STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଧ୍ଵଂସମୁଖୀ ମାନବତା

ଧ୍ଵଂସମୁଖୀ ମାନବତା

1 min
348

ନିଜକୁ ନିଜେ ସେ ବିକଳାଙ୍ଗ କରି ଚାଲିଛି ଦିନ ପରେ ଦିନ

ଏପଟେ ଏମିତି ନିଦ୍ରାଗ୍ରସ୍ତ ଯେ କୋଳାହଳେ ଭାଙ୍ଗେନି ସପନ

ଘରଠାରୁ ଗଳି ଦେଇ ସହର ପର୍ଯ୍ୟନ୍ତ ଲମ୍ବିଯାଇଛି ଈର୍ଷାର ଅଗ୍ନିକଣା

ସମ୍ପର୍କ ଏଠି ତଉଲ ହୁଏ ପରିତ୍ୟକ୍ତ ଆସବାବ ସମାନ। 


ପଡୋଶୀ ଚାଟୁକାର ସାଜେ ସ୍ୱଜନ ବିରୁଦ୍ଧେ

ସନ୍ଦେହର ପଦାଘାତ ଖୁବ ବେଶୀ ବାଧେ

ସ୍ୱାର୍ଥର ମୋହାଞ୍ଜନେ ସମ୍ମୋହିତ ବାଳୁତରୁ ବୃଦ୍ଧ ଯାଏଁ ଏଠି

ନିଜ ସ୍ଥିତିକୁ ଅଣ୍ଡାଳି ଆଜି ମଣିଷଟେ ଲୁଚିଲୁଚି କାନ୍ଦେ। 


ଗରିବ ଚାଳିଆ ଭାଙ୍ଗି ଗଢ଼ା ହୁଏ ଧନୀର ମହଲ

ସେ ମହଲେ ଗରିବଟେ ଦୁଃଖେ ବଞ୍ଚେ ଲାଗି ମୂଲ

ଧନୀ ତାର ପୁରାଏ ଅମାର ଦଳିତର ଶୋଷି ଲୁହ ରକ୍ତ

ମାଟି କାମୁଡ଼ି ପଡ଼ିରହେ ମାଟିର ମଣିଷ ଧୂଳିକଣା ତୁଲ। 


ମିଛ ଆଜି ଦେହସୁହା ସଂକ୍ରମଣ ପରି ଅସ୍ଥିମଜ୍ଜାଗତ

ନ୍ୟାୟ ଧର୍ମ ଓ ମାନବିକତା ସବୁ ଆଜି ପ୍ରଦୂଷଣ ଯୁକ୍ତ

ଖବର କହିଲେ ଆଜି ଦୁର୍ଘଟଣା ଦୁଷ୍କର୍ମ ଓ ଭ୍ରଷ୍ଟାଚାରର ତାଲିକା

ଦେବାଳୟ ଦେବମୁକ୍ତ ଆଚାର ବିଚାରମୁକ୍ତ ଓ ପ୍ରେମ ସ୍ୱାର୍ଥଯୁକ୍ତ।


ଧର୍ମ ନାମେ ଚାଲେ ଏଠି ନିତି ରକ୍ତପାତ ମହା ଗୌରବରେ

ସ୍ବଧର୍ମର ମନ୍ତ୍ର ଛାଡ଼ି ସମାଜ କମ୍ପୁଛି ଏଠି ଆତ୍ମବଡ଼ିମାର ପର୍ବରେ

ଗଙ୍ଗାରୁ ଚିତ୍କାର ଶୁଭେ ପାପଭାରେ ହୋଇ ବିଷଯୁକ୍ତ 

ସତ୍ୟ ଏକ ସ୍ୱପ୍ନ ପରି ଉଭା ହୁଏ ଦ୍ୱିପ୍ରହର ଛାଇନିଦରେ। 


କେବେ ନାରୀ ହୁଏ ନିର୍ଯାତିତା ପୁରୁଷର କ୍ରୁରତାରେ

କେଉଁଠି ପୁରୁଷ ପାଲଟେ ସ୍ଥାଣୁ ନାରୀର ଖଳ ସ୍ୱଭାବରେ

ଧୈର୍ଯ୍ୟ ସହିଷ୍ଣୁତା ଆଜି ପାଲଟିଛି ଅନ୍ତର୍ହିତ ଋତୁଚକ୍ର ସମ

ଦୁର୍ବିସହ ଜୀବନ ଲାଗେ ମାନବତାକୁ ଯିଏ ରଖିଛି ଆଦରେ। 


ହେ ଈଶ୍ୱର ସୃଷ୍ଟି ତୁମ୍ଭ ଅସଜଡ଼ା ମାନବ ହସ୍ତରେ

ପାଣିପାଗ ପ୍ରାଣୀ ଓ ଉଦ୍ଭିଦ ସର୍ବେ ଭୀତତ୍ରସ୍ତ ଆକୁଳ ଅନ୍ତରେ

କାହିଁକି ସାଜିଛ ତୁମ୍ଭେ ଏ ଘୋର ସ୍ଥିତିର ନିରବ ଦର୍ଶକ

ତୁମ୍ଭ ଇଛା ପୁର୍ଣ ହେଉ ଏହା ଚିନ୍ତି ସାଧୁଜନେ ତୁମ୍ଭ ପ୍ରତୀକ୍ଷାରେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract