ମଉଳା ଫୁଲ
ମଉଳା ଫୁଲ
ମହୀରେ ସୁନ୍ଦର ରୁପଟି ମୋହର
ସର୍ବେ କରନ୍ତି ଆଦର
ସୁଗନ୍ଧ ସୁରଭି ମୋଦକ ଭରଇ
କିବା ପଶୁପକ୍ଷୀ ନର
ପନ୍ଥାର ପଥିକ କବି ଓ ଭାବୁକ
ସୌନ୍ଦର୍ଯ୍ୟ ପିପାସୁ ଜନ
ଅପଲକ ନେତ୍ରେ ବିମଳ ଆନନ୍ଦେ
ଦେଖନ୍ତି ମୋର ବଦନ
ଯୁବା ଯୋଗୀ ଭୋଗୀ ଯୁବତୀ ରମଣୀ
ସଭିଏଁ ମୋ ପାଇଁ ବାଇ
କ୍ଷଣିକ ଆନନ୍ଦ କରି ବହୁ ଲୋଭ
ପାଶକୁ ଆସନ୍ତି ଧାଇଁ
ଭ୍ରମର ଭ୍ରମିତ ହରେ ମଧୁସ୍ରୋତ
ଚୁମି ଯାଏ ମୋର ତନୁ
ଉଡି ବୁଲୁଥାଏ ସଦା ଚତୁଃପାର୍ଶେ
ନଭୁଲି କେବେବି ମନୁ
ଯୌବନେ ଉନ୍ମତ୍ତ ହୋଇ ମଦମତ୍ତ
ଅନ୍ୟକୁ ନିଉନ ମଣି
ରୁପ ପସରାର ଚଞ୍ଚଳ ଅଞ୍ଚଳେ
ବଞ୍ଚୁଥିଲି ଦିନ ଗଣି
ସଞ୍ଜ ନଇଁଲାଣି ମଉଳି ଗଲିଣି
ମହକ ଗଲାଣି ଝରି
ପାଗଳ ଭ୍ରମର ନଚାହେଁ ସରାଗେ
ମନ ମୋ ହେଉଛି ଝୁରି
ଦେବତା ଗଳାରେ ଶୋଭା ପାଇବାକୁ
ଯୋଗ୍ଯ ନୁହେଁ ମୁହିଁ ଆଉ
ଗର୍ବ ଅହଂକାର ଯା' ଥିଲା ନିଜର
କିବା ଲାଭ ଦିଏ ସେହୁ
ଥିଲି ବହୁ ସୁଖୀ ଏବେ ମୁଁ ପାତକୀ
ସମୟ ଖେଳୁଛି ଖେଳ
ବିଭୁ ପାଦତଳେ ଶରଣ ପଶଇ
ଥାଉଥାଉ ମୋର ବେଳ
