STORYMIRROR

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ନାକେଇ ଭାଉଜ ସକେଇ କାନ୍ଦ

ନାକେଇ ଭାଉଜ ସକେଇ କାନ୍ଦ

6 mins
9



ନାକେଇ ଭାଉଜ ସକେଇ ସକେଇ ଯେ କାନ୍ଦନ୍ତି 

କାନ୍ଦି କାନ୍ଦି କପାଳକୁଯେ ଛଅ ଯାଆ ନିନ୍ଦନ୍ତି।

ଝର ଝର ହୋଇ ନାକରୁ ଝରି ପଡେ ରକତ 

କଲା କରମ ରୁ ଭୋଗନ୍ତି ଆଜି ଦୁଃଖ ଏମନ୍ତ।

କେମିତି କାହାକୁ ଏ ମୁହଁ ଦେଖାଇ ବେ ସେ ଯାଇ

ଯମ କିଆଁ ସତେ ଜୀବନ ତାଙ୍କ ଯାଉନି ନେଇ।୧!


କାନ୍ଦି କାନ୍ଦି ଛଅ ଯାଆ ଯେ ଘୋର ବନେ ବୁଲିଲେ

ଡରି ମରି ଭୋକ ଉପାସେ ଦିନ ରାତି କାଟିଲେ।

ଉଆସ ଭିତରେ ଅୟସେ କଟୁଥିଲା ଜୀବନ 

ବଳେଇ ପଡ଼ିଲା ଏବେ ଯେ ତାଙ୍କ ଦୁଃଖ କଷଣ।

ଅନୁତାପ କରୁଥାନ୍ତି ସେ କଲା କରମ ପାଇଁ 

ମାଆ ମଙ୍ଗଳା ଙ୍କୁ ଡାକନ୍ତି କ୍ଷମା କରିବା ପାଇଁ।୨!


ମର୍କତ ଲିଙ୍ଗ ଯେ ସେ ବନେ ଗୁପତ ରେ ପୂଜିତ

ବିରୂପା ନାମରେ ଶବର ତାଙ୍କୁ ପୂଜା କରେତ।

ବାବାଙ୍କର ପୂଜା ପାଇଁକି ଯିବା ବାଟରେ ସେହି

ଛଅ ଯାଆଙ୍କୁ ସେ ଦେଖିଲା ସତେ ଜୀବନ ନାହିଁ।

ନାକ ହୋଇ ଥାଏ ଛେଦନ କରୁଥାନ୍ତି ରୋଦନ

ସେମାନଙ୍କୁ ଦେଖି ଅଥୟ ହେଲା ବିରୂପା ମନ।୩!


ମନେ ମନେ ସେହି ଶବର ତାର କଲା ବିଚାର

ପର ହିତ ଯିଏ କରଇ ଲଭେ ସରଗ ପୁର।

ଅବଳା ମାନଙ୍କୁ ଅବେଳେ ଯଦି ସାହା ହୋଇବି

ଅଧମ ଜୀବନେ ମୋହର ନିଶ୍ଚେ ପୂଣ୍ୟ ଅର୍ଜିବି।

ଏହା ଭାବି ନାରୀ ମାନଙ୍କୁ ଆଶ୍ଵସନା ସେ ଦେଲା

ବାବା ମର୍କତ ଙ୍କୁ ଦୁଃଖୀ ଙ୍କ ଦୁଃଖ ସେ ଜଣାଇଲା।୪!


ବାବା ଯେତେବେଳେ ଶୁଣିଲେ ନାହିଁ ବିରୂପା ଡାକ

ନିଜ ପ୍ରାଣ ନିଜେ ନେବାକୁ ସେତ ହେଲା ଉଦ୍ୟତ।

ତଣ୍ଟି ରେ ଶର ସେ ଭୁଷନ୍ତେ ବାବା ଉଭା ହୋଇଲେ

ଦେଖିଣ ବାବାଙ୍କୁ ବିରୂପା ପାଦେ ପ୍ରଣାମ କଲେ।

ମର୍କତ କହିଲେ ଭକତ ତୁମ ଭକ୍ତି ରେ ତୋଷ

ଯାହା ତୁମେ ବର ମାଗିବ ଢାଳି ଦେବି ଆଶିଷ।୫!


ବିରୂପା କହିଲା ପ୍ରଭୁ ହେ ଛଅ ଜଣ ଅବଳା

ହୋଇଅଛି ନାକ ଛେଦନ ବସି କାନ୍ଦନ୍ତି ଭଲା।

ପାରୁନାହାନ୍ତି ସେ କାହାକୁ ତାଙ୍କ ମୁହଁ ଦେଖାଇ

ଦୁଃଖ ତାଙ୍କ ଦେଖି ପ୍ରଭୁ ହେ ଜମା ପାରୁନି ସହି ।

ନାକ ଯେ ତାଙ୍କର କଅଁଳୁ ମୋର ଏହି ମିନତି 

ପାହି ଯାଉ ପ୍ରଭୁ ତାଙ୍କର ଅମା ଅନ୍ଧାର ରାତି।୬!


ତଥାସ୍ତୁ କହିଣ ଶଙ୍କର ଗଲେ ଉଭେଇ ସେତ

ସହସା ସେ ଛଅ ଯାଆଙ୍କ ନାକ କଅଁଳିଲା ତ।

ଖୁସି ହୋଇ ଛଅ ରମଣୀ ବିରୂପା ଙ୍କ ପାଦରେ

ପ୍ରଣିପାତ କଲେ ତାଙ୍କର ବେନି ପାଦ ଛୁଇଁ ରେ।

କହିଲେ ଆମକୁ ତୁମେ ତ ଦେଲ ନୂଆ ଜୀବନ 

ତୁମେ ଆମ ପାଇଁ ଦେବତା ଆମ ପିତା ସମାନ।୭!


ବିରୂପା କହିଲେ କିଏସେ ଏହି ଘୋର ଜଙ୍ଗଲେ

କାହିଁକି ତୁମର ନାକ କୁ ଛେଦି କୁରୂପ କଲେ।

କେଉଁ ଦୋଷ ଥିଲା ତୁମର ଭୋଗିଲ ଏ କଷଣ

ଜାଣିବାକୁ ମନ ମୋହର ସେହି କଥା ବଖାଣ।

ଆରମ୍ଭ ରୁ ବଡ ବୋହୁ ଯେ ସେମାନଙ୍କ କାହାଣୀ 

ଗୋଟି ଗୋଟି କରି ତାହାଙ୍କୁ ସବୁ ଗଲା ବଖାଣି।୮!


ତନୟା ବନ୍ତ ଯେ ବୋଲିଣ ବଡ ସାଧବର ଘର

ଆମେମାନେ ସାତ ଯାଆ ଯେ ବୋହୁ ସେହି ଘର ର।

 ତଅପୋଇ ଆମ ନଣନ୍ଦ ସେତ ଭାରି ଗେହ୍ଲେଇ

ସାତ ଭାଇରେ ତ ଗୋଟିଏ ସାନ ଭଉଣୀ ସେହି।

ସାଧବ ଘରର ଥିଲା ଟି ରଙ୍କ ପସରା ସେହି

ସଭିଙ୍କର ଭାରି ଗେହ୍ଲା ସେ ସେତ ଭାରି ସିନେହି ।୯!


ତଅପୋଇ ଯେତେବେଳେ ତ ଯାହା ଅଳି କରଇ

କଥା ନସରୁଣୁ ତୁଣ୍ଡରୁ ସବୁ ତାକୁ ମିଳଇ।

ବିଚାରା ବିହି ଯେ ତାପାଇଁ ସତେ ମନ୍ଦ ହୋଇଲା

ସୁନା ଚାନ୍ଦ ପାଇଁ ସିଏତ ଦିନେ ଅଳି କରିଲା ।

କଥା ରଖି ଅଲିଅଳି ର ଚାନ୍ଦ ଗଢା ହୋଇଲା 

ଚାନ୍ଦ ଗଢା ସହ ତା ପାଇଁ ମନ୍ଦ ବେଳ ଆସିଲା ।୧୦!


ଅଧା ଚାନ୍ଦେ ଆମ ଶଶୁର ସେତ ଆଖି ବୁଜିଲେ

ପୂରା ଚାନ୍ଦେ ଶାଶୁ ମାଆ ଯେ ଆର ପୁରକୁ ଗଲେ ।

ତଅପୋଇ ଆମ ବିଚାରା କପାଳକୁ ନିନ୍ଦିଲା

କାନ୍ଦି କାନ୍ଦି ବାପା ମାଆ ଙ୍କୁ ସେତ ଝୁରି ହୋଇଲା ।

ସାତ ଭାଉଜଙ୍କ ଶରଧା ଭାଇ ମାନଙ୍କ ସ୍ନେହ 

ଖୁସିରେ ଉକୁଟି ଉଠିଲା ପୁଣି ଶୁଖିଲା ମୁହଁ।୧୧!


କିଛି ଦିନ ପରେ ଭାଇ ଯେ ତାର ବଣିଜ ପାଇଁ

ଦରିଆ ସେପାରି ଗଲେ ତ ତାଙ୍କ ବୋଇତ ନେଇ ।

ସାତ ଭାଇମାନେ ଚଳିଲେ ଯେବେ ଦୂର ରାଜ୍ୟ ରେ

ଭାଉଜମାନେତ ଥିଲେ ଯେ ନଣନ୍ଦ ର ସେବାରେ।

ସାତ ଭାଉଜଙ୍କ ମେଳରେ ସେତ ଗେହ୍ଲି ନଣନ୍ଦ 

ତଳେ ତ ଲାଗୁ ଯେ ନଥିଲା ତଅପୋଇ ର ପାଦ ।୧୨!


ଦୋଳିରେ ବସାଇ ତାହାକୁ ଆମେ ଝୁଲାଉ ଥିଲୁ

ଝିଅ ଠାରୁ ବେଶି ସିନେହ ତାକୁ କରୁଯେ ଥିଲୁ।

ବିଧବା ବ୍ରାହ୍ମଣୀ ଜଣେ ତ ଆମ ଘରେ ଆସିଲା

ତଅପୋଇ ପାଇଁ ସେହି ଯେ କାଳ ସର୍ପ ସାଜିଲା।

ଆମ ମାନଙ୍କର କାନରେ ମନ୍ଦ ମତି ବ୍ରାହ୍ମଣୀ

ତଅପୋଇ ବିରୁଦ୍ଧ ରେ ଯେ ବହେ ଗଲା ବଖାଣି ।୧୩!


କହିଲା ସେ ତୁମେମାନେ ଯେ କର ଘର ପାଇଟି

ରାଜା ଜେମା ଫୁଲ ଦୋଳିରେ ଝୁଲୁଅଛି ନିଇତି।

କୁଟା ଖଣ୍ଡକ ଯେ ଦିଖଣ୍ଡ କରୁନାହିଁ ଟି ସିଏ

ବସି ବସି ତୁମ ମାନଙ୍କୁ ସେତ ହୁକୁମ ଦିଏ ।

ବୟସରେ ତୁମମାନଙ୍କ ଠାରୁ ଅଟେ ସେ ସାନ

ସାନ ହୋଇ ତୁମ ମାନକୁ କରେ ସେ ହୀନିମାନ।୧୪!


ଘିଅ ଦୁଧ ଦେଇ ତୁମେ ତ ସାପକୁ ଯେ ପୋଶୁଛ

ନିଜ ପାଇଁ ନିଜେ ବିପଦେ ସତେ ହାତ ଠାରୁଛ।

ଆମେମାନେ ସବୁ ଶୁଣି ତ ସେହି ବ୍ରହ୍ମଣୀ କଥା

ବଢ଼ିଗଲା ଯାଆ ମାନଙ୍କ ଆହା ମୁଣ୍ଡ ର ବ୍ୟଥା ।

ମୁଁ ଯେ ବଡ ବୋହୁ କହିଲି ଦୟା କରି ବ୍ରାହ୍ମଣୀ

ଏ ଘୋର ବିପଦୁ ତରିବା ବାଟ କୁହ ବଖାଣି।୧୫!


ବିଧବା ବ୍ରାହ୍ମଣୀ ତହୁଁ ଯେ ମନେମନେ ହସିଲା

ତଅପୋଇ ଦୁଃଖ ଦିନ ତ ଏବେ ନିଶ୍ଚେ ଆସିଲା ।

ବ୍ରହ୍ମଣୀ କହିଲା ଶୁଣ ଗୋ ସବୁ ସାଧବ ବୋହୁ 

ଗହଣା ଓହ୍ଲାଇ ଦିଅ ଯେ ତୁମ ନଣନ୍ଦ ଦେହୁ।

ବଣକୁ ପଠାଅ ତାହାକୁ ସେତ ଚାରାଉ ଛେଳି

ଦିନରାତି ତାର ସବୁ ଯେ ଯାଉ ଏବେ ବଦଳି।୧୬!


ଆମ ଛଅ ଯାଆ ମନକୁ ସେହି କଥାଟି ଗଲା

ସାନ ଯାଆ ଆମ ନୀଳାଦ୍ରି ଶୁଣି ଦୁଃଖୀ ହୋଇଲା।

ତଅପୋଇ ଥିଲା ତାହାର ସତେ ଗଳାର ହାର

ଆମ ମାନଙ୍କୁ ସେ ଡରିଣ କିବା ଦେବ ଉତ୍ତର।

ଛଅ ଯାଆ ଆମେ ସଭିଏଁ ଆମ ହାତ ମିଶାଇ

ନଣନ୍ଦ କୁ ଆମ ଦୋଳିରୁ ଆଗ ଦେଲୁ ଓହ୍ଲାଇ।୧୭!


ଅଳଙ୍କାର ତାର ଦେହରୁ ସବୁ କାଢି ଯେ ନେଲୁ

ଛିଣ୍ଡା ଚିରା ଲୁଗା ତାହାକୁ ପିନ୍ଧିବାକୁ ଯେ ଦେଲୁ।

ଗାଈ ଗୁହାଳ ରେ ରାତିରେ ସେତ ଯାଇ ଶୋଇ

ଲା

ଛେଳି ଚରାଇବା ପାଇଁକି ନିତି ବଣକୁ ଗଲା।

ଖାଇବାକୁ ଦେଲୁ ନାହିଁତ ତାକୁ ମୁଠାଏ ଭଲ

ଅଲିଅଳି ଜେମା ହୋଇଲା ଭାରି ସେ କଲବଲ।୧୮?


ଲୁଚେଇ ଲୁଚେଇ ନୀଳାଦ୍ରି ସାନ ଯାଆ ଟି ସେହି

ବୁଝୁଥାଏ ତଅପୋଇର ମନ ଦରଜ ଯାଇ।

ଭଲକରି ଗଣ୍ଡେ ଦିଅଇ ତାକୁ ଖାଇବା ପାଇଁ

ନୁଖୁରା ମୁଣ୍ଡକୁ ତାହାର ସେତ ଦିଏ କୁଣ୍ଡେଇ।

ଏହିପରି ତଅପୋଇ ର ଦିନ କଟୁ ଯେ ଥିଲା

କାନ୍ଦି କାନ୍ଦି ଦେହ ତାହାର ଆସି କଣ୍ଟା ହୋଇଲା।୧୯!


ଘରମଣି ବୋଲି ଥିଲାଯେ ଆମ ଛେଳି ଛୁଆଟି

ମୁଁ ଯେ ବଡବୋହୁ ଛୁଆକୁ ଭାରି ଭଲ ପାଏଟି ।

ଦିନେ ଘରମଣି ଗଲା ଟି ଘୋର ଜଙ୍ଗଲେ ହଜି

ପାଇଲାନି ତଅପୋଇ ଯେ ଛେଳି ଛୁଆକୁ ଖୋଜି ।

ମୋ କାନ କୁ ଏହି ଖବର ପରା ଯେବେ ଆସିଲା  

ତଅପୋଇ ସେହି ଦିନତ ଘରୁ ତଡ଼ା ଖାଇଲା ।୨୦!



କହିଲି ତାକୁ ମୁଁ ଖୋଜ ତୁ ଘରମଣି କୁ ଯାଇ

ନହେଲେ ଦେବିନି ତୋତେ ଲୋ ଆଉ ଘରେ ପୁରାଇ।

ବିଚାରା ସେଦିନ ସେଇଠୁ ସେତ ବଣକୁ ଗଲା

ଘରମଣିକୁ ତ ଜଙ୍ଗଲେ ଯାଇ ଖୋଜି ବୁଲିଲା ।

ଘରମଣି ଘରମଣି ଯେ ଡାକ ଦେଲା ଟି ସିଏ

ତା ଡାକକୁ ବଣ ରାଇଜେ ଅବା ଶୁଣିବ କିଏ !୨୧!


ଘୋର ବନେ ଏକାଏକା ଯେ ଦୁଃଖେ ବୁଲିଲା ବାଳି

ନରମ ପାଦରେ କଣ୍ଟା ଯେ ଯାଉଥିଲା ତ ଗଳି ।

ପାଦରେ ରକତ ଧାର ଯେ ପୁଣି ମନରେ ଡର

ପେଟରେ ତ ଭୋକ ଜ୍ବଳା ଯେ କରୁଥିଲା ଅସ୍ଥିର।

ସଞ୍ଜ ଗଡିଯାଇ ଯେବେ ତ ରାତି ମାଡି ଆସିଲା

ଭୟରେ ଯେ ତଅପୋଇ ର ଛାତି ଥରିଉଠିଲା ।୨୨!


ଏମିତି ସେ ବୁଲୁବୁଲୁ ଯେ ବହୁ ଦୂରୁ ଦେଖିଲା

ମିଞ୍ଜି ମିଞ୍ଜି ହୋଇ ଦିଶୁଛି ଦୂରେ ଆଲୁଅ ଭଲା ।

ଆଲୁଅ କୁ ଚାହିଁ ଚାହିଁତ ତଅପୋଇ ଚଳିଲା

ଦୀପଟିଏ ଜଳୁଥିଲା ଯେ ପାଖେ ଯାଇ ଦେଖିଲା।

ଦୀପ ଚାରିପଟେ ବସିଣ ତହିଁ କୁଆଁରୀମାନେ

ଦେବୀ ପୂଜା କରୁଥିଲେ ଯେ ସବୁ ଭକତି ମନେ।୨୩!


ଖୁଦୁରୁକୁଣୀ ସେ ଦେବୀ ଯେ ଦେବୀ ମଙ୍ଗଳା ମାତା

ଭକ୍ତିରେ ଡାକିଲେ ଶୁଣନ୍ତି ସିଏ ଦୁଃଖୀ ର କଥା ।

ତଅପୋଇ ତହିଁ ମାତାଙ୍କୁ ପ୍ରଣାମ ଯେ କରିଲା

ଲୁହ ଢାଳି ଦୁଃଖ କାହାଣୀ ମାଆଙ୍କୁ ଜଣାଇଲା।

ଦିଅ ମା ଫେରାଇ ଦିଅଗୋ ମୋର ଘରମଣି କୁ

ନହେଲେ ପାରିବି ନାହିଁ ଯେ ମୁଁ ତ ଫେରି ଘରକୁ।୨୪!


ଭାଉଜ ମାନଙ୍କ ମାଡକୁ ମୋର ଭାରି ଯେ ଡର

ଜଙ୍ଗଲ ରେ ନିଶ୍ଚେ ହାରିବି ମୁଁ ତ ଜୀବନ ମୋର ।

ଆଖିରୁ ତା ଝରୁଥିଲା ଯେ ତହିଁ ତତଲା ଲୁହ

ବଳି ପଡ଼ୁଥିଲା ତାହାର ସେହି ଅକୁହା କୋହ।

ନିରିମାଖି ତଅପୋଇର ସେହି ଦୁଃଖ କାହାଣୀ

ମାଆ ମଙ୍ଗଳାଙ୍କ ହୃଦୟ ସେତ ପାରିଲା ଜିଣି।୨୫!


ଖୁଦୁରୁକୁଣୀ ଯେ ହୋଇଲେ ତାହା ଉପରେ ତୋଷ

ଢାଳିଦେଲେ ମାଆ ତହିଁ ଯେ ତାଙ୍କ ଶୁଭ ଆଶିଷ।

କାହିଁ ଥିଲା ଘରମଣି ଯେ ସେତ ଆସିଲା ଫେରି

ତଅପୋଇ ମନଗଲା ଟି ଆହା ଆନନ୍ଦେ ପୁରି ।

ମାଆ ଙ୍କ ପାଦରେ ଭକ୍ତିରେ କରି ସେ ପ୍ରଣିପାତ

ନିଷ୍ଠା ରେ ଖୁଦୁରୁକୁଣୀ ଙ୍କ ବ୍ରତ ପାଳିଲା ସେତ।୨୬!



ଏମିତି ବିତିଯେ ଗଲା ଟି ଆହା ଦିନ ଅନେକ

ଅନ୍ତ ହେଲାନାହିଁ ବିଚାରା ତଅପୋଇର ଦୁଃଖ।

ଭାଇମାନେ ତାର ବିଦେଶୁ ଆସିଲେନି ଟି ଫେରି

ତଅପୋଇ ଦିନକାଟଇ ଭାଉଜ ଙ୍କୁ ଯେ ଡରି ।

ଦିନରେ ତ ଛେଳି ଚରାଏ ସେତ ଜଙ୍ଗଲେ ଯାଇ

ମାଆ ମଙ୍ଗଳାଙ୍କୁ ମନରେ ନିତି ସୁମରେ ସେହି।୨୭!


କିଛିଦିନ ପରେ ବିଦେଶୁ ସାତ ସାଧବ ଭାଇ

ଲେଉଟି ଆସିଲେ ରାଇଜେ ସାରି ବେପାର ସେହି ।

କୂଳରେ ବୋଇତ ଯେବେ ତ ଆସି ତାଙ୍କ ଲାଗିଲା

କାନ୍ଦୁଛି ରମଣୀ କାହିଁ ଯେ କାନରେ ତ ବାଜିଲା ।

କାନ୍ଦଣା ଶବ୍ଦ କୁ କାନେଇ ସାନ ସାଧବ ସେତ

ପାଖରେ ଯାଇ ଯା ଦେଖିଲା ବୁଦ୍ଧି ହୋଇଲା ହତ।୨୮!


ସେତ ତଅପୋଇ ତାଙ୍କର ଅଲିଅଳି ଭଉଣୀ 

ଘୋର ବନେ ବସି କାନ୍ଦୁଛି ଲୁହ ବହେ ଉଜାଣି।

ଚିରା ଫଟା ପିନ୍ଧା ବସନ ପୁଣି ନୁଖୁର‌ା କେଶ

ଭିକାରୁଣୀ ପରି ଦିଶୁଛି ତାର ଇଏକି ବେଶ ।

ସାନ ଭାଇକୁ ତ ଦେଖିଣ ସେହି ସାଧବ ବାଳୀ

ପାରିଲାନି ତାର କୋହକୁ ସେତ ଆଉ ସମ୍ଭାଳି।୨୯!


ଆଉ ଛଅ ଭାଇ ଆସିତ ତହିଁ ତାକୁ ମିଳିଲେ

ଅଲିଅଳି ଗେହ୍ଲି ଭଉଣୀ ତାର ଦୁଃଖ ଦେଖିଲେ।

ଭଉଣୀ ଠୁ ସବୁକଥା ଯେ ତହିଁ ଶୁଣି ସେମାନେ

ନିଜକୁ ଧିକାର କରିଲେ ଲୁହ ଭରା ନୟନେ।

ବୋଇତ ଆସିଛି ଫେରି ତ ଆମେ ସମ୍ବାଦ ପାଇ

ସାତ ସାଧବାଣୀ ଆସିଲୁ ଧୂପ ଦୀପ ଯେ ନେଇ ।୩୦!


ବଡ ସାଧବ ଯେ ସଧୀରେ ମୋର ମୁହଁ କୁ ଚାହିଁ 

ପଚାରିଲେ ତଅପୋଇ ଯେ କିମ୍ପା ଆସିଲା ନାହଁ?

ଡରିଡରି ଥରି ଥରି ଯେ ମୁଁ ତ କହିଲି ଯାଇ

ଭଲ ନାହିଁ ଦେହ ବୋଲି ଯେ ସେତ ଆସିଲା ନାହିଁ ।

ତହୁଁ ମୋତେ ବଡ଼ ସାଧବ ଡାକି କହିଲେ ଶୁଣ

ବୋଇତେ ଅଛନ୍ତି ଆମର ଇଷ୍ଟ ଦେବୀ ଯେ ଜାଣ।୩୧!


ଜଣେ ଜଣେ କରି ତୁମେ ତ ତାଙ୍କୁ ବନ୍ଦାଅ ଯାଇ

ଧୂପଦୀପ ଜାଳି ଭକ୍ତିରେ ଆସ ତାଙ୍କୁ ବନ୍ଦେଇ।

ବନ୍ଦାପନା ପାଇଁ ଆମେ ତ ଯାଆ ମାନେ ଯେ ଗଲୁ

ଦେବୀଙ୍କୁ ଦେଖିତ ସେଠାରେ ଆମେ ଛାନିଆ ହେଲୁ।

ବୋଇତ ରେ ଲୁଚିଥିଲା ଟି ତଅପୋଇ ସେ ଗେହ୍ଲି

କାଟିଲା ଛୁରୀ ରେ ଆମର ସେତ ନାକ ବଉଳୀ ।୩୨!


ସାନ ଯାଆ ଆମ ଶେଷରେ ଯେବେ ତା ପାସେ ଗଲା

ତଅପୋଇ ଭାରି ଖୁସିରେ ତାକୁ କୋଳେଇ ନେଲା ।

ଆମେତ ନାକେଇ ଭାଉଜ ସବୁ କଥା ଶୁଣିଲୁ

କରମକୁ ନିନ୍ଦି ଜଙ୍ଗଲେ ଆମେ ଘୂରି ବୁଲିଲୁ।

ଖୁଦୁରୁକୁଣୀ ଙ୍କ ଦୟାରୁ ତଅପୋଇ ର ଦୁଃଖ 

ଦୂର ହୋଇ ଫେରି ଆସିଲା ପୁଣି ତା ପାଇଁ ସୁଖ।୩୩!


ଖୁଦୁରୁକୁଣୀ ଙ୍କ କଥା ଯେ ଶୁଣି ଶବର ସେତ

ମାଆଙ୍କ ପାଦରେ କରିଲା ତହିଁ ସେ ପ୍ରଣିପାତ।

ମାଆ ସେତ ଖୁଦ ରଙ୍କୁଣୀ ତାଙ୍କ ଅସୀମ ଦୟା

ନିରିମାଖି ତଅପୋଇ କୁ ମାଆ ହୋଇଲେ ସାହା।

ସେହି ଦିନ ଠାରୁ ରୁ ଖୁଦୁରୁକୁଣୀ ଓଷା ବ୍ରତଟି

ସାରା ରାଇଜ କୁ ଆମର ଯାଇଆଛି ଯେ ବ୍ୟାପି।୩୪!


ପବିତ୍ର ଭାଦ୍ରବ ମାସର ପ୍ରତି ରବିବାରେ ଟି

କୁଆଁରୀମାନେ ତ ଏକାଠି ଏହି ବ୍ରତ ପାଳନ୍ତି।

ଦିନରେ ଗାଧୋଇ ସାରିଣ ବାଲୁକା ସେ ପୂଜନ୍ତି 

ରାତିରେ ମାଆଙ୍କ ମୂର୍ତ୍ତୀ କୁ ପୂଜା କରି ଯେ ଥାନ୍ତି।

ଜୟ ମା ଖୁଦୁରୁକୁଣୀ ଗୋ ଜୟ ସିଂହ ବାହିନୀ 

ଦୋଷାଦୋଷ କ୍ଷମା କରିବ ତୁମ ପାଦେ ।



Rate this content
Log in

Similar oriya poem from Abstract