STORYMIRROR

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ନୌକା ରଥ

ନୌକା ରଥ

2 mins
6


ନଉକା ରେ ହୁଏ ରଥ ଯାତରା ଲୋ

ଉଛୁଳେ ଚିଲିକା ପାଣି

ଚିଲିକା ଢେ଼ଉରେ ଭାସି ଭାସି ପ୍ରଭୁ 

ଆଶିଷ ଯାଆନ୍ତି ବୁଣି ।


ମରାଳ ମାଳିନୀ ଚିଲିକା କୂଳରେ 

ଭକ୍ତ ଙ୍କ ହୁଏ ଗହଳି 

ନାଚନ୍ତି ସକଳେ ଭକ୍ତିରେ ପକାଇ

ହରିବୋଲ ହୁଳହୁଳି।


ବାଜୁଥାଏ ଘଣ୍ଟ ବାଜୁଥାଏ ଘଣ୍ଟା 

ବାଜୁଥାଏ ଭେରୀ ତୂରୀ 

ଭଜନ କୀର୍ତ୍ତନ ଉଦଣ୍ଡ ନାଚ ଲୋ

ମନେ ଦିଏ ଭାବ ଭରି।


ନାଆ ନନ୍ଦିଘୋଷ ଅଥଳ ଜଳରେ

ଭାସିଭାସି ଯାଉଥାନ୍ତି

କୂଳ ରେ ଭକତ  ଜୟ ଜଗନ୍ନାଥ 

ଭକତିରେ ଘୋଷୁଥାନ୍ତି।


ଚିଲିକା କୂଳରେ ନଈରୀ ଗାଁ ଲୋ

ଗାଆଁ ପାଖେ ଟାପୁଟିଏ

ଟାପୁ ରେ ରହିଛି କାଙ୍କଣ ଶିଖରୀ 

ପ୍ରଭୁ ଙ୍କର ଗାଥା ଗାଏ ।


ଅଷ୍ଟାଦଶ ଶତାବ୍ଦୀର ଆଦ୍ଯ ଭାଗେ

ଜବନଙ୍କ ଆକ୍ରମଣ

ଶ୍ରୀକ୍ଷେତ୍ର ପାଇଁକି ସେ ବଡ ବିପଦ 

ଥରିଯାଏ ଶୁଣି ମନ।


ଥରେ ନୁହେଁ ସେତ ବାର ବାର କରି

ଅଷ୍ଟାଦଶ ବାର ଆସି

ଶ୍ରୀମନ୍ଦିର ଶିରି ଲୁଣ୍ଠନ କରି ସେ

କଳା ଯାଉଥିଲେ ନେସି।


ପ୍ରଭୁଙ୍କର ପ୍ରତି ବିପଦ ଜାଣିଣ

ସେବକେ ତ ହୋଇ ସାଥୀ

ଚତୁର୍ଦ୍ଧା ମୂର୍ତ୍ତୀ ଙ୍କୁ ଗୁପତ ସ୍ଥାନ କୁ

ନେଉଥିଲେ ରାତାରାତି।


ଏମିତି ତ ଥରେ ଭାର୍ଗବୀ ନଈ ରେ

ନୌକା ରେ ପ୍ରଭୁଙ୍କୁ ନେଇ

ନଈରୀ ପାଖରେ ଚିଲିକା ମଝିରେ 

ଟାପୁ ରେ ରଖିଲେ ଯାଇ।


ଟାପୁ ରେ ତ ଥିଲା ଛୋଟିଆ ପାହାଡ

ତାଳ ତମାଳ ରେ ଭରା

ଚାରି ମାସ ତହିଁ ରହିଲେ ଠାକୁର 

ଚିଲିକା ର ଜଳ ଘେରା ।


ଖାଇବା ଦରବ ଭାବରେ କାଙ୍କଣ

ମିଳୁଥିଲା ସେଠି ଯାହା

କାଙ୍କଣ ସିଝାକୁ ପ୍ରଭୁଙ୍କ ପାଖରେ 

ଲାଗି ହେଉଥିଲା ଆହା।


ଛପନ ଭୋଗୀ ତ ଗୋପନରେ ରହି

ଖାଇଲେ କାଙ୍କଣ ସିଝା 

ଧନ୍ୟ ହେ କାଳିଆ ଧନ୍ୟ ତୁମ ଲୀଳା

ରେ ଅବୁଝା ମନ ବୁଝା ।


କାଙ୍କଣ ଭୋଗରୁ ପାହାଡ଼ର ନାଆଁ 

କାଙ୍କଣ ଶିଖରୀ ହେଲା

ଶ୍ରୀମନ୍ଦିରେ ପ୍ରଭୁ ଫେରି ଗଲେ ସିନା

କଥା ପରା ରହିଗଲା ।


ଏବେବି ସେଠାରୁ କାଙ୍କଣ ଆସଇ

ପ୍ରଭୁଙ୍କ ମଣୋହୀ ପାଇଁ 

ଲୀଳାମୟ ତାଙ୍କ ଲୀଳାକୁ ଏଯାଏ

ପାଶୋରି ନାହାଁନ୍ତି ଭାଇ ।


ଜବନ ଭୟରେ ଚାରି ମାସ ତହିଁ 

କରିଥିଲେ ପ୍ରଭୁ ଲୀଳା

ସେଥିପାଇଁ ସେହି କ୍ଷେତ୍ରର ନାଆଁ ଯେ

ଲୀଳା କ୍ଷେତ୍ର ପରା ହେଲା।


କାଙ୍କଣ ଶିଖରୀ ଲୀଳା କ୍ଷେତ୍ର ରେ ଲୋ

ଭକତେ ଦେଉଳ ତୋଳି

ମହାପ୍ରଭୁଙ୍କର ପୂଜା ଅରଚନା 

କରୁଛନ୍ତି ପୁରୀ ଭଳି।


ପ୍ରତି ବର୍ଷ ରଥ ଯାତରା ସେଠାରେ

ନଉକା ଉପରେ ହୁଏ

ନଉକା ଉପରେ ନନ୍ଦିଘୋଷ ରଥ 

ଭକତଙ୍କ ମନ ମୋହେ।


ନଉକା ଉପରେ ଗଢାହୋଇଥାଏ

ଆହା କି ସୁନ୍ଦର ରଥ

ନନ୍ଦିଘୋଷ ସିନା ରଥ ର ନାଆଁ ଟି

ନଥାଏ ତାହାର ଚକ।


ପହଣ୍ଡି କରିଣ ନୌକା ରଥେ ବିଜେ

କରନ୍ତି ଚତୁର୍ଦ୍ଧା ମୂର୍ତ୍ତୀ 

ନାଉରୀଆ ମାନେ କାତ ଆହୁଲାରେ

ନାଆ ରଥ ବାହିଥାନ୍ତି।


କାଙ୍କଣ ଶିଖରୀ ଚାରିପାଖେ ଭରା 

ଚିଲିକା ର ଜଳ ରାଶି 

ସାତ ଥର ପରିକ୍ରମା କରିଥାନ୍ତି 

ନୌକା ରଥେ ପ୍ରଭୁ ଭାସି।


ରଥେ ନାହିଁ ଚକ ନାହିଁ ତ ଦଉଡି

ନାହିଁ ତ ଶରଧା ବାଲି

ଭକତେ ଆସନ୍ତି କାହିଁ କେତେ ଦୂରୁ 

ଏ ରଥ ଦେଖିବେ ବୋଲି ।


ଏ ଅପୂର୍ବ ଯାତ୍ରା କରିଲେ ଦର୍ଶନ 

ମନେ ଭରିଯାଏ ଭକ୍ତି

ନଉକାରେ ରଥ ରଥେ ଜଗନ୍ନାଥ 

ମିଳଇ ପରମ ଶାନ୍ତି।।


Rate this content
Log in

Similar oriya poem from Abstract