ମୁଁ ସପ୍ତମ ଶ୍ରେଣୀ ଝିଅ
ମୁଁ ସପ୍ତମ ଶ୍ରେଣୀ ଝିଅ
ମୋର ପରିଷ୍କାର ମନେ ଅଛି ।
ଯେବେ ମୁଁ ସପ୍ତମରେ ପଢୁ ଥିଲି
ନୂଆ ନୂଆ ଭାବନାରେ
ଦେହଟା ଶିହରୀ ଉଠୁ ଥାଏ ।
ମନଟା ଭାରି ଚଗଲା
ବୋଲ ମାନୁ ନଥାଏ ।
ଯେମିତି ମନେ ହୁଏ, କିଏ ପାଖରେ
କାନରେ ଗୁଣୁଗୁଣୁ କରୁଛି ।
ଅଳସ ଦେହରେ ଶକ୍ତି ସଂଚାର
କେବେ ପୁଷ୍ପ ଉଦ୍ୟାନ ତ
କେବେ ନଦୀ ପଠା ।
କହିବାକୁ ପଡୁ ନଥାଏ ,
ଆପେ ଆପେ ପାଦ ଅଝଟିଆ ....
ଆଖିରେ ଯଦି ବାଦଲ ଖଣ୍ଡେ ଭାସେ,
ମନ ସଂଗୀତ ମୁଖର ହେଉ ଥାଏ ।
ଦଲକାଏ ପବନ ଯଦି ସ୍ପର୍ଶ କରେ
ଅପୂର୍ବ ଆନନ୍ଦ ଅନୁଭବ
କହିବାକୁ ଭାଷା ନାହିଁ ।
ଖୋଲା ଆଖିରେ ଯେ କେତେ ସ୍ବପ୍ନ
କେବଳ ହୃଦୟ ହିଁ ଜାଣେ ।
ମାନସ ପଟରେ ଗଢି ଉଠେ
ଦେବ ଲୋକର ରାଇଜ ।
ସମସ୍ତେ ଆପଣାର ଲାଗୁ ଥିଲେ
ପ୍ରତ୍ୟେକ ବିଶ୍ଵାସ ଯୋଗ୍ୟ ।
ମୋର ଚଞ୍ଚଳ ଗତି ବିଧିକୁ ନେଇ
ପ୍ରଶ୍ନବାଚୀ ସୃଷ୍ଟି ।
ମୁଁ କ'ଣ କରି ଥାନ୍ତି ଯେ .....
ଏଇଟା ତ ବୟସର ଦୋଷ !
ମୋର ଜେଜେଙ୍କ ଯୋଉ କଥା
ଆରେ ସପନା ,
ମୋ ନାତୁଣୀ ବଡ ହୋଇ ଗଲାଣି ।
କାହା ଘରେ ଚାଉଳ ପକେଇଛି
ଦେଖିବୁ ...
ଆଗାମୀ ତିଥିରେ କାମ ସାରି ଦେବା ।
ହେଲେ ,ମୋତେ କାହିଁକି ଲାଜ ଲାଗୁଛି ।
ଆଗରୁ ତ ଏମିତି ଲାଗୁ ନଥିଲା ।
ସତରେ କ'ଣ ?
ଓଃ ମୁଁ କିନ୍ତୁ ଭାବି ପାରୁ ନଥାଏ ।
ଏ ବୟସଟା କ'ଣ ସତରେ ଦୁଷ୍ଟାମୀ ଜାଣେ ?
ମୋ ମନକୁ ବାନ୍ଧି ନେଲା ?
ପ୍ରଜାପତି ଧରି ଉଡେଇବାକୁ ଇଛା
ଯେତିକି ପଢାରେ ମନ
ସେତିକି ଚଗଲାରେ
ଆଉ ଥରେ, ସେ ଦିନ ଫେରନ୍ତା କି ?
ମୁଁ ଯିବାକୁ ଦେବିନି ।
ଏତେ ସବୁ କାହାକୁ ଦେଖି ଭାବୁଛି ......
ମୋ ଅଗଣାର ଦର ଫୁଟା
ଗୋଲାପ ଫୁଲକୁ ଦେଖି ......
ପହିଲି ଆଷାଢ଼ର ଟୋପାଏ ପାଣି
ତା ଓଠରେ ପଡ଼ି ହୃଦୟ ହରଣ କରିଛି ।
ସତରେ ପ୍ରକୃତି ଓ ଜୀବନ ଭିତରେ
କେତେ ନିବିଡତା .......।