ନିଦାଘେ ବସନ୍ତ ସୁଷମା
ନିଦାଘେ ବସନ୍ତ ସୁଷମା
ହେ ଉଦ୍ଧବ, ଶୁଣ ଏ ରାଧାର କଥା
ନୁହେଁ କବିର କଳ୍ପନା
ନିଜ ଅନୁଭୂତି କହୁଛି ବୁଝାଇ
ହୁଅ ନାହିଁ ଆନମନା
ନିଦାଘେ ବସନ୍ତ ସୁଷମା ଗୋପରେ
ସହଜରେ ଅନୁମେୟ
କୃଷ୍ଣ ବଂଶୀ ସ୍ଵନ ମୂର୍ଚ୍ଛନା ସହିତ
ଋତୁ ଚକ୍ରରେ ଅଥୟ
ଚହଲା ପାଣିରେ କଦମ୍ବ ଭାସିଲେ
ମାରେ ସେ ଆଖି ମିଟିକା
ଯମୁନା କୂଳରେ କଦମ୍ବ ମୂଳରେ
ରାଧା ଆଜି ଏକା ଏକା
ରାଧା ରାଧା ଡାକ ଶୁଭୁନି ତଥାପି
ବସିଛି ଯମୁନା କୂଳେ
ପାଖେ କାହ୍ନା ଥିବା ଅନୁଭବ ପ୍ରାୟ
ପ୍ରତ୍ୟୟ କଦମ୍ବ ମୂଳେ
କଦମ୍ବ ବନର ନୀରବତା ଭାଙ୍ଗି
ଶୁଭୁନି ବଇଁଶୀ ସ୍ୱର
ମଥାରେ ମୟୂର ଚୂଳ ବନ୍ଧା ବାଲା
ଛାଡ଼ି ଗଲା ଗୋପ ପୁର
ମଳୟ ପବନେ କଦମ୍ବ ସୁବାସ
ବାସ ଚହଟି ଉଠୁଛି
ଗୁଣୁ ଗୁଣୁ ହୋଇ ଭ୍ରମର ବି ବୋଧେ
କିଛି ପ୍ରଶ୍ନ ପଚାରୁଛି
ଯେବେ କାହ୍ନା ଥିଲା ବାହୁ ବନ୍ଧନୀରେ
ମୁରଲୀ ଫୁଙ୍କିବା ନିଶା
ତନ ମନ ସବୁ ମିଶି ଯାଉଥିଲା
ହେଲି କେତେ ଲୋକହସା
କୋଇଲି ର ସେହି ସୁମଧୁର ଗାନ
ବେସୁରା ହୁଏ ପ୍ରତ୍ୟୟ
ରାଧା ମାତ୍ର ଏକୁଟିଆ ଦେଖି ବୋଧେ
ଭୁଲିଯାଏ ତାଳ ଲୟ
ବସନ୍ତ ଋତୁ ତ ଆସୁଛି ଧରା କୁ
ରାଧା କୁ ନିଦାଘ କିଆଁ
ଯମୁନାର ଜଳ ଉଜାଣି ଉଠୁଛି
ବୋଧେ ଖୋଜୁଛି କହ୍ନେୟା
ଗଭାର ଗଜରା ବାସ ହେଉ ନାହିଁ
ମଉଳି ଯାଉଛି କିଆଁ
ବଇଁଶୀ ର ସ୍ୱର ଶୁଭୁ ନାହିଁ ଜାଣି
ହେଉଛି ବୋଧେ ଛାନିଆ
ସଖୀ ସହଚରୀ ଦୂରେଇ ଗଲେଣି
ରାଧା ପରା ଏବେ ଅଧା
ବିଗତ ଦିନର ସ୍ମୃତି ଉଜ୍ଜୀବିତ
କିମ୍ପା ବାଧା ପରେ ବାଧା
ତଥାପି କାହିଁକି କଦମ୍ବ ମୂଳରେ
ରହି ଯାଇଅଛି ମନ
ଦିନେ ନ ଆସିଲେ ଭଲ ଲାଗୁ ନାହିଁ
କଦମ୍ବ ମୂଳେ ମୋ ପ୍ରାଣ
ଅଦ୍ୱିତୀୟ ବଂଶୀ ସ୍ୱନ ପ୍ରଭାବରେ
ତରଳି ଥିଲା ପଥର
ପଶୁମାନେ ହିଂସ୍ର ସ୍ବଭାବ ଭୁଲିଲେ
ଯମୁନାର ଜଳ ସ୍ଥିର
ନିଦାଘେ ଫୁଟିଲା ବସନ୍ତ ସୁଷମା
କୋଇଲି ଗାଇଲା ଗୀତ
ଶୁକ ପିକ ପୁଣି ତନ୍ମୟ ହୋଇଲେ
ଦେଖି ନିଦାଘେ ବସନ୍ତ
ଜଳ ଚର ଜୀବ ସ୍ଥିର ଅବସ୍ଥାରେ
ବିହଙ୍ଗ କାକଳି ଭୁଲି
ପବନ ଓ ଚନ୍ଦ୍ର ନିଜ ଗତି ପଥ
ସହଜେ ଗଲେ ବି ଭୁଲି
ଧ୍ୟାନସ୍ଥ ଯୋଗୀ ର ହେଲା ଧ୍ୟାନ ଭଗ୍ନ
ଗୋପାଙ୍ଗନା ବି ବିବ୍ରତ
କାମିନୀ ଶ୍ରୀରାଧା ଯାମିନୀ କାଳରେ
ବଂଶୀ ସ୍ୱନ ରେ ମୋହିତ
କୂଳବଧୁ,ଘର ଶାଶୁ ଓ ନଣନ୍ଦ
ମନେ ନ ଥିଲା ବିଚାର
କାହ୍ନା ବଂଶୀ ସ୍ଵର ଆକର୍ଷଣ ଧାରେ
କୁଞ୍ଜବନେ ଆଗଭର
ଶ୍ୟାମ ବିନା କୁଞ୍ଜବନ ଶୂନ୍ୟତା ରେ
ବିଚଳିତ ହେଲା ପ୍ରାଣ
ଏ ଘନ କାଳରେ କାହିଁ ଗଲେ ଶ୍ୟାମ
ତନ ମନ ଅବସନ୍ନ
ଝୁରୁଛି ରାଧିକା ଏକାକୀ କୁଞ୍ଜରେ
ଚିନ୍ତା ଚେତନାରେ ଶ୍ୟାମ
ଶ୍ୟାମ ଦୂର୍ବାଦଳ ମୋହନ ନାଗର
ଠାଣି ବାଣୀ ଅନୁପମ
ନୟନରେ ଅଶ୍ରୁ ହୃଦୟରେ କୋହ
ଓଠ ଧାରେ ନାହିଁ ହସ
ଶ୍ୟାମ ବିନା ଏହି ଯାମିନୀ ବିତିବା
ପ୍ରାୟ ଶୁନ୍ୟ ନିରଳସ
ଝୁରୁ ଅଛି ରାଧା କାହ୍ନା କଥା ଭାଳି
କହୁଛି ଅନ୍ତର କଥା
ଶ୍ୟାମ ରୂପ ,ରଙ୍ଗ, ତ୍ରିଭଙ୍ଗୀ ଚାହାଣୀ
ଦର୍ଶନ ନିମନ୍ତେ ଚିନ୍ତା
ପ୍ରେମର ଆଧାର ଶ୍ରୀରାଧା ପ୍ରେମିକା
ସାକ୍ଷୀ ଯମୁନାର ଜଳ
ସାକ୍ଷୀ କେଳି କୁଞ୍ଜ,ସାକ୍ଷୀ ସହଚରୀ
ସାକ୍ଷୀ ଗୋପୀ ଓ ଗୋପାଳ
ଆକାଶକୁ ଚାହିଁ ଭାବେ ତୁମ ରାଧା
ଆକାଶର ରଙ୍ଗ ନୀଳ
ନୀଳ ତମାଳ ଓ ଯମୁନାର ଜଳ
କୃଷ୍ଣ ସ୍ଵୟଂ ରଙ୍ଗ ନୀଳ
ପୁରୁଷ ପ୍ରକୃତି ମିଳନର ଗାଥା
ଆତ୍ମା, ଆତ୍ମା ସହ ଲୀନ
ଶ୍ରୀରାଧା ମାଧବ ଏକ ଦିବ୍ୟ ଆତ୍ମା
ଅବିଚ୍ଛେଦ୍ୟ ଚିରାମ୍ଳାନ
ମନ ଜଳେ ବିରହର ଦାବାନଳେ
ଏକାକୀ ଘନ କାଳରେ
ସମ୍ଭାବନା ଭାବ ହୃଦେ ଉଜ୍ଜୀବିତ
ଚାହିଁଛି ବି ଉଜାଗରେ
କାମିନୀ ବେଶରେ ସଜ ଫୁଲ ସବୁ
ମଉଳି ଗଲାଣି ପ୍ରାୟ
ବିତୁଛି ଏ ରାତି ପାଶେ ନାହିଁ ସାଥୀ
ମନରେ ଉଠୁଛି କୋହ
ଦୂର ଦେଶୀ ବନ୍ଧୁ ସମ ଅଛ ଦୂରେ
ଡାକୁ ଥିଲ ବଂଶୀ ସ୍ୱରେ
ଉଚ୍ଛନ୍ନ ମନରେ ଶୀତଳତା ଭାବ
ମୃଗ ତୃଷ୍ଣା ଭାବନାରେ
ଫଟା ବେଲୁନ ର ପବନ ସମାନ
ଅବା ଲିଭି ଯିବା ଶିଖା
ଶୁନ୍ୟରେ ଅଦୃଶ୍ୟ ହୁଅଇ ଯେପରି
ପ୍ରେମ ଭାବେ ତୁମେ ସଖା
କାହ୍ନା ହିଁ ପରମ ରାଧା ଜୀବ ସମ
ନିଃସର୍ତ୍ତ ରେ ସମର୍ପଣ
ସାଂସାରିକ ବାଧା ବିଘ୍ନ ଥିବା ସତ୍ତ୍ବେ
ରାଧା ଚାହେଁ ଆଲିଙ୍ଗନ
ଶାଶୁ ଶଶୁର ଓ ନଣନ୍ଦ ଗଞ୍ଜଣା
ପୁଣି ପ୍ରେମ କଥା ଧାରେ
କାହ୍ନା ସହ ରାଧା ନାମ ଯୋଡ଼ି ନିନ୍ଦା
ପ୍ରାୟ ଆଗରେ ପଛରେ
ହୃଦରେ କମ୍ପନ ଆଖିରେ ସପନ
ଓଠେ ନାହିଁ ମିଠା ଧାର
ଅପଲକ ନୟନରେ ଚାହିଁ ଅଛି
କେବେ ଆସିବେ ନାଗର
ବେଦନା ର ଜଉ ଘରେ ଶାରୀ ସମ
ଅଛି ମୁକ ଅବସ୍ଥାରେ
କୁଞ୍ଜବନ ଛାଡ଼ି କାହିଁ ଗଲେ ଶ୍ୟାମ
ରାଧା ବିରହି ରୂପରେ
କିଛି ତ ଲୁଚାଇ ନ ଥିଲି ତୁମକୁ
ଭାବ ହେଲା ଦିନ ଠାରୁ
କାହିଁକି ରହିଛ ଦୂରେଇ ମୋ ଠାରୁ
ଭାବ ରହୁଛି ଅଧାରୁ
ଲୋକ ଲଜ୍ଜ୍ୟା ଭୁଲି ତୁମ ସହ ମିଶି
ରଖି ଭାବ ଖୋଲା ଖୋଲି
ଭାବୁଛ କି କିଛି ଲୁଚାଇଛି ବୋଲି
ନ କହି ଅନ୍ତର ଖୋଲି!
ତୁମ ଭାବନାକୁ ସମ୍ମାନ ଜଣାଇ
ଉନ୍ମୁକ୍ତ ଅଛି ମୋ ଭାବ
କିଛି ଲୁକ୍କାୟିତ ନାହିଁ ମୋର ହୃଦେ
ତୁମ ଭାବରେ ମୋ ଭାବ
ତୁମ ବଇଁଶୀ ର ସୁର ଲୟ ତାଳେ
କିଛି ବି ରହିନି ଲୁଚି
ସେଇ ସୁର ତାଳେ ହୃଦୟର ଭାବ
ଆପେ ଜାଗ୍ରତ ରହିଛି
ଅଧା ରହିବ କି ଭାବର ପ୍ରକାଶ
କେଉଁ ଭାବେ ଅଛ ଲୁଚି
ଏକାକୀ ଖେଳୁଛ ଲୁଚକାଳି ଖେଳ
ଏକୁଟିଆ ଲୁଚା ଲୁଚି
ଥରେ ମାତ୍ର ଆସ ଏହି କୁଞ୍ଜବନ
ରାଧା କାହ୍ମା କୁ ଖୋଜୁଛି
ଏ ଯାମିନୀ ଅନ୍ତ ହେବାକୁ ନିକଟ
ଏ କାମିନୀ ବି ମଉଳିଛି
ଦୂର୍ବାଦଳ ଶ୍ୟାମ ଶ୍ୟାମ ଶ୍ୟାମା ଶ୍ୟାମ
ଭଜୁଛି ସାରା ଯାମିନୀ
କାମିନୀ ଭାବନା ମଉଳି ନ ଯାଉ
କହେ ରାଧା ବିରହିଣୀ ।।
ରାଧାକୃଷ୍ଣ ଏକ ଆତ୍ମା ଭିନ୍ନ ଦେହେ
ଆତ୍ମା ଅଦୃଶ୍ୟ ରୂପରେ
ଆତ୍ମାକୁ କେବଳ ଅନୁଭବ ଯୋଗ୍ୟ
କୃଷ୍ଣ ରୂପ ଦର୍ଶନରେ
କବି ଲେଖନୀର ଅଳଙ୍କାର ଗାଥା
ଅବା ପରିକଳ୍ପନା ରେ
ପ୍ରେମୀ ଯୁଗଳଙ୍କ ମିଳନ ବେଳାକୁ
ବସନ୍ତ ଋତୁ କ୍ରମରେ
କାହ୍ନା ବଇଁଶୀ ରେ କି ଥିଲା କୁହୁକ
ନିଦାଘେ ଫୁଟେ ବସନ୍ତ
କୃଷ୍ଣ ଗୁଣ ଗୁଣୀ ରହିଛି ଗୋପରେ
ସତ୍ୟ କଲି ପ୍ରକାଶିତ

