STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ତୁମ ନୀରବତାରେ

ତୁମ ନୀରବତାରେ

1 min
354

ତୁମ ନୀରବତାରେ ଏଠି ବଦଳିଯାଏ ସତ୍ତା 

ରାଜଗାଦି ଅଧିକୃତ ହୁଏ ସ୍ୱାର୍ଥଲୋଭୀ ଶିରସ୍ତ୍ରାଣରେ

ମୁଖା ପିନ୍ଧା ନକଲି ଚରିତ୍ର ସବୁ ଅଟ୍ଟହାସ୍ୟ କରନ୍ତି

ତୁମ ନୀରବତାକୁ ତାଛଲ୍ୟ କରି

କିଛି ଭଦ୍ରଲୋକ କପାଳରେ ହାତ ଦେଇ ବସିଥାନ୍ତି

ଅଧାଗଢ଼ା ମନ୍ଦିର ପ୍ରାଙ୍ଗଣେ

ହତୋତ୍ସାହିତ ହୋଇ ସାମ୍ରାଜ୍ୟର ଏ ଦୁର୍ଭାଗ୍ୟରେ

ତୁମେ ତ ଚିର ନିରବ ଦର୍ଶକ ସାଜ ସବୁଥର ପରି

ପତନର ଏକ ପ୍ରତ୍ୟକ୍ଷ କାରଣ ହୋଇ ନିଜର ଓ ରାଜ୍ୟର। 


ତୁମ ନୀରବତାରେ ଏଠି ନିତି ଚାଲେ କ୍ରୁର ରକ୍ତପାତ

ହାଟରେ ବାଟରେ ଘରେ ସମାଜର କୋଣେ ଅନୁକୋଣେ

ତୁମ ପରି କେହି ଜଣେ ତ ସାଜିଥାଏ ନିରବ ଦର୍ଶକ

ସମାଜରେ ଘଟୁଥିବା ପ୍ରତିଟି ଅନ୍ୟାୟ ଓ ପାପକର୍ମରେ

କେବେ ଭୟବଶରେ ହେଉ କିମ୍ବା ସୁବିଧାବାଦରେ

ତୁମେ ଦୁରେଇ ରହିଥାଅ ଆଖି କାନ ଓଠ ଚାପିଦେଇ

ତୁମ ନୀରବତାର ସୁଯୋଗରେ ହାତସଫା କରନ୍ତି

ସମାଜର ସେ ଘୃଣିତ ଚରିତ୍ର ସବୁ ତୁମ ସମ୍ମୁଖରେ

ଓ ତୁମେ ଏକ ଅଭ୍ୟସ୍ତ କଣ୍ଢେଇ ପରି ବିକଳାଙ୍ଗ ସାଜ

ସାକ୍ଷୀ ହୋଇ ଅପରାଧର ଦିବା ଆଲୋକରେ। 


ତୁମ ନୀରବତାରେ ଏଠି ଭାଙ୍ଗିଯାଏ ସୁନାର ସଂସାର

ଆଖି ଆଗେ ପାଚିରୀ ଉଠେ ମଝି ଅଗଣାରେ

ଅବଶ୍ୟ ଏଠି ତୁମେ ସାଜ ଏକ ନିରୁପାୟ ଅଭିଭାଭକ

ଯେଉଁଠି ଖୋଲାଖୋଲି ଅନାଦୃତ ହୁଏ ତୁମ ସ୍ୱର

ପ୍ରାଚୀନ ପାରମ୍ପରିକ ଓ ପିଢ଼ି ବ୍ୟବଧାନର ଶିକାର ହୋଇ

ଆଧୁନିକ ପ୍ରଗତି ପଛରେ ଧାଇଁପାର ନାହିଁ ବୋଲି

ସଂସ୍କାରକୁ ସଂସାରର ସାର କହି ଜାବୁଡ଼ି ଧରିଛ ବୋଲି

ବାଧ୍ୟ ହୋଇ ତୁମେ ସାଜ ଏକ ନିରବ ଦାରୁଦେବତାଟିଏ

ଯେଉଁଠି ତୁମକୁ ନେଇ ଚାଲେ ଏଠି ଅନେକ ହିସାବ ନିକାଶ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract