ମୁଗୁନି ପଥର
ମୁଗୁନି ପଥର


ଆମେ ପ୍ରସ୍ତରଯୁଗୀୟ ପୁଙ୍ଗୁଳା ଅର୍ବାଚିନ
ପ୍ରାଗୈତିହାସିକ କାଳର ଲଙ୍ଗଳା ହୀନଦୀନ
ପ୍ରାଚୀନ କାଳରୁ ମୂକ ମଣିଷ ବୁଭୁକ୍ଷୁ ମୂଲ୍ୟହୀନ
ମାତ୍ର ତୁମେ ପ୍ଳାଷ୍ଟିକ୍ ହସରେ ମାଡିଚାଲ
ସଦ୍ଭା ସମିତିରେ ଆଗରେ ଅଲଟ୍ରା ମର୍ଡନ
ଆମେ ଆଜି ଅଚଳ କଣା ପଇସା
ଅଲୋଡା ଅଭାଗା କୋଣଠେସା ଲୋକହସା
ମାତ୍ର ତୁମେ ଜ୍ୟେଷ୍ଠର ତାତି ପରି
ଅସହ୍ୟ ଗୁଳ୍ମଗୁଳି
ରାଗିଲେ ଦୀପାବଳି ହାବେଳି
ହସିଲେ ନରମ ରସାବଳି
ଗଛିତ ବ୍ୟାଙ୍କ୍ ବାଲାନସ୍ ପରି
ଦିଶୁଥିବ ଖାତାରେ ଶେଷପୃଷ୍ଠାରେ
ଡିଜିଟାଲ ଫୋନ ପେ ବାଲାନସରେ
ସୂବେଶେ ବିଦେଶେ ଅଗ୍ରପୂଜ୍ୟ ମଲ୍ଲୀହସା
ଆମେ ପୁରୁଣାକାଳିଆ ୠଢିବାଦି ସଂସ୍କାରୀ
ତେଲଚିକିଟା ମଫସଲିଆ ବାଳ ବ୍ରହ୍ମଚାରୀ
ମାତ୍ର ତୁମେ ଉଗ୍ର ଆଧୁନିକ ବୈଶିବରଣ ମନ୍ତ୍ରଧାରୀ
ରଙ୍ଗ ରସିଆ ନାଲିପାଣି ପାଚନକାରୀ
ହୁଁ ପଦିକେ ଇଂରାଜୀ ଉଚ୍ଚାରଣ
ଖଣ୍ଡି କାଶରେ ଖଣ୍ଡିଆ ଇଂଲିଶ ହିଙ୍ଗଲିଶ
ଲୋକ ଦେଖାଣିଆ ଶଠ ଆଚରଣ
ଡିଲକ୍ସ ତାମ୍ବୁଳର ନାଲି ଛେପରେ
ଦିଶିଯାଏ ଲାଞ୍ଚୁଆ ପେଞ୍ଚୁଆ ଅସାଧାରଣ
ଆମେ କଳିଙ୍ଗ ପରମ୍ପରାର ଧନୁର୍ଦ୍ଧର
ସଂଗ୍ରାମୀ ସନାତନୀ ଖଣ୍ଡାୟତ ବୀର
ଉତ୍କଳୀୟ ସଂସ୍କୃତିର ଦାୟାଦ ସହୋଦର
ମୁଣ୍ଡକାଟ ହେଉ ପଛେ ନଛୋଡ଼ବନ୍ଧା ଶ୍ରେୟସ୍କର
ମାତ୍ର ତୁମେ ଉଚ୍ଚ ଶିକ୍ଷିତ ପଳାତକ ବାକ୍ୟ ବୀର
ଚା' କପ୍ ରେ ଛକରେ କାଣ୍ଡକରି ଦେଇପାର
ବହୁତଳ ମାର୍ବଲ ପ୍ରାସାଦ ଭିତରେ ରହିପାର
ଅର୍ଥ ପିପାସୁ ସ୍ଵାର୍ଥନ୍ୱେଷୀ ଛଦ୍ମବେଶୀ ବର୍ବର
ଆମେ ହେଲେ ମାଟିର ମଣିଷ
କଳା ଚିକ୍ ଚିକ୍ ପୁରୁଣା ମୁଗୁନି ପଥର
ଲୁହ ଲହୁରେ ଧୋଆ
ଖାଣ୍ଠି ଗୁଆଘିଅ ମା'ଙ୍କଡ଼ା ପ୍ରସ୍ତର
ନ ମାନିଲେ ତୁଠ ପଥର
ହାତ ଯୋଡିଲେ ମହାବାହୁ ଈଶ୍ଵର ।