ନିଆଁ
ନିଆଁ
ପଞ୍ଚଭୂତରେ ତ ଏଇ ଶରୀର
ଆମର ଗଢା ହୋଇଛି
ଅନଳ, ଅନିଳ, ଅମ୍ବର, ସ୍ଥଳ
ପାଇଁ ଯେ ତିଷ୍ଠି ରହିଛି ।
ବିନା ଅଗ୍ନିରେ କି କିଏ ବଞ୍ଚିପାରେ
କର୍ଣ୍ଣରେ ଶୁଣିଛ କିଏ
ଜନମ ସହିତ ମରଣ ପର୍ଯ୍ୟନ୍ତ
ନିଆଁ ସାଥେ ରହିଥାଏ ।
ଜନମ ହୋଇଲେ ଏନ୍ତୁଡି ଶାଳରେ
ପ୍ରଥମ ନିଆଁ ଏ ହୁଏ
ଶେଷ ନିଆଁରେ ଯେ ମଶାଣୀ ଜୁଇରେ
ଜଳି ସେ ପାଉଁଶ ହୁଏ ।
ଅଗ୍ନିର ଦେବତା ଅଗ୍ନି ଯେ ଜାଳନ୍ତି
ଲିଭେଇ ବି ଥାନ୍ତି ସିଏ
ଲଙ୍କା ପୋଡି ବେଳେ ରାବଣ ଆଦେଶେ
ହୋଇଥିଲା ପରା ଇଏ ।
ରାତି ପାହିଗଲେ ନିଆଁ ଆବଶ୍ୟକ
ନିଆଁରେ ରୋଷେଇ ହୁଏ
ଗ୍ୟାସ୍, ହିଟର, ଷ୍ଟୋଭ୍, ଇଣ୍ଡକ୍ସନ୍
ଚୁହ୍ଲା ହେଉପଛେ ସିଏ ।
ସେଥିରେ କି ନିଆଁ ଉତ୍ତାପ ଆସେନା
ଭାବି ଚିନ୍ତି ଟିକେ କୁହ
ବିନା ନିଆଁରେ ତ ଜଗତ ତିଷ୍ଠିବା
କେବେ ବି ସମ୍ଭବ ନୁହଁ ।
ଏଇ ନିଆଁ ଯୋଗୁଁ କଳକାରଖାନା
କେତେ ପୁଣି ଚାଲୁଅଛି
ଇଟା ଭାଡି ପୋଡି ସେ ଇଟାରେ ପୁଣି
ଘର ନିର୍ମାଣ ଚାଲୁଛି ।
ଯେଉଁ ଘରେ ଆମେ ବାସ କରୁଅଛେ
ସିଏ ତ ନିଆଁର ପାଇଁ
ବିନା ନିଆଁରେ କି ଚଳି କି ପାରିବ
କୁହ କିଏ ଦିନ ଦୁଇ ।
ଶୀତ ଋତୁ ହେଲେ ନିଆଁ ଆବଶ୍ୟକ
ସମସ୍ତଙ୍କ ପାଇଁ ହୁଏ
ବୁଢା ଠାରୁ ବୁଢୀ ଜୀବଜନ୍ତୁ , ଶିଶୁ
ନିଆଁ ସେକି ହେଉଥାଏ ।
ଏଇ ନିଆଁ ସାଜେ ଜୀବନ ରକ୍ଷକ
ଭକ୍ଷକ ସାଜେ ବି ସିଏ
କ୍ଷଣିକ ଭିତରେ ଜାଳି ପୋଡି ମୁଠେ
ପାଉଁଶ କରିଣ ଦିଏ ।
ଅଜାଣତେ କେବେ ନିଆଁ ଲାଗିଯାଏ
ଜୀବନ ବି ନେଇଥାଏ
<p>ଜାଣି ଶୁଣି କିଏ ନିଜ ସ୍ବାର୍ଥ ପାଇଁ
ଜଙ୍ଗଲକୁ ପୋଡି ଦିଏ ।
ନିଆଁ ତ ଜାଣେନା ଭଲ ମନ୍ଦ କିଛି
ଜ୍ବଳନ ସ୍ବଭାବ ତା'ର
ଭାବି ଚିନ୍ତି ତାକୁ ଏଇ ତ ମାନବ
କରିଥାଏ କାରବାର ।
ଭଲ କର୍ମେ ତାକୁ ଲଗାଇଲେ ଭଲ
ଫଳ ଦେଇଥାଏ ସିଏ
ମନ୍ଦ କର୍ମେ ଯଦି କର ବ୍ୟବହାର
ନା ସିଏ ତା ଛାଡିଥାଏ ।
ପ୍ରହଲ୍ଲାଦକୁ ପୋଡି ମାରିବା ପାଇଁ ଯେ
ହୋଲିକା ଅଗ୍ନି ଜାଳିଲେ
ନିଜେ ଶେଷେ ସେଇ ନିଆଁରେ ପୋଡିଣ
ଯମପୁରକୁ ସେ ଗଲେ ।
ରାବଣକୁ ମାରି ସୀତା ଉଦ୍ଧାରିଲେ
ନିଆଁ ଲକ୍ଷ୍ମଣ ଜାଳିଲେ
ସେ ନିଆଁ ଭିତରୁ ଜନକ ନନ୍ଦିନୀ
ସୀତା ବାହାର ହୋଇଲେ ।
ପାଣ୍ଡବମାନଙ୍କୁ ମାରିବାର ପାଇଁ
ଦୁର୍ଯ୍ୟୋଧନ ଚିନ୍ତା କଲା
ଜଉ ଘରେ ରଖି ନିଆଁ ଜାଳିଦେଲା
ତା ଯୋଜନା ପଣ୍ଡ ହେଲା ।
ଦ୍ରୌପଦୀଙ୍କ ଆଖି ନିଆଁରେ ହସ୍ତିନା
ପୁର ଜଳି ଯାଇଥିଲା
ଭାନୁମତୀ ରାଣୀ ଉଲଗ୍ନ ହୋଇଣ
ସଭାରେ ପ୍ରବେଶ ହେଲା ।
ଏଇ ଅଗ୍ନି ପାଇଁ କୃଷକ ଭାଇଟି
ଆଖୁ ଶାଳ କରି ପାରେ
ଆଖୁ ପେଡି ସିଏ ଆଖୁର ରସରୁ
ଗୁଡକୁ ବାହାର କରେ ।
କମାର ଭାଇଟି ଲୁହା ତରଳେଇ
ଜିନିଷ ତିଆରି କରେ
ସେ ଲୁହାରୁ ସୃଷ୍ଟି କେତେ ଦ୍ରବ୍ୟ ନର
ଆସିଥାଏ ବ୍ୟବହାରେ ।
ଏଇ ନିଆଁ ଅଟେ ବଡ ଉପକାରୀ
କ୍ଷତି ପୁଣି କରିଥାଏ
ଭାବି ଚିନ୍ତି ତାକୁ କର୍ମେ ଲଗାଇଲେ
ଭଲ ଫଳ ଦିଏ ସିଏ ।
ଏ ନିଆଁକୁ ଲିଭେଇବା ସହଜ ତ
ପାଣିରେ ସେ ଲିଭିଥାଏ
ମନ ହୃଦୟରେ ଯେଉଁ ନିଆଁ ଲାଗେ
ନା ଲିଭେଇ ପାରେ କିଏ ?