ମୁଁ ଭଲପାଏ ନୀଳ ଆକାଶକୁ
ମୁଁ ଭଲପାଏ ନୀଳ ଆକାଶକୁ
ମୁଁ ଭଲପାଏ ନୀଳ ଆକାଶକୁ
ତାର ଧଳା ଧଳା ବାଦଲକୁ
ଢେଉ ଢେଉ ମାଳା ଖେଳୁଥାଏ ଯେବେ
ଆଙ୍କେ ବଉଦରେ ପ୍ରିୟ ଛବିକୁ ।
ମୁଁ ଭଲପାଏ ନୀଳ ଆକାଶକୁ
ପୁଞ୍ଜା ପୁଞ୍ଜା ତାରା ଗହଣକୁ
ଟିପି ଟିପି ତାରା ଖେଳିଯାଏ ଯେବେ
ମାପେ ମୁଁ ମୋ ପ୍ରେମର ପରିଧିକୁ ।
ମୁଁ ଭଲପାଏ ନୀଳ ଆକାଶକୁ
ତାର ଚାନ୍ଦିନୀ ଜୋଚ୍ଛନା ରାତିକୁ
ଜହ୍ନ ଆଲୁଅରେ ସଜାଏ ରଜନୀ
ଉଡ଼ିଯାଏ ମୁଁ ପ୍ରିୟର ରାଇଜକୁ ।
ମୁଁ ଭଲପାଏ ନୀଳ ଆକାଶକୁ
ତାର ଅମାବାସ୍ୟାର ରାତିକୁ
କଳା କିଟିମିଟି ଅନ୍ଧାର ରାତିରେ
ଖୋଜେ ପ୍ରିୟର ବାହୁ ବନ୍ଧନକୁ ।
ମୁଁ ଭଲପାଏ ନୀଳ ଆକାଶକୁ
ଘର ବାହୁଡ଼ା ପକ୍ଷୀଙ୍କ ମେଳିକୁ
ଧାଡ଼ି ଧାଡ଼ି ବଗ ଉଡ଼ି ଯାଉଥାନ୍ତି
ତାଙ୍କ ପ୍ରିୟ ସଙ୍ଗେ ନିଜ ନିଡ଼କୁ ।
ମୁଁ ଭଲପାଏ ନୀଳ ଆକାଶକୁ
ତାର ସୁନେଲି ସୁରୁଜ କିରଣକୁ
ଅଗଣିତ ଭାବନା କଳ୍ପନା ରାଇଜେ
ଦିନ ଗଣେ ଆମ ମଧୁ ମିଳନକୁ ।
ମୁଁ ଭଲପାଏ ନୀଳ ଆକାଶକୁ
ଦେଖି ଅଦିନ କୁହୁଡି଼ ରାତିକୁ
ସପନ ରାଇଜେ ଗଢ଼େ କଳ୍ପନା ମହଲ
ମନ ଚୋର ସଙ୍ଗେ ରହିବାକୁ ।
ମୁଁ ଭଲପାଏ ନୀଳ ଆକାଶକୁ
ତାର ଉନ୍ମୁକ୍ତ ଛାତିର ଆସରକୁ
ଆଖି ପାଏନାହିଁ କୂଳ କି କିନାରା
ତା ମଧ୍ୟରେ ବିଲୀନ ହେବାକୁ ।
ଜହ୍ନ ତାରା ଭରା ଆକାଶକୁ
ଦେଖି ଦେଖି ନିଦ ଆସିବ ଆଖିରେ
ସପନରେ ହଜି ଯିବାକୁ
ଦେଖି ଆପଣା ପରର ଭାବକୁ ।