯେତେ ଅହମିକା ପୁଣି ଦାମ୍ଭିକତା 

ବୁଦ୍ ବୁଦ୍ ସମ ଭାସେ  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy