ମୁଁ ତୁମ ପ୍ରେମ ପୂଜାରୀ
ମୁଁ ତୁମ ପ୍ରେମ ପୂଜାରୀ
ଯୁଗେ ଯୁଗେ ପ୍ରେମ ଅଟେ ସତ୍ୟ
ପ୍ରେମ ହିଁ ପବିତ୍ର
ପ୍ରେମ ଅଟେ ଶାନ୍ତି, ପ୍ରେମ ତ ଅଟେ
ଚିର ଶାଶ୍ୱତ ।
ନାଟ ସରିଗଲେ ସମସ୍ତେ ତାଳି ମାରନ୍ତି,
ଏ ସତ୍ୟ କଥା
ଜୀବନ ନାଟିକା ଶେଷେ, ବିରହରେ ଥାଏ
ବହୁ ବ୍ୟଥା ।
ତୁମର ସେହି ଅମୃତ ପ୍ରେମ ଭାଷା ଓ
ପ୍ରୀତିର ମହକ
ଟାଣିନେଲା ମୋତେ ତମ ତେରେଛା
ଚାହାଣୀ କୁହୁକ ।
ତୁମର ସେହି ଲାବଣ୍ୟ ରୂପରେ ମୋର
ମନ ମୋହିଲ
ସୁଖ ସ୍ବାଛନ୍ଦ୍ୟକୁ ବଳି ପକାଇ ପ୍ରେମ ରସରେ
ମୋତେ ବାନ୍ଧିଲ ।
ଗାଉଛି ତୁମରି ପାଇଁ ଆଜି ମୁକ୍ତ ନୀଳ
ଆକାଶରେ
ତୁମେ ହୋଇଛ ଜୀବନ ସଙ୍ଗୀତ ପ୍ରେମ
ସାତସୁରେ ।
ହେ ସାଥି ମୋର, ତୁମେ ଅଭୁଲା ମୋ
ଏ ହୃଦୟର
ତୁମ ସ୍ମୃତି ମୋ ମନେ ଆନ୍ଦୋଳିତ କରେ
ବାରମ୍ବାର ।
ତୁମ ଦେହେ କଣ୍ଟା ଫୋଡି ହେଲେ ମୋ
ଠାରୁ ଝରେ ରୁଧିର
ତୁମ ଆଘାତେ ମୁଁ ହୁଏ କ୍ଷତାକ୍ତ ମୋ ଠୁଁ
ବହେ ଅଶ୍ରୁଝର ।
ଆମ ସମ୍ପର୍କ ଯେ ସୁଦୃଢ, ସ୍ୱର୍ଗୀୟ, ଏହି
ସମ୍ପର୍କ ମହାନ୍
ଆମ ସମ୍ପର୍କ ଯେ ଅଟଇ ଅମ୍ଳାନ ଶାଶ୍ୱତ
ଓ ଚିରନ୍ତନ ।
ତୁମ ଠାରୁ ନୁହେଁ ମୁହିଁ ଅଭିନ୍ନ, ତୁମ-ମୋ
ସମ୍ପର୍କ ମଧୁର
କ୍ଷୀର ନୀର ସମ, ତୁମ ବିନା ସ୍ଥାନ ନାହିଁ
ମୋର ଅସ୍ତିତ୍ବର ।

