ନାରୀ ମନ ତଳ ଭାଷା
ନାରୀ ମନ ତଳ ଭାଷା
ଯୁଗ ପରେ ଯୁଗ କେତେ ଯୁଗ ପରେ
ନାରୀ କବି ଆଗମନ
ଏମିତି ଜଳିବ ଖୁସିର ଦୀପାଳି
ଭାବି ତ ନଥିଲା ମନ ।
ନାରୀ ହୃଦୟର ଅକୁହା କଥାକୁ
କିଏ ବା ପାରିବ ଜାଣି
ଲେଖନୀରେ ତୋଳେ ମାନସୀକନ୍ୟାକୁ
ମନ କଥା ବୋଳି ବୋଳି ।
ସଂସାର ଜଞ୍ଜାଳେ ନିଜକୁ ସମ୍ଭାଳେ
ଆପଣାର ଭାବି ସର୍ବେ
ବ୍ୟସ୍ତତା ଭିତରେ ବଣ ଫୁଲ ପରି
କେବଳ ଫୁଟଇ ପର୍ବେ ।
ରୁଢିବାଦୀ ଯେତେ ପାଦରେ ଶିକୁଳି
ଶକ୍ତ କରି ଦେଲେ ବାନ୍ଧି
ତହିଁରେ ପ୍ରତିଭା ଧୂଳିସାତ୍ ହୁଏ
ଯନ୍ତ୍ରଣାରେ ମନ ଧନ୍ଦି ।
ସୁର ତାଳ ଭୂଲି ଲୋଡିକୁ ଶୁଣାଏ
ସନ୍ତାନକୁ ଧରି କୋଳେ
କବି ମନ ତାର ଲେଖନୀକୁ ତ୍ୟାଗୀ
ରୁହେ ସେ ରନ୍ଧନଶାଳେ ।
କୁମାରୀ ଆଖିରେ କେତେ ଯେ ସପନ
କବିତାରେ ଦେବି ମନ
ନାରୀ ସିନା ବୁଝି ନାରୀର ହୃଦୟ
ଦେବା ପାଇଁ ସନମାନ ।
ଘର ଚାରି କାନ୍ଥ ଡେଇଁ ପାରେ ନାହିଁ
ସତେ ନୃପ ପାଳେ ପ୍ରଜା
ଗୃହର ଗୃହିଣୀ ଯେସନେ ମୃଗୁଣୀ
ଶୃଗାଳ ପାଇଁକି ଖଞ୍ଜା ।
ଅନେକ ଯନ୍ତ୍ରଣା ମନ ତଳେ ଦବେ
ନବୋଲିଣ ବିଚଳିତ
ଲେଖନୀ ଧରିଛି ଉଦ୍ଧୃତ କରିବ
ବିଫଳରେ ସମାହିତ ।
ଆଜି ଏ ଜୀବନ ଆଶ୍ଵସ୍ତି ଲଭିଛି
କହି ପାରେ ମନ ଖୋଲି
ଲେଖା ମାଧ୍ୟମରେ ପ୍ରକାଶିତ କରି
ଦୁନିଆଁରେ ଆସେ ଚାଲି ।
ବହୁଳ ମାତ୍ରାରେ ନାରୀ ଜାଗରଣ
ଦେଶକୁ କରିଛି ସ୍ୱଚ୍ଛ
ମାଗାଜିନ୍ କିବା ସମ୍ବାଦ ପୃଷ୍ଠାରେ
ନିଜକୁ କରିଛି ଯୋଗ୍ୟ ।
