ମୁଁ କାଳେ ଅଧା ପକ୍ୱ : ଭାଗ ୧
ମୁଁ କାଳେ ଅଧା ପକ୍ୱ : ଭାଗ ୧
ଦିନେ ରବିବାରରେ ବୋଉ ମୋ ଆସି
ପାଖରେ ବସି, ଅଳପ ହସି
କହିଲା, " ବାପ ଧନ, ଗୁଣମଣିରେ,
ତୋତେ ଆଜି ଗୋଟେ କହିବି କଥା
ଏବେ ବୟସ ହେଲା, ହାତକୁ ଦି'ହାତ ହେଇ ଯା' "
ମୁଁ ପରିହାସ ଛଳେ କହିଲି,
" ଏଇଟା ବା କେଉଁ ଗୋଟେ ମହାନ କଥା,
ଯା' ! ତୁ ଗୋଟିଏ ସୁନ୍ଦରୀ ବୋହୂଟେ ଖୋଜିକି ଆ"
ମୋ ବଗୁଲିଆ କଥାକୁ ସିରିଏସ୍ ମଣି
ସୁନ୍ଦରୀ ଝିଅଙ୍କ ଖୋଳିକି ଖଣି
ବୋଉ କହିଲା, "ଝିଅଟେ ବାଛିଚି, ତୋ ମନକୁ ଜାଣି"
ସଭିଙ୍କ ଭିତରୁ,
ହିରୋଇନ୍ ପରି ଝିଅର ଫୋଟୋ ଆଣିଛି ଟାଣି
ଯେମିତି ଗୁଣକୁ ସେମିତି ଠାଣି
ରୂପ, ରଙ୍ଗ, ଢଙ୍ଗ କଥାକୁ ପୁଣି
ବୋଉ ଚାଲିଥାଏ ବଖାଣି
ମୋ ବଗୁଲିଆ କଥାକୁ ସିରିଏସ୍ ମଣି ।।
ତହିଁ କିଛି ଦିନ ଉତ୍ତାରୁ
ପୁଣି ଏକ ରବିବାର ହେବାରୁ
ବୋଉ କହିଲା,
" ଆଜି ତୁ ଟିକେ ଫ୍ରି ଥିବୁ,
ସମସ୍ତ ସିଡ଼ିଉଲ୍ କେନସେଲ୍ କରିବୁ
କନ୍ୟା ଘର ଆଜି ଦେଖି ଆସିବାକୁ, ଦେଇଅଛନ୍ତି ବାର୍ତ୍ତା
ଯା' ! ସେଲୁନ୍ ଯାଇ ନିଶ - ଦାଢ଼ି - କେଶ, କାଟିକି ଆ' ।
ନିଶ ଦାଢ଼ି କେଶ ରଖିକି ଲାଗୁଛୁ, କେଉଁ ଏକ ଜଙ୍ଗଲୀ ବାବା
କହିଲୁ ! କହିଲୁ !
ଏମିତି ରଙ୍ଗ ଢଙ୍ଗ ଦେଖିକି,
କେଉଁ ବାପା -ମାଆ, ତା' ଝିଅକୁ ଦେବ ବା ?
ଭେକ ଥିଲେ ସିନା ମିଳଇ ଭିକ
ଏମିତି ଢଙ୍ଗରେ ଲାଗୁଛୁ ବଡ଼ ଅସ୍ଵାଭାବିକ !
ଗଲୁ ବାବା ! ଗଲୁ !
କେଶ ନ ହେଉ ପଛକେ,
ସେ ନିଶ ଦାଢ଼ି କାଟିକି ଆଇଲୁ ।।
ତତ୍ ପରେ, ବୋଉ ମୁଖକୁ ଅନାଇ
ହରସରେ ଭାସିଲି ମୁହିଁ,
ବୋଉ ଦେଖ୍ !
ବର ଦେଖିବାକୁ ଆସୁଛନ୍ତି ମାନେ
ଫିଚର ଦୃଷ୍ଟିରୁ,
ବରଟା ନିଶ୍ଚେ; ହୋଇଥିବ ଜଣେ ପୁରୁଷ
ଆଉ ପୁରୁଷ ମାନେ ତ,
ଥାଇ ପାରେ ତା' ଦାଢ଼ି ଓ ନିଶ;
ତେଣୁ କହ !
ରୂପଟା କେମିତି ହେଲା ମୋ ଅସ୍ୱାଭାବିକ ?
ସତେ ଯେମିତି ମୁଁ ମସ୍ତକେ ରୋପିଛି
ଅରଣା ମହିଁଷର ମୁଗୁନିଆ ଶିଙ୍ଗ ପୁଣି କଳା ମଚମଚ ।
ହଁ ! ଯଦି କନ୍ୟାର ଥାନ୍ତା
ପୁରୁଷ ପରି ଛୋଟ କେଶ,
ଦାଢ଼ି ଓ ନିଶ
ତେବେ ରୂପଟା ତା'ର,
ଅସ୍ଵାଭାବିକ ହୋଇଥାନ୍ତା, ଅବଶ୍ୟ !
କିଛି ନ ହେଲେ ବି,
ହାଇଲାଇଟ୍ ହୁଅନ୍ତା ତା' ଦାଢ଼ି ଓ ନିଶ ।।
ହଉରେ ବାପା ! ଅନୁରୋଧ ତୋତେ
ଲୁଚେଇ ରଖିବୁ ତୋର ଏହି
ହାସ୍ୟ ରସର ଛବିକି
ଉତ୍ତର ଦେବୁ, ସବୁ ଦୃଷ୍ଟିରୁ ଭାବିକି
ଆଉ,
ବଗୁଲିଆମି ଜମା କରିବୁ ନାହିଁ
ଭଦ୍ର ଏବଂ ନମ୍ର ପଥରୁ ଖସିବୁ ନାହିଁ
ଉତ୍ତର ଦେଉଥିବୁ ହସି ମୁରୁକି, ମୁରୁକି ।।
ଅବଶ୍ୟ ! ଅବଶ୍ୟ !
ଯଦି ସେମାନେ ଲାଗନ୍ତି ଉଦାଶ
ଫୁଟାଇବି ତାଙ୍କ ମୁଖେ ହର୍ଷ,
ଆଉ ଥିଲେ ମୁହଁ ତାଙ୍କ ହସ ହସ,
ସୁନିଶ୍ଚିତେ କରିବି ଯେ ଉଦାଶ
ଏବେ ମୁଣ୍ଡେ ହସ୍ତ ରଖି ଦିଅ ତୁମ ଆଶିଷ
ଆସନ୍ନ ଯୁଦ୍ଧରେ,ଯେମିତି ଶତ୍ରୁଙ୍କୁ କରିବି ମୁଁ ବଶ
ମାତେ ! ଅଧୁନା, ପ୍ରାପ୍ତ ହେଉ ତୁମ ଆଶିଷ
ଅଧୁନା, ପ୍ରାପ୍ତ ହେଉ ତୁମ ଆଶିଷ ।।
ହଁ ! ଆଉ ଏକ ବିଶେଷ କଥନ
ତାଙ୍କୁ ତୁ କରିଦେବୁ ଟିକେ ସାବଧାନ
ନ ଉଠେ ଯେମିତି ଜାତି ଧର୍ମ ବର୍ଣ୍ଣ
ଯଦି ଏମନ୍ତ ବଚନ , ଶୁଣେ ମୋ କର୍ଣ୍ଣ
ତା'ହେଲେ,
ନମ୍ରତା ମୋର ସବୁ ବନ୍ଧ ବାଡ଼ ଭାଙ୍ଗିବ
କ୍ରୋଧର ପାରଦ ନିଶ୍ଚେ ଉର୍ଦ୍ଧକୁ ଚଢ଼ିବ
ଆଉ ରାଗଟା ନାକ ଅଗେ ଘର କରିବ
ଆଗକୁ ତୁ ଭାବିଦେ,
ଯାହା ଯାହା ସବୁ ଘଟିବ (୨)
କେତେ କେତେ କଥା ସବୁ ଭାବି ଭାବି
ବର ଉମିଦ୍ୱାର୍ ରୂପେ,
ଉପସ୍ଥିତ ହେଲେ ବ୍ୟଙ୍ଗକବି,
ସହଜେ ବ୍ୟଙ୍ଗକବି
ତେଣୁ, ଗୁଣଟା ମୋର କୁଣ୍ଡିଆ
ତଥାପି ଭଦ୍ରାମି ଦୃଷ୍ଟିରୁ
ବୋଉର ନିର୍ଦ୍ଦେଶ କ୍ରମରୁ
ମାରିଲି ତାଙ୍କୁ ମୁଁ ମୁଣ୍ଡିଆ
ଆଉ ମୁରୁକି ହସି,
ମୋ ଉଦ୍ଦେଶ୍ୟ ଥିବା ରିକ୍ତ ସ୍ଥାନରେ
ଗଲି ମୁଁ ବସି ।।
ତା' ପରେ ପ୍ରଶ୍ନବାଣ
ଜିଜ୍ଞାସାର କମାଣ
ରେଷ୍ଟ୍ ବିନା, ବର୍ଷିଲା କ୍ଷଣକୁ କ୍ଷଣ
ମନ ଚଂଚଳ
ହୃଦ ବିକଳ
ବିନା ଶୀତରେ ଦିହ ହେମାଳ
ଭାବିଲି, ଆଉ ବର୍ତ୍ତିବି ନାହିଁ
ମୋ ପୁରିଲା କାଳ
ସରିଲା ଖେଳ
ହେବ ନାହିଁ ନିର୍ଦ୍ବନ୍ଦେ,
ସାଙ୍ଗସାଥିଙ୍କ ମେଳ
ସ୍ବାଧୀନତା ମୋର ପାଲଟିବ
ଡି- ମୋନିଟାଇଜେସନ୍ ପର ନୋଟ୍ ଅଚଳ
ଭାବିଲି, ଆଉ ବର୍ତ୍ତିବି ନାହିଁ
ମୋ ପୁରିଲା କାଳ ।।